ବିଜନ କୁମାର ମହାପାତ୍ର

କିଛି ବର୍ଷ ଧରି ଓଡ଼ିଶାରେ ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ଘଟିଛି। ସାଧାରଣ ମନୋରଞ୍ଜନ ସହିତ ଟେଲିଭିଜନ ନ୍ୟୁଜ ଚ୍ୟାନେଲ୍‌ର ସଂଖ୍ୟା ବୃଦ୍ଧି ପାଇଛି। ବିଶେଷକରି ୨୪ ଘଣ୍ଟିଆ ନ୍ୟୁଜ ଚ୍ୟାନେଲ୍‌ର ସଂଖ୍ୟା ବୃଦ୍ଧି ପେସାଦାର ସାମ୍ବାଦିକତା ପ୍ରତି ରୁଚି ରଖୁଥିବା ସାମ୍ବାଦିକଙ୍କ ସଂଖ୍ୟା ବଢାଇବାରେ ସହାୟକ ହୋଇଛି।

ତାଜା ସମ୍ବାଦ ଓ ଦୃଶ୍ୟ ପାଇଁ ଦର୍ଶକ ଆଉ ଗୋଟିଏ ଦୁଇଟି ଚ୍ୟାନେଲ୍‌ରେ ନିର୍ଭର କରୁନାହାନ୍ତି। ବ୍ରେକିଂ ନ୍ୟୁଜ ଓ ପ୍ରଥମେ ଖବର ପରିବେଷଣ କରିବା ପାଇଁ ବିଭିନ୍ନ ନ୍ୟୁଜ ଚ୍ୟାନେଲ ମଧ୍ୟରେ ତୀବ୍ର ହୋଇଛି ପ୍ରତିଦ୍ୱନ୍ଦ୍ୱିତା। ଏହି ପ୍ରତିଦ୍ୱନ୍ଦ୍ୱିତା ନିୟମିତ ନ୍ୟୁଜ ଓ ସାଂପ୍ରତିକ ଘଟଣାବଳି ପ୍ରତି ରୁଚି ରଖୁଥିବା ସିରିଅସ୍ ଦର୍ଶକଙ୍କୁ ବେଶ୍ ଉପକୃତ କରିଛି ବୋଲି କୁହାଯାଇପାରେ। ପ୍ରାୟ ସବୁ ଟିଭି ନ୍ୟୁଜ ଚ୍ୟାନେଲ ସମାନ ଆଞ୍ଚଳିକ, ଜାତୀୟ ଓ ଆନ୍ତର୍ଜାତିକ ଖବର ପରିବେଷଣ କରିଥାନ୍ତି। ସମ୍ବାଦ ଭିତ୍ତିକ ବିତର୍କ ଓ ସାଂପ୍ରତିକ ଘଟଣାବଳୀ ସଂପର୍କିତ କାର୍ଯ୍ୟକ୍ରମର ବିଷୟବସ୍ତୁ ମଧ୍ୟ ପ୍ରାୟ ସମାନ ଥାଏ। କେବଳ ଉପସ୍ଥାପନା ଶୈଳୀ ଭିନ୍ନ ଭିନ୍ନ ଥାଏ।

ତେବେ, ଓଡ଼ିଆ ନ୍ୟୁଜ୍ ଚ୍ୟାନେଲଗୁଡିକର ଏକ ବଡ଼ ସମସ୍ୟା ହେଲା ବିଚକ୍ଷଣ ଓ ସାଧାରଣ ସମ୍ବାଦ ଜ୍ଞାନ ଥିବା ସମ୍ବାଦ ପାଠକ, ପାଠିକା ମାନଙ୍କ ଘୋର ଅଭାବ। ବର୍ତ୍ତମାନ ପ୍ରସାରଣ ହେଉଥିବା ପ୍ରାୟ ସବୁ ଚ୍ୟାନେଲ୍‌ରେ ବିଚକ୍ଷଣ ଓ ଜ୍ଞାନୀ ସମ୍ବାଦ ପାଠକ ପାଠିକା କୋଚିତ ଦେଖିବାକୁ ମିଳନ୍ତି। କିନ୍ତୁ ଅତି ପରିତାପର ବିଷୟ ଯେ, ଦିନକୁ ଦିନ ଏଭଳି ସମ୍ବାଦ ପାଠକ ପାଠିକାମାନଙ୍କ ସଂଖ୍ୟା ବଢିବାରେ ଲାଗିଛି।

