ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାରେ ବିହାର ରତନ ଠାକୁର ସହିଦ ହୋଇଛନ୍ତି। ଯେତେବେଳେ ତାଙ୍କ ଘରେ ମୃତ୍ୟୁ ଖବର ପହଞ୍ଚିଥିଲା ଘର କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା। ସ୍ୱାମୀର ମୃତ୍ୟୁ ଖବର ପାଇ ତଳେ ଲୋଟି ପଡ଼ିଥିଲେ ସ୍ତ୍ରୀ। ଆଉ ପାଖରେ ଥିବା ୪ ବର୍ଷର ନିର୍ବୋଧ ପୁଅ ଥିଲା ଅବାକ। ଏକ ମାତ୍ର ପୁଅକୁ ହରାଇ ଭୋ ଭୋ କରି କାନ୍ଦୁଥିଲେ ବାପା ନିରଞ୍ଜନ ଠାକୁର ଆଉ ମାଆ।

ବୀର ପୁଅକୁ ହରାଇ ଭାଗଲପୁର ଗାଁ ମାଟି ପୂରା ସ୍ତବ୍ଧ। ପୁଅକୁ ହରାଇବା ସତ୍ତ୍ୱେ ଦେଶପ୍ରତି ଥିବା ସମର୍ପଣ ଭାବନା ବ୍ୟକ୍ତ କରିଛନ୍ତି ନିରଞ୍ଜନ ଠାକୁର। ଯଦି ମୋର ଦ୍ୱିତୀୟ ପୁତ୍ର ଥା’ନ୍ତା ତାକୁ ବି ସେନାକୁ ପଠାଇଥାନ୍ତି। ଏଭଳି ନରସଂହାର ପାଇଁ ପାକିସ୍ତାନକୁ କଡ଼ା ଜବାବ ଦେବାକୁ କହିଛନ୍ତି ନିରଞ୍ଜନ। ସହିଦ ରତନ ଠାକୁରଙ୍କ ବାପାଙ୍କ କହିବା ଅନୁସାରେ, ପୁଅକୁ ପାଠ ପଢ଼ାଇ ମଣିଷ କରିବା ପାଇଁ ବହୁତ କଷ୍ଟ କରିଛି। ରାସ୍ତାରେ ଜୁସ୍ ବିକିବା ସହିତ କପଡ଼ା ମଧ୍ୟ ବୁଲିବୁଲି ବିକିଛି। ଆତଙ୍କବାଦୀମାନେ ମୋ ପୁଅର ଜୀବନ ନେଇଗଲେ, ଏବେ ସବୁ ସର୍ବନାଶ ହୋଇଗଲା।

ପୁଅ ଚାକିରି କରିବା ପରେ ଘରର ଅବସ୍ଥା ବଦଳିଥିଲା। କିନ୍ତୁ ପୁଅ ଏବେ ସହିଦ  ହେବା ପରେ କାହା ସାହାରାରେ ଚଳିବୁ କହିଛନ୍ତି ରତନଙ୍କ ବାପା। ସହିଦଙ୍କ ପତ୍ନୀଙ୍କ କହିଛନ୍ତି, ଗୁରୁବାର ଅପରାହ୍ନ ସାଢ଼େ ଗୋଟାଏ ସମୟରେ ଫୋନରେ ମୋ ସହିତ କଥା ହୋଇଥିଲେ। ଏବେ ଶ୍ରୀନଗର ଯାଉଛି ରାତିରେ କଥା ହେବି ବୋଲି କହିଥିଲେ। ମୁଁ ତାଙ୍କ ଫୋନକୁ ମଧ୍ୟ ଅପେକ୍ଷା କରିଥିଲି। ଯେତେବେଳେ ପୁଲୱାମାରେ ଆତଙ୍କୀ ହମଲା ହୋଇଥିବା ଖବର ଶୁଣିଲି ପ୍ରଥମେ ବିଶ୍ୱାସ କରିନଥିଲି କିନ୍ତୁ ଟିଭି ଦେଖିବାରୁ ଆକ୍ରମଣ ହୋଇଥିବା ସ୍ପଷ୍ଟ ହୋଇଥିଲି।

ସହିଦଙ୍କ ସ୍ତ୍ରୀ ୪ ମାସର ଗର୍ଭବତୀ:

ନିରଞ୍ଜନଙ୍କ କହିବା ଅନୁସାରେ ରତନଙ୍କ ପତ୍ନୀ ଗର୍ଭବତୀ ଥିଲେ। ରତନର ଚାରି ବର୍ଷର ପୁଅ ଥିବା କହିଛନ୍ତି ବାପା ନିରଞ୍ଜନ। ସେପଟେ ବାପା ସହିଦ ହୋଇଥିବା ଖବର ପୁଅକୁ ଜଣାନାହିଁ। ସହିଦ ଜାଣିନଥିବା ପୁଅ ବାପା ଡ୍ୟୁଟିରେ ଯାଇଛନ୍ତି ବୋଲି ଥିବା କହିଛି। ବାପା ହୋଲି ଛୁଟିରେ ଘରକୁ ଆସିଲେ ଖେଳଣା ଆଣିବେ ବୋଲି ପୁଅ କହୁଛି।

ଆତଙ୍କୀ ହମଲାରେ ସହିଦ ହୋଇଥିବା ଯବାନ ଦେଶର କୋଣ ଅନୁକୋଣରୁ ଆସି ଭାରତ ମାତାର ସେବା କରୁଥିଲେ। କେହି ଦୁଇ ଦିନ ପୂର୍ବରୁ ଘରକୁ ଫେରିଛି ତ ଆଉ କେହି ଘଟଣାର କିଛି ମିନିଟ ପୂର୍ବରୁ ପରିବାର ଲୋକଙ୍କ ସହିତ କଥା ହୋଇଛି। ଏସବୁ ଭିତରେ ଯାହା ସବୁ ସ୍ୱପ୍ନ ଥିଲା ତାର ଚୂରମାର ହୋଇଯାଇଛି। ସହିଦ ପରିବାର ସହ ଦେଶ ପାଇଁ ବଳିଦାନ ଦେଇଥିବା ଯବାନଙ୍କୁ ଆଜି ଭାରତ ମାଟି ଝୁରୁଛି।

Comment