ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୂରସଂଚାର ନିୟାମକ (ଟ୍ରାଇ)ର ନୂଆ ନିୟମ। ଉପଭୋକ୍ତା ନିଜ ପସନ୍ଦର ଚ୍ୟାନେଲ ବାଛିବା ଲାଗି ୩୧ ଜାନୁଆରି ସମୟ ଦେଇଛି ଟ୍ରାଇ। ଏହା ସହିତ ପ୍ରସାରଣ ଓ କେବୁଲ ସେବା ଲାଗି ନୂଆ ଫ୍ରେମୱାର୍କ କରାଯାଇଥିବା ଟ୍ରାଇ ତରଫରୁ କୁହାଯାଇଛି।

ଉପଭୋକ୍ତା କେବଳ ପସନ୍ଦୀୟ ଚ୍ୟାନେଲର ଟଙ୍କା ଦେବେ। ଯଦି ପସନ୍ଦ ମୁତାବକ ଟିଭି ଚ୍ୟାନେଲର ଚୟନ କରି ନାହଁ, ତେବେ ଗ୍ରାହକ ୧ ଫେବ୍ରୁଆରିରେ ପସନ୍ଦୀୟ ଧାରାବାହିକ ତଥା ଫିଲ୍ମ ଦେଖିପାରିବେ ନାହିଁ। ତେବେ ଚ୍ୟାନେଲର ଚୟନ କରିବା ପାଇଁ ଦୁଇଟି ପ୍ରକ୍ରିୟା ଅଛି। ପ୍ରଥମ, ଗ୍ରାହକ ନିଜ କେବୁଲ ଅପରେଟର ସହ ସମ୍ପର୍କ କରିବେ। ଦ୍ୱିତୀୟ, ଚ୍ୟାନେଲ ଚୟନ କରିବା ପାଇଁ ଟ୍ରାଇ ଏକ ଲିଙ୍କ୍ ପ୍ରସ୍ତୁତ କରିଛି, ସେଠାରୁ ମାସିକ ପ୍ଲାନ୍‌ ତିଆରି କରିପାରିବେ। ଟ୍ରାଇର ମୋବାଇଲ ଆପ୍‌ ଜରିଆରେ ଦର୍ଶକ ନିଜ ପ୍ୟାକେଜ୍‌କୁ ସହଜରେ ନିର୍ଣ୍ଣୟ କରିପାରିବେ। ତେବେ ଜାଣନ୍ତୁ ଏହି ପ୍ରକ୍ରିୟା ସମ୍ପର୍କରେ…

ଏହି ୱେବ୍‌ସାଇଟ୍‌ରେ କରିବାକୁ ହେବ କ୍ଲିକ୍‌

ଟିଭି ଚ୍ୟାନେଲ ଚୟନ ପାଇଁ ଟ୍ରାଇ ଏକ ୱେବ୍‌ସାଇଟ୍‌ ତିଆରି କରିଛି। http://channel.trai.gov.in/ ଏହି ୱେବ୍‌ସାଇଟ୍‌ ମୋବାଇଲ୍‌ରେ ବି ଖୋଲିପାରିବେ। ଯେତେବେଳେ ଏହି ୱେବ୍‌ସାଇଟ୍‌ ଆରମ୍ଭ କରିବେ, ପ୍ରଥମେ ଗ୍ରାହକଙ୍କୁ ନିଜ ନାମ ରେଜିଷ୍ଟର କରିବାକୁ ପଡ଼ିବ। ଏହାପରେ ରାଜ୍ୟ ଚୟନ କରିବାକୁ ହେବ। ତା’ପରେ ଭାଷା ଏବଂ ଏହାପରେ ଚ୍ୟାନେଲର କ୍ୱାଲିଟି ଚୟନ କରିବାକୁ ହେବ। କୌଣସି ବିକଳ୍ପ ଅନିବାର୍ଯ୍ୟ ନୁହେଁ।

ଚୟନ କରିବାକୁ ହେବ ଚ୍ୟାନେଲ

ଯେତେବେଳେ ଭାଷା ଏବଂ କ୍ୱାଲିଟିର ଚୟନ କରିବେ, ତେବେ ଗ୍ରାହକଙ୍କୁ ଚ୍ୟାନେଲ ଲିଷ୍ଟ ଚୟନ ପାଇଁ ଏକ ଲିଷ୍ଟ ଖୋଲିବ। ଯେଉଁଠାରେ ଗ୍ରାହକ ଚ୍ୟାନେଲର ସଂଖ୍ୟା ଚୟନ କରିପାରିବେ। ଚ୍ୟାନେଲ୍‌ର ସଂଖ୍ୟା ଗ୍ରାହକ ନିଜ ହିସାବରେ ବଢ଼ାଇପାରିବେ ଏବଂ କମ୍‌ ମଧ୍ୟ କରିପାରିବେ।

ଟିଭି ଦେଖା ହେବ ମହଙ୍ଗା

ଜଣେ ବ୍ୟକ୍ତି ମାସକୁ ମାତ୍ର ୧୫୩ ଟଙ୍କା(ଜିଏସ୍‌ଟି ସହ) ଦେଇ ୧୦୦ଟି ଦେୟ ମୁକ୍ତ ଚ୍ୟାନେଲ୍‌ ଦେଖିପାରିବେ। ୧୫୩ରେ ୧୩୦ ଟଙ୍କା ନେଟୱର୍କ ଫିସ୍‌ ଅଛି ଏବଂ ୨୪ ଟଙ୍କା ଜିଏସଟି ଦେବାକୁ ହେବ।

ଏହି ନିୟମ ବିଷୟରେ ଅଧିକ ଜାଣିବାକୁ ଚାହୁଁଥିଲେ ଉପଭୋକ୍ତାମାନେ ୦୧୧-୨୩୨୩୭୯୨୨ ଓ ୦୧୧-୨୩୨୨୦୨୦୯ ନମ୍ବରକୁ କଲ୍ କରି ନିଜର ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ।

Comment