ଅଧିକାଂଶ ପାଠକ ପାଠିକା ପରଦାରେ ତ ବେଶ୍ ଭଲ ଲାଗନ୍ତି, କିନ୍ତୁ ସେମାନଙ୍କ ସମ୍ବାଦ ପଠନ ଶୈଳୀ ନ କହିବା ଭଲ। ଉନ୍ନତ ପରିପାଟୀ, ଆଭୂଷଣ ଓ କେଶସଜ୍ଜା ସହ ସେମାନେ ଟିଭି ପରଦାରେ ବେଶ୍ ଆକର୍ଷଣୀୟ ଲାଗନ୍ତି। ଅର୍ଥାତ୍ ସେମାନଙ୍କ ସ୍କ୍ରିନ୍ ଲୁକ୍ ଭଲ। କିନ୍ତୁ ବିକୃତ ସମ୍ବାଦ ପଠନ ଶୈଳୀ ସବୁ ବିଗାଡିଦେଉଛି।  ତ୍ରୁଟିପୂର୍ଣ୍ଣ ଶବ୍ଦ ଉଚ୍ଚାରଣ, ବାକ୍ୟରେ ଭୁଲ୍ ସ୍ଥାନରେ ପଜ୍, ପଢିବା ବେଳେ ଅନେକ ସ୍ଥାନରେ ଝୁଣ୍ଟିବା – ଏଭଳି ଅନେକ ଦୁର୍ବଳତା ଅଧିକାଂଶ ସମ୍ବାଦ ପାଠକ ପାଠିକାଙ୍କ କ୍ଷେତ୍ରରେ ପରିଲକ୍ଷିତ ହୁଏ।

ଏସବୁ ଦୋଷ ଦୁର୍ବଳତା ଥିବା ପାଠକ ପାଠିକାମାନଙ୍କ ଲାଗି ଗୋଟିଏ ଅଧଘଣ୍ଟିଆ ନ୍ୟୁଜର ଗୁଣାତ୍ମକ ମାନ ହ୍ରାସ କରିଥାଏ। ଆଜିକାଲି ପ୍ରାୟତଃ ସବୁ ନ୍ୟୁଜ ଚ୍ୟାନେଲରେ ସମ୍ବାଦର ଦୁର୍ବଳ ପରିବେଷଣ ଶୈଳୀ ନିୟମିତ ଦେଖିବାକୁ ମିଳୁଛି। ଏହି ଧରଣର ପାଠକ ପାଠିକାମାନେ ବେଶ୍ ମହତ୍ତ୍ୱାକାଂକ୍ଷୀ ହୋଇଥାନ୍ତି। କଥା ପ୍ରସଙ୍ଗରେ ସେମାନେ ଜାତୀୟସ୍ତରର ଖ୍ୟାତନାମା ପାଠକ ପାଠିକାମାନଙ୍କ ନାଁ ନେଇଥାନ୍ତି। ଏପରିକି ସେମାନଙ୍କୁ ଆଦର୍ଶ ମାନନ୍ତି। କିନ୍ତୁ ସେମାନଙ୍କ କାମରେ ଏହା ପ୍ରତିଫଳିତ ହୁଏ ନାହିଁ। ଅଧିକାଂଶ ପାଠକ ପାଠିକା ଅଛନ୍ତି, ଯେଉଁମାନେ କି ସବୁ ପ୍ରକାର ନ୍ୟୁଜକୁ ଏକାଭାବେ ପରିବେଷଣ କରିଥାନ୍ତି। କେଉଁ ସମ୍ବାଦକୁ କିଭଳି ଭାବେ ଉପସ୍ଥାପନ କଲେ, ତାହା ଦର୍ଶକଙ୍କୁ ବାନ୍ଧି ରଖିପାରିବ, ତାହା ସେମାନେ ଜାଣନ୍ତି ନାହିଁ।

ସେମାନଙ୍କ ଦୋଷତ୍ରୁଟିକୁ ସଂପୃକ୍ତ ଚ୍ୟାନେଲ୍ କର୍ତ୍ତୃପକ୍ଷ ଉପଯୁକ୍ତ ଦୃଷ୍ଟି ଦେଉ ନ ଥିବା ମନେହୁଏ। ବୋଧହୁଏ, ପାଠକା ପାଠିକାମାନଙ୍କ ବେଶ ପରିପାଟୀ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ସେମାନଙ୍କ ଶବ୍ଦ ଜ୍ଞାନ ଓ ସମ୍ବାଦ ଜ୍ଞାନ ଉପରେ କେହି ଦୃଷ୍ଟି ଦେଉ ନ ଥିବା ସ୍ପଷ୍ଟ ଜଣାପଡୁଛି। ଅନେକ ପାଠକ ପାଠିକା ଅଛନ୍ତି, ଯେଉଁମାନେ କି ରାଜ୍ୟ ଓ ଜାତୀୟ ରାଜନୀତି ସଂପର୍କରେ କିଛି ବି ଜାଣନ୍ତି ନାହିଁ। ସେମାନଙ୍କ ପାଇଁ କେବଳ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନାମ ହିଁ ଜାଣିବା ଜରୁରୀ। ଆଉ ଏହି ଦୁର୍ବଳତା ପରଦାରୁ ସ୍ପଷ୍ଟ ବାରି ହୋଇପଡେ।

