ଓଡିଶା ଲାଇଭ୍ ବ୍ୟୁରୋ

ଶିମିଳିପାଳ ଜାତୀୟଉଦ୍ୟାନ ସମଗ୍ର ବିଶ୍ଵରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଜାତୀୟଉଦ୍ୟାନ ମଧ୍ୟରେ ଥିବା ହସ୍ତୀପ୍ରକଳ୍ପ ଏବଂ ବ୍ୟାଘ୍ର ପ୍ରକଳ୍ପ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ଅଭୟାