ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ସିବିଆଇ ନୋଟିସ୍ ଏବଂ ଓଡ଼ିଶା ପୋଲିସର ନୋଟିସ୍‌କୁ ନେଇ ଉଠୁଛି ପଡୁଛି ରାଜ୍ୟ ରାଜନୀତି।

ସିବିଆଇ ନୋଟିସ୍ ବନାମ ଓଡ଼ିଶା ପୋଲିସର ନୋଟିସ୍। ଏହି ନୋଟିସ୍‌କୁ ନେଇ ଏବେ ଉଠୁଛି ପଡୁଛି ରାଜ୍ୟ ରାଜନୀତି। ଗୋଟିଏ ଦିନରେ ବିଜେଡିର ଦୁଇ ନେତାଙ୍କୁ ସିବିଆଇ ନୋଟିସ୍ ଦେଇଥିବା ବେଳେ ସେହିଦିନ ବିଜେପିର ଦୁଇ ନେତାଙ୍କୁ ଗଞ୍ଜାମ ପୋଲିସ ନୋଟିସ୍ ଜାରି କରିଛି।

ଅଲଗା ଅଲଗା ମାମଲାକୁ ନେଇ ଦୁଇ ଦଳର ନେତାଙ୍କୁ ନୋଟିସ୍ ଜାରି ହୋଇଛି। ହେଲେ ନିର୍ବାଚନ ପୂର୍ବରୁ ସିବିଆଇ ଓ ଓଡ଼ିଶା ପୋଲିସ୍‌ର ନୋଟିସ୍‌କୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।

ସିବିଆଇ ନୋଟିସ୍‌କୁ ନେଇ ବିଜେଡି ବିଜେପିକୁ ଟାର୍ଗେଟ କରିଥିବା ବେଳେ ଓଡ଼ିଶା ପୋଲିସର ନୋଟିସ୍‌କୁ ନେଇ ବିଜେପି ବିଜେଡିକୁ ସମାଲୋଚନା କରିଛି।

ଜାନୁଆରି ୨୯ ତାରିଖରେ କଟକ ସାଲେପୁରରେ ବୁଥ୍‌ ସ୍ତରୀୟ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଏହି ସମାବେଶରେ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କୋଲକାତା ଫେରି ଯାଇଥିଲେ।

ଶାହ ଯିବା ପରେ ଗଣମାଧ୍ୟମରେ ଖବର ଆସିଲା ଯେ ବିଜେଡିର ଦୁଇ ବିଧାୟକ ଅତନୁସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ କରିଛି। ଚିଟଫଣ୍ଡ ଲିଙ୍କ୍ ଅଭିଯୋଗରେ ଏହି ଦୁଇ ବିଧାୟକଙ୍କୁ ନୋଟିସ୍ ହୋଇଥିବା ଖବର ଆସିଲା।

ଏହାର କିଛି ସମୟ ପରେ ଆଉ ଏକ ହଟଚମଟ ଖବର ଆସିଲା। ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ଗଞ୍ଜାମ ପୋଲିସ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କୁ ନୋଟିସ୍ ଦେଇଥିଲା। ଏହି ଘଟଣାକୁ ନେଇ ବିଜେଡି ଏବଂ ବିଜେପି ମୁହାଁମୁହିଁ ହୋଇଥିଲେ।

ସିବିଆଇ ନୋଟିସ୍‌କୁ କାଉଣ୍ଟର କରିବା ପାଇଁ ଓଡ଼ିଶା ପୋଲିସର ନୋଟିସ୍ ଆସିଥିବା ଚର୍ଚ୍ଚା ହେଲା। ନୋଟିସ୍ ଆସିବାର ଦିନକ ପରେ ରାଜ୍ୟ ରାଜନୀତିରେ ତାତି ଭରିଛି।

ବିଜେଡି-ବିଜେପି ଭିତରେ ବୟାନବାଜି ଚାଲିଥିବା ବେଳେ କଂଗ୍ରେସ ଏହାକୁ ଆକ୍ଷେପ କରିଛି।

“ଗତଥର ଅମିତ ଶାହ ଆସିବା ପରେ ସିବିଆଇ ନୋଟିସ୍‌ ଆସିଥିଲା। ଏଥର ମଧ୍ୟ ପୁଣି ଶାହଙ୍କ ଗସ୍ତ ପରେ ନୋଟିସ୍‌ ଆସିଛି। ସିବିଆଇକୁ ଅସ୍ତ୍ର ଭଳି ବ୍ୟବହାର କରାଯାଉଛି। ସିବିଆଇ ପଞ୍ଜୁରୀ ଭିତରେ ଶାରୀ”, କହିଛନ୍ତି ବିଜେଡି ମୁଖପାତ୍ର ସମୀର ରଞ୍ଜନ ଦାଶ।

ଏହାସହ ବିଜେପି ନେତାଙ୍କୁ ନୋଟିସ ନେଇ ପ୍ରତିକ୍ରିୟା ରଖି ସମୀର ଦାଶ କହିଛନ୍ତି, “ଏହା ଏକ ପୁରୁଣା ମାମଲା। ପୋଲିସକୁ କିଛି ଆବଶ୍ୟକ ଥିବ ସେଥିପାଇଁ ନୋଟିସ ଜାରି କରିଥିବ।”

ଓଡ଼ିଶା ପୋଲିସର ନୋଟିସ୍ ସମ୍ପର୍କରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରତିକ୍ରିୟ ରଖି ବିଜେଡିକୁ ଘେରିଛନ୍ତି।

ସେ କହିଛନ୍ତି, “ଏ ଯାଏଁ ମୁଁ କୌଣସି ନୋଟିସ୍‌ ପାଇନାହିଁ। ଏସବୁ ଏକ ରାଜନୈତିକ ଷଡ଼ଯନ୍ତ୍ର। ପ୍ରତିହିଂସା ପରାୟଣ ହୋଇ ନୋଟିସ୍‌ ଦିଆଯାଇଛି। ସିବିଆଇ କାହାକୁ ଜଣାଇ ତଦନ୍ତ କରେ ନାହିଁ। ତାଙ୍କ ନେତା ଆଗରୁ ଗିରଫ ହୋଇଛନ୍ତି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସିବିଆଇ ନୋଟିସ୍ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ନିର୍ବାଚନ ଆସିବା ଆଗରୁ ଏମିତି ହୋଇଥାଏ। ସିବିଆଇ ଏବେ ଯାହା କଲା ତାହା ବହୁ ଆଗରୁ କରିବାର ଥିଲା ବୋଲି କହିଛନ୍ତି ନିରଞ୍ଜନ।

Comment