କୌଣସି ରାଜନୈତିକ ଖବର ଯଦି ତୁରନ୍ତ ଆସେ, ଆଉ ତାହା ଉପରେ ଯଦି ଅଧିକ ସୂଚନା ପାଇଁ ସଂପୃକ୍ତ ଖବରଦାତାଙ୍କ ଫୋନ୍ ଇନ୍ ନେବାକୁ ହୁଏ, ତାହାଲେ ସମ୍ବାଦ ପଢୁଥିବା ସ୍ୱଳ୍ପ ବୁଦ୍ଧିସଂପନ୍ନ ପାଠକ ପାଠିକାଙ୍କ ଦୋଷ ଦୁର୍ବଳତା ସାମ୍‌ନାକୁ ଆସିଯାଏ। ସେମାନେ ସେହି ଗୁରୁତ୍ୱପୂର୍ଣ୍ଣ ଖବରର ଆଗପଛ ନ ଜାଣି ସଂପୃକ୍ତ ରିପୋର୍ଟରଙ୍କୁ ଏଣୁତେଣୁ ପ୍ରଶ୍ନ ପଚାରି ବସନ୍ତି, ଯାହା ଦ୍ୱାରା କି ରିପୋର୍ଟର ବେଶ୍ ଅସହାୟ ମନେକରେ। ଏ କ୍ଷେତ୍ରରେ ରିପୋର୍ଟର ନିଜକୁ  ଲଜ୍ଜିତ ମନେ କରିବା ସ୍ୱାଭାବିକ। ରାଜନୈତିକ ଖବର କଥା ଛାଡନ୍ତୁ, ରାଜ୍ୟର ଭୌଗଳିକ ଜ୍ଞାନ ମଧ୍ୟ ଅନେକଙ୍କ ପାଖରେ ଥିବ କି ନା, ସନ୍ଦେହ।

ଏକ ଅଗ୍ରଣୀ ଓଡ଼ିଆ ଚ୍ୟାନେଲ୍‌ରେ କାମ କରୁଥିଲା ବେଳେ ଜଣେ ସମ୍ବାଦ ପାଠିକାଙ୍କୁ ମୁଁ କୌତୁହଳ ବଶତଃ ଗୋଟିଏ ପ୍ରଶ୍ନ ପଚାରିଲି। ଉତ୍ତର ଯାହା ମିଳିଲା, ତାହା ଜାଣିଲା ପରେ ଆପଣ ହସି ହସି ବେଦମ ହୋଇଯିବେ। ମେକଅପ୍ ରୁମରୁ ମେକଅପ୍ ନେଇ ପାଠିକା ଜଣକ ଏକ ନ୍ୟୁଜ ବୁଲେଟିନ୍‌ ପଢିବା ପାଇଁ ପ୍ରସ୍ତୁତ ହେଉଥିଲେ। ମୁଁ ବ୍ରହ୍ମପୁର କେଉଁ ଜିଲ୍ଲାରେ ଅଛି ପଚାରିଲି। ବ୍ରହ୍ମପୁର ଶ୍ରୀକାକୁଲମ ଜିଲ୍ଲାରେ ଅଛି ବୋଲି ସଂପୃକ୍ତ ପାଠିକା ଜଣକ ଦୃଢ ଭାବେ କହିଲେ। ଏହା ଶୁଣି ମୁଁ ଓ ଅନ୍ୟ ସହଯୋଗୀମାନେ ନ ହସି ରହିପାରିଲୁ ନାହିଁ । ଏହା ପରେ ବି ସଂପୃକ୍ତ ପାଠିକା ଜଣକ ନିଜର ନିର୍ବୋଧତା ସଂପର୍କରେ ହୃଦବୋଧ କଲେ ନାହିଁ।

