ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଜେଡିର ପୋଷ୍ଟରବୟ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିବା ପାଇଁ ବିଜେପି ଯେଉଁମାନଙ୍କୁ ଆଗକୁ ଆଣୁଛି ସେମାନଙ୍କ ଭିତରେ ଅପରାଜିତା ହେଉଛନ୍ତି ଅନ୍ୟତମ।

ରାଜ୍ୟ ବିଜେପିରେ ବଢୁଛି ଅପରାଜିତା ଷଡ଼ଙ୍ଗୀଙ୍କ କ୍ରେଜ୍। ଆଇଏଏସ୍‌ ଚାକିରି ଛାଡ଼ି ବିଜେପିରେ ପାଦ ଦେବା ପରେ ଅପରାଜିତାଙ୍କୁ ନେଇ ବିଜେପି ମହଲରେ ଅଙ୍କ କଷା ଯାଉଛି। ୨୦୧୯ ନିର୍ବାଚନରେ ‘ଅପରାଜିତା’ ଓଡ଼ିଶା ବିଜେପିର ‘ପୋଷ୍ଟରଗାର୍ଲ’ ହେବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ଅପରାଜିତା – ଏଠି, ସେଠି, ସବୁଠି

୨୦୧୮ ନଭେମ୍ବର ୨୭ରେ ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହଙ୍କ ବାସଭବନରେ ପଦ୍ମ ଧରି ଓଡ଼ିଶା ଫେରିଥିଲେ ଅପରାଜିତା। ଆଇଏଏସ୍‌ ଚାକିରି ଛାଡ଼ି ଅପରାଜିତା ସକ୍ରିୟ ରାଜନୀତିକୁ ଆସିଥିବାରୁ ଓଡ଼ିଶା ବିଜେପିରେ ଉତ୍ସାହ ଭରି ଯାଇଥିଲା। ଅପରାଜିତାଙ୍କୁ ଆଗରେ ରଖି ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବାକୁ ସ୍ୱପ୍ନ ଦେଖିଥିଲେ ଓଡ଼ିଶାର ବିଜେପି ନେତା।

ଓଡ଼ିଶା ଫେରିବା ପରେ ଅପରାଜିତାଙ୍କୁ ଏଠି ସେଠି ସବୁଠି ଦେଖିବାକୁ ମିଳିଥିଲା। ବିଜେପିର ବିଭିନ୍ନ କାର୍ଯ୍ୟକ୍ରମରେ ଅପରାଜିତାଙ୍କ ଗୁରୁତ୍ୱ ବଢ଼ିଥିଲା। ଅପରାଜିତା ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଚର୍ଚ୍ଚାରେ ରହିଥିଲେ।

ନୂଆ ବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଓଡ଼ିଶାବାସୀ ଦେଖିବା ପୂର୍ବରୁ ବିଜେପିର ଚାରିକାନ୍ଥ ଭିତରୁ ବାହାରିଥିଲେ ଅପରାଜିତା। ରାଜଧାନୀ ଭୁବନେଶ୍ୱରର ଚାରିଆଡ଼େ ଅପରାଜିତାଙ୍କ ବଡ଼ ବଡ଼ ହୋର୍ଡିଂ ଲାଗିଲା। ରାମମନ୍ଦିର ଛକରୁ ଚନ୍ଦ୍ରଶେଖରପୁର, ମାଷ୍ଟରକ୍ୟାଣ୍ଟିନରୁ ଖଣ୍ଡଗିରି ସବୁଠି ଅପରାଜିତାଙ୍କ ହୋର୍ଡିଂ ଲୋକଙ୍କ ନଜରରେ ପଡ଼ିଲା।

ଏହି ହୋର୍ଡିଂ ମାଧ୍ୟମରେ ଅପରାଜିତା ରାଜଧାନୀବାସୀଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇ ଆଗକୁ ଆସିଥିଲେ।

ଖାଲି ସେତିକି ନୁହେଁ, ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ୍ ପିପିଲି ଆସିଥିଲେ। ଏହି ଟିମ୍‌ରେ ଥିଲେ ଅପରାଜିତା। ସାମ୍ବାଦିକ ସମ୍ମିଳନୀରେ ନବୀନ ସରକାରଙ୍କ ଉପରେ ମଧ୍ୟ ବର୍ଷିଥିଲେ ଅପରାଜିତା।

