ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ସମ୍ପର୍କରେ ଖବର ପାଇବା ପାଇଁ ଏବେ ଲୋକମାନେ ଡିଜିଟାଲ ମିଡିଆ ଉପରେ ଅଧିକ ନିର୍ଭର କରୁଛନ୍ତି। କାରଣ ଆଜିର ଏହି ଜଟିଳ ମୁହୂର୍ତ୍ତରେ ସମସ୍ତେ ପ୍ରତି ମୁହୂର୍ତ୍ତର ଅପ୍‌ଡେଟ୍‌ ଜାଣିବାକୁ ଚାହୁଁଛନ୍ତି। ଯଦିଓ ୨୪/୭ ଧାରାରେ ଟେଲିଭିଜନ୍ କାମ କରୁଛି ତେବେ ଡିଜିଟାଲ ତା’ଠାରୁ ଗୋଟିଏ ପାଦ ଆଗରେ ରହିଛି। ଆଜିର କରୋନା ଖବର ପ୍ରସାରଣ ବେଳେ ଏହି କଥା ପ୍ରମାଣିତ ହୋଇଛି। ଓଡ଼ିଶାର ମିଡିଆ ଚିତ୍ର ମଧ୍ୟ ଏହି କଥା କହୁଛି।

ସୋସିଆଲ ମିଡିଆରେ, ବିଶେଷକରି ହ୍ୱାଟ୍ସଆପ୍‌ ଭଳି ମାଧ୍ୟମରେ କେତେକ ଲୋକ ଗୁଜବ ବା ଉଡ଼ା ଖବର ପ୍ରସାରିତ କରୁଥିବାର ଅଭିଯୋଗ ହୋଇଥାଏ। ତେଣୁ ମିଡିଆ ବିଶେଷଜ୍ଞମାନେ କହୁଛନ୍ତି ଯେ ପାଠକ ଓ ଦର୍ଶକମାନେ ନିର୍ଭରଯୋଗ୍ୟ ଡିଜିଟାଲ ମିଡିଆ ବ୍ୟବହାର କଲେ ଏହି ସମସ୍ୟା ରହିବ ନାହିଁ।ଓଡ଼ିଶାରେ ବିଭିନ୍ନ ନ୍ୟୁଜ ପୋର୍ଟାଲ ଲଗାତାର ଭାବେ କରୋନା ସମ୍ପର୍କିତ ଖବର ପ୍ରସାରଣ କରୁଛନ୍ତି। ଟେକ୍ସଟ୍ ନ୍ୟୁଜ୍‌ ଛଡ଼ା ଭିଡିଓ ମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହେଉଛି। ତା’ଛଡ଼ା ଅଧିକାଂଶ ପୋର୍ଟାଲ ତାଜା ଖବରକୁ ଇନ୍‌ଫୋଗ୍ରାଫିକ୍ସ ମାଧ୍ୟମରେ ଉପସ୍ଥାପନ କରୁଛନ୍ତି। ପାଠକମାନେ ଏହି ଗ୍ରାଫିକ୍ସ କାଡର୍କୁ ମୋବାଇଲରେ ଡାଉନ୍‌ଲୋଡ୍‌ କରି ନିଜର ସୋସିଆଲ ମାଡିଆ କଣ୍ଟାକ୍ଟ ସହ ବହୁଳ ଭାବେ ସେୟାର କରୁଥିବା ଦେଖିବାକୁ ମିଳୁଛି।

କରୋନା ବାବଦରେ ବିଭିନ୍ନ ଖବର ତଥା ରାଜ୍ୟ ସରକାର ନେଉଥିବା ପଦକ୍ଷେପ ସମ୍ପକର୍ରେ ସୂଚନା ଦେବାକୁ ପ୍ରତିଦିନ ଏକ ସାମ୍ବାଦିକ ସମ୍ମିଳନୀ କରାଯାଉଛି। ଏହି ସାମ୍ବାଦିକ ସମ୍ମିଳନୀର ସିଧା ପ୍ରସାରଣ ଆଉ କେବଳ ଟେଲିଭିଜନ୍‌ ଚ୍ୟାନେଲରେ ସୀମିତ ହୋଇ ରହିନାହିଁ। କାରଣ ଡିଜିଟାଲ ମିଡିଆ ମଧ୍ୟ ଏହାର ସିଧାପ୍ରସାରଣ କରିବା ପରେ ହଜାର ହଜାର ଲୋକ ନିଜ ମୋବାଇଲ ମାଧ୍ୟମରେ ଏହା ଦେଖିପାରୁଛନ୍ତି।କେବଳ ଓଡ଼ିଶାର ଡିଜିଟାଲ ଓନ୍‌ଲି ପ୍ଲାଟ୍‌ଫର୍ମ କାହିଁକି, ଏହି ଡିଜିଟାଲ ରସ୍‌ରେ ଓଡ଼ିଶାର ଟେଲିଭିଜନ୍‌ ଚ୍ୟାନେଲ ଓ ଖବରକାଗଜ ମଧ୍ୟ ସାମିଲ ହୋଇଛନ୍ତି। ଏହିସବୁ ପାରମ୍ପରିକ ମଧ୍ୟମ ନିଜ ନିଜର ଡିଜିଟାଲ ପ୍ଲାଟ୍‌ଫର୍ମ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ଅଧିକ ପାଠକ ଓ ଦର୍ଶକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ପାଠକମାନଙ୍କୁ କହିଛନ୍ତି ଯେ, ଏଭଳି ଲକ୍‌ ଡାଉନ୍‌ ସମୟରେ ଆପଣମାନେ ବହୁ ସଂଖ୍ୟାରେ ନିଜ ମୋବାଇଲ ମାଧ୍ୟମରେ ବିଭିନ୍ନ ଡିଜିଟାଲ ମିଡିଆରୁ ଖବର ପାଇପାରିବେ। ତେବେ କୌଣସି କ୍ଷେତ୍ରରେ କୌଣସି ଗୁଜବ ବା ସନ୍ଦେହଜନକ ଖବର ଆପଣଙ୍କ ନଜରକୁ ଆସୁଥିଲେ ନିଶ୍ଚିତ ଭାବରେ ସମ୍ପୃକ୍ତ ମିଡିଆ ସମ୍ପାଦକଙ୍କ ରିପୋର୍ଟ କରନ୍ତୁ।

Comment