ଏପରି ଅନେକ ନିର୍ବୋଧ, ଅଜ୍ଞାନୀ ପାଠକପାଠିକା ସବୁ ନ୍ୟୁଜ ଚ୍ୟାନେଲ୍‌ରେ ରହିଛନ୍ତି। ଆମର ଯାହା ମନେହୁଏ, ସେମାନଙ୍କର କିଛି ପ୍ରଭାବଶାଳି ପୃଷ୍ଠପୋଷକଙ୍କ ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ନ ହେଲେ ପ୍ରକୃତ ପ୍ରତିଭାବାନ ଓ ସମ୍ବାଦ ଜ୍ଞାନ ଥିବା ପାଠକ ପାଠିକାମାନଙ୍କ ପରିବର୍ତ୍ତେ କେବଳ ଅକ୍ଷର ଚିହ୍ନିଥିବା ପାଠକ ପାଠିକାଙ୍କ ଭିଡ଼ ନଥାନ୍ତା।  ପେସାଦାର ନ୍ୟୁଜ ଚ୍ୟାନେଲଗୁଡିକରେ ଏଭଳି ଅଣପେଷାଦାର ପାଠକ ପାଠିକାମାନଙ୍କ ଉପସ୍ଥିତି ବେଶ୍ ପରିତାପର ବିଷୟ। ଯିଏ ଅକ୍ଷର ଚିହ୍ନି ପଢି ଜାଣିଛି, ଯାହାର ଟିକେ ସ୍କ୍ରିନ ଲୁକ୍ ଅଛି, ସେମାନଙ୍କୁ ଆଙ୍କର ବା ପାଠକ ପାଠିକାଭାବେ ନିଯୁକ୍ତି ଦିଆଯାଉଛି। ଜ୍ଞାନକୁ କିଏ ପଚାରେ ବା? ଟିଭିରେ ଭଲ ଦିଶୁଥିବାର ଅଛି ତ ସବୁ ଭଲ! ଅଧିକାଂଶ ପାଠକ ପାଠିକାଙ୍କ ସମ୍ବାଦ ପଠନ ଶୈଳୀ ଦେଖିଲେ ଲାଗେ, ସେମାନେ ଓଡ଼ିଆ ଭାଷା କଣ ଜାଣିନାହାନ୍ତି। ଜଣେ ପ୍ରାଥମିକ ସ୍କୁଲ୍‌ର ଛାତ୍ର ସେମାନଙ୍କଠାରୁ ଆହୁରି ଭଲ ପଢିବ।

କିଛି ପାଠକ ପାଠିକା ଅଛନ୍ତି, ଯେଉଁମାନେ କେବଳ ଭଲ ପଢ଼ନ୍ତି। ଏହି ଧରଣର ପାଠକ ପାଠିକାମାନଙ୍କୁ ଗ୍ରହଣ କରିବାରେ ଆପତ୍ତି ନାହିଁ। ଜଣେ ଯଦି ସ୍ପଷ୍ଟ ଓ ନିର୍ଭୁଲ୍ ଭାବେ ସମ୍ବାଦ ପଠନ କରିପାରୁଛନ୍ତି, ସେମାନଙ୍କର ଜ୍ଞାନ ଅଧିକ ନ ହେଲେ ବି ବିଶେଷ କିଛି ଆପତ୍ତି ରହିବା ଅନୁଚିତ। ହେଲେ ଏ ଧରଣର ପାଠକ ପାଠିକା ସଂଖ୍ୟା ବି ବହୁତ କମ୍। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପୋଖତ ସାମ୍ବାଦିକମାନେ ଆଙ୍କରିଂ ବା ସମ୍ବାଦ ପଠନ କରନ୍ତି। ସେମାନଙ୍କ ଉପସ୍ଥାପନା ଶୈଳୀ ସବୁ ଦିଗରୁ ବେଶ୍ ଚମତ୍କାର ହୋଇଥାଏ। ସେମାନେ ଉପସ୍ଥାପନ କରୁଥିବା ନ୍ୟୁଜ୍ ବୁଲେଟିନ ଦେଖିବାକୁ ଭଲ ଲାଗେ।

ଓଡ଼ିଆ ନ୍ୟୁଜ ଚ୍ୟାନେଲଗୁଡିକରେ ଏମିତି ଖୁବ୍ କମ୍ ପାଠକ ପାଠିକା ଅଛନ୍ତି, ଯାହାଙ୍କ ଉପସ୍ଥାପନା ଶୈଳୀ ଦର୍ଶକଙ୍କ ଦ୍ୱାରା ଆଦୃତ ହୋଇପାରିଛି। ହେଲେ ବି ସେମାନେ କେବଳ ଟେଲି ପ୍ରମ୍ପଟର ଦେଖି ପଢ଼ନ୍ତି। ଖବରର ପ୍ରତିଟି ଦିଗରେ ସେମାନଙ୍କ ବିଶେଷ ଦକ୍ଷତା ନ ଥିଲା ଭଳି ମନେହୁଏ। ବୋଧହୁଏ ସେମାନେ ଉଦ୍‌ଯୋଗୀ ନୁହନ୍ତି କି ଅଧିକ ସାଧନା ପାଇଁ ଇଚ୍ଛା କରନ୍ତି ନାହିଁ। ଏଭଳି ସ୍ଥଳେ ସମ୍ବାଦ ପରିବେଷଣ ଶୈଳୀ ଉନ୍ନତ ଓ ମନଛୁଆଁ ହେବ କିପରି?

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ)

1 COMMENT

  1. The sole reason of this problem is lack of interest among the anchors as well as their mentors. Now most of the news channels of Odisha do not have a special orientation/training programme for the anchors. They do not spend on their human resources.

Comment