ବାଲିଅନ୍ତା ବ୍ଲକରେ ପଦଯାତ୍ରା ହେଉ କି ବୁଦ୍ଧ ପାର୍କରେ ମର୍ଣ୍ଣିଂ ୱାକ ହେଉ। ଖୋର୍ଦ୍ଧା ଜିଲ୍ଲାବୋଲଗଡ଼ରେ ଜନସମ୍ପର୍କ ପରାମର୍ଶ ପଦଯାତ୍ରା ହେଉ କି କପିଳେଶ୍ୱର ମହାଦେବଙ୍କୁ ଦର୍ଶନ କରିବା ବେଳେ ଲୋକଙ୍କ ସହ ମିଶିବା। ବସ୍ତିରେ ଲୋକଙ୍କ ସହ ଆଲୋଚନା କରିବା ଆଦିକୁ ନେଇ ଚର୍ଚ୍ଚାରେ ରହିଛନ୍ତି ବିଜେପିର ଏହି ପୋଷ୍ଟରଗାର୍ଲ।

ଚର୍ଚ୍ଚାରେ ଅପରାଜିତାଙ୍କ ଚା’ ଖଟି

୨୦୧୪ ନିର୍ବାଚନ ପୂର୍ବରୁ ସାରା ଦେଶରେ ବିଜେପିର ପୋଷ୍ଟରବୟ ନରେନ୍ଦ୍ର ମୋଦି ‘ଚାୟ ପେ ଚର୍ଚ୍ଚା’ କରି ଜାତୀୟ ରାଜନୀତିକୁ ହଲ୍‌ଚଲ୍ କରିଥିଲେ। ଏବେ ୨୦୧୯ ନିର୍ବାଚନ ପୂର୍ବରୁ ଓଡ଼ିଶା ବିଜେପିର ପୋଷ୍ଟରଗାର୍ଲ ଅପରାଜିତା ଷଡ଼ଙ୍ଗୀ ସେହି ରାସ୍ତାରେ ପାଦ ରଖିଛନ୍ତି।

୩ ତାରିଖ ସକାଳେ ଲୋକଙ୍କ ସହ ସିଧାସଳଖ କଥା ହେବା ପାଇଁ ଅପରାଜିତା ଚା’ ଖଟିର ଆୟୋଜନ କରିଛନ୍ତି। ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଏହି କାର୍ଯ୍ୟକ୍ରମ ରଖାଯାଇଛି। ଏହାର ନାଁ ରହିଛି ‘ମର୍ଣ୍ଣଂ ଟି ଉଇଥ୍ ଅପରାଜିତା ଷଡ଼ଙ୍ଗୀ’।

“ଅପରାଜିତାଙ୍କୁ ନେଇ ଆମେ ବେଶ୍ ଉତ୍ସାହିତ। ତୃଣମୂଳ ସ୍ତରର ଲୋକଙ୍କ ସହ ସିଧାସଳଖ ସମ୍ପର୍କ ଯୋଡ଼ିବା ପାଇଁ ଏହି ଚା’ଖଟିର ଆୟୋଜନ କରାଯାଇଛି। ଚାକିରିରେ ଥିବା ବେଳେ ଅପରାଜିତା ଷଡ଼ଙ୍ଗୀ ଲୋକଙ୍କ ପାଇଁ ଅନେକ ପଦକ୍ଷେପ ନେଇଥିଲେ। ଏବେ ରାଜନୀତିକୁ ଆସିଥିବାରୁ ସାଧାରଣ ଲୋକଙ୍କ ପାଇଁ ସେ ବହୁତ କିଛି କରିବେ”, କହିଛନ୍ତି ଚନ୍ଦ୍ରଶେଖରପୁର ବିଜେପି ମଣ୍ଡଳର ସଭାନେତ୍ରୀ ମାନସୀ ମଞ୍ଜରୀ ରାୟପାଢ଼ୀ।

ନିର୍ବାଚନ ପାଖେଇ ଆସୁଥିବାରୁ ଏବଂ ପ୍ରଥମ ଥର ପାଇଁ ଅପରାଜିତା ଚା’ଖଟିରେ ସାମିଲ ହେଉଥିବାରୁ ଏହାକୁ ନେଇ ରାଜନୀତି ଉଷ୍ମ ହୋଇଛି।

ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ‘ଅପରାଜିତା’!

ଅପରାଜିତା ଯେତେବେଳେ ପଦ୍ମ ଧରିଲେ ସେତେବେଳେ ତାଙ୍କୁ ନେଇ ରାଜ୍ୟ ରାଜନୀତିରେ ଅନେକ ଚର୍ଚ୍ଚା ହୋଇଥିଲା। ସେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଚର୍ଚ୍ଚା ହୋଇଥିଲା। ଏହି ଚର୍ଚ୍ଚା ବିଜେପି ଅଫିସରେ କମ୍ପନ ସୃଷ୍ଟି କରିଥିଲା। ଶେଷରେ ଏ ସମ୍ପର୍କରେ ମୁହଁ ଖୋଲିବାକୁ ବାଧ୍ୟ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ଜୁଏଲ।

