ଓଡ଼ିଶାଲାଇଭ୍ ବ୍ୟୁରୋ

୪ ବର୍ଷର ଶିଶୁକୁ ସୁରକ୍ଷା ଦେବା ସହ ଜୀବନ ବଞ୍ଚାଇଲା ହାତୀ। ଏହି ଘଟଣାଟି ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ଜଲପାଇଗୁଡ଼ିରେ। ଯେପର୍ଯ୍ୟନ୍ତ ହାତୀ ପଲ ଯାଇନଥିଲେ ସେପର୍ଯ୍ୟନ୍ତ ଶୁଣ୍ଢ ସହିତ ଦୁଇ ଗୋଡ଼ ମଝିରେ ଶିଶୁକୁ ସୁରକ୍ଷିତ ରଖିଥିଲା ହାତୀ।
ଘଟଣାଟି ଥିଲା ଏହିପରି। ଜଙ୍ଗଲ ରାସ୍ତାରେ ଯାଉଥିଲାବେଳେ ଶିଶୁଟି ସ୍କୁଟରରୁ ଖସି ପଡ଼ିଥିଲା। ଆଉ ତାକୁ ଘେରି ଯାଇଥିଲେ ହାତୀପଲ। ଏହି ସମୟରେ ଶିଶୁ ବଞ୍ଚାଇବା ପାଇଁ ଆଗକୁ ଆସିଥିଲା ଏକ ହାତୀ। ଅନ୍ୟ ହାତୀଙ୍କ ଠାରୁ ଶିଶୁକୁ ସୁରକ୍ଷିତ ରଖିବା ପାଇଁ ଦୁଇ ଗୋଡ଼ ମଝିରେ ସୁରକ୍ଷିତ ଭାବେ ଧରି ରଖିଥିଲେ।

ଗରୁମାଡ଼ା ଜଙ୍ଗଲ ଦେଇ ଯାଇଥିବା ୩୧ନଂ ଜାତୀୟ ରାଜପଥରେ ୪ ବର୍ଷୀୟ ଆହ୍ୱାନା ନିଜ ପରିବାର ସହ ଯାଉଥିବା ସମୟରେ ଏହି ଘଟଣାଟି ଘଟିଛି। ଜଙ୍ଗଲରେ ଥିବା ଏକ ମନ୍ଦିରରେ ପୂଜାର୍ଚ୍ଚନା କରି ଫେରୁଥିଲେ ଆହ୍ୱାନ ଓ ତାଙ୍କ ପରିବାର। ଏହି ସମୟରେ ଜଙ୍ଗଲ ମଝି ରାଜପଥ ଦେଇ ହାତୀ ପଲ ଯାଉଥିବା ଦେଖି ତାଙ୍କ ବାପା ସ୍କୁଟରକୁ ଅଟକାଇ ଦେଇଥିଲେ। ହାତୀପଲ ଯାଇ ସାରିବା ପରେ ପୁଣି ଥରେ ସେ ଯାତ୍ରା ଆରମ୍ଭ କରିଥିଲେ।
ଠିକ୍ ଏହି ସମୟରେ ଜଙ୍ଗଲ ଭିତରୁ ଆଉ କିଛି ହାତୀ ରାସ୍ତା ଉପରକୁ ଚାଲି ଆସିଥିଲେ। ଯାହା ଦେଖି ଆହ୍ୱାନାଙ୍କ ବାପା ଜୋରରେ ବ୍ରେକ ମାରି ଦେଇଥିଲେ ଏବଂ ଆହ୍ୱାନା ସ୍କୁଟରରୁ ଖସି ପଡ଼ିଥିଲେ। ଏହି ସମୟରେ ହାତୀ ପଲର ଏକ ହାତୀ ଦ୍ରୁତ ଗତିରେ ଆସି ନିଜ ଦୁଇ ଗୋଡ଼ ମଝିରେ ଆହ୍ୱାନାଙ୍କୁ ସୁରକ୍ଷିତ ଭାବେ ଧରି ରଖିଥିଲେ। ହାତୀପଲ ରାସ୍ତା ପାରି ହେବା ପରେ ହାତୀଟି ଆହ୍ୱାନାଙ୍କୁ ସୁରକ୍ଷିତ ଛାଡ଼ି ଦେଇଥିଲା।


