ହେଲେ ଏବେ ବି ଏହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିନି। ଅପରାଜିତା ବିଜେପିର ନୂଆ ସମ୍ଭାବନା ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏନେଇ ଦିଲ୍ଲୀ ଦରବାରରେ ଗଣିତ କଷା ହେଉଥିବା କୁହାଯାଉଛି।

୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଭାବେ ନିଜ ପ୍ରଶାସନିକ କ୍ୟାରିଅର ଆରମ୍ଭ କରିଥିଲେ। ହେଲେ ସେ ବିଜେଡିର ମହିଳା ଭୋଟ ବ୍ୟାଙ୍କ ଦୁର୍ଗକୁ ଭାଙ୍ଗିପାରିବେ ବୋଲି ବିଜେପିର କେନ୍ଦ୍ରନେତାମାନେ ଆଶାବାଦୀ ଅଛନ୍ତି।

ଅପରାଜିତା ଜଣେ ଦକ୍ଷ ପ୍ରଶାସିକା ଭାବେ ଓଡ଼ିଶାରେ ସୁନାମ ଅର୍ଜନ କରିଥିଲେ। ଏହାସହ ସେ ଜଣେ ମହିଳା ଏବଂ ବୁଦ୍ଧିଜୀବୀ ଶ୍ରେଣୀର ହୋଇଥିବାରୁ ତାଙ୍କୁ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବିଜେପିର ଜାତୀୟ ସ୍ତରର ନେତା।

ଭୁବନେଶ୍ଵରରେ ଅପରାଜିତାଙ୍କ କ୍ରେଜ୍

୨୦୧୯ ନିର୍ବାଚନରେ ଅପରାଜିତା ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଏଣୁ ଏବେଠୁ ସେ କସରତ ଆରମ୍ଭ କରିଦେଇଛନ୍ତି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ମିଶୁଛନ୍ତି ଏହି ପୂର୍ବତନ ଆଇଏଏସ୍ ଅଫିସର।

ହେଲେ ଭୁବନେଶ୍ୱର ଲୋକସଭା ଆସନରେ ଲଢ଼ି ଜିତିବା ଅପରାଜିତାଙ୍କ ପାଇଁ ସହଜ ହୋଇନପାରେ ବୋଲି କୁହାଯାଉଛି। ଭୁବନେଶ୍ୱର ଲୋକସଭା ଆସନର ଇତିହାସ ଯାହା କହୁଛି ଆଜିପର୍ଯ୍ୟନ୍ତ ଏଠି ବିଜେପି ପ୍ରାର୍ଥୀ ଜିତିବାର କୌଣସି ରେକର୍ଡ ନାହିଁ।

୧୯୯୮ରୁ ଆଜି ପର୍ଯ୍ୟନ୍ତ ଏହି ଆସନ ବିଜେଡି କବ୍‌ଜାରେ ରହି ଆସିଛି। ପ୍ରସନ୍ନ ପାଟ୍ଟାଶାଣୀ ଏଠାରୁ ବାରମ୍ବାର ଜିତି ନିଜର ଲୋକପ୍ରିୟତା ପ୍ରମାଣ କରିଛନ୍ତି। ଏବେ ଏହି ଦୁର୍ଗରେ ଅପରାଜିତାଙ୍କୁ ଛିଡ଼ା କରି ବିଜେପି ବଡ଼ ଗେମ୍‌ କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ଏଣୁ ଅପରାଜିତା ଭୁବନେଶ୍ଵରରେ ପ୍ରଚାର ଅଭିଯାନ ଆରମ୍ଭ କରିଦେଇଥିବା କୁହାଯାଉଛି।

୨୦୧୯ ପାଇଁ ପୂରା ଜୋରଦାର ପ୍ରସ୍ତୁତି ଚଳାଇଛି ବିଜେପି। ବିଜେଡି ଦୁର୍ଗକୁ ଭାଙ୍ଗି ସରକାର ଗଠନ କରିବାକୁ ବିଜେପି ଯୋଜନା କରୁଛି। ହେଲେ ପ୍ରଚାର ମଇଦାନରେ ନବୀନଙ୍କୁ ଟକ୍କର ଦେବା ପାଇଁ ରାଜ୍ୟ ବିଜେପିରେ ନେତା ନାହାନ୍ତି। ଏଣୁ ୨୦୧୯ ନିର୍ବାଚନରେ ଅପରାଜିତା ରାଜ୍ୟ ବିଜେପିର ପୋଷ୍ଟରଗାର୍ଲ ସାଜି ପାରନ୍ତି ବୋଲି କୁହାଯାଉଛି।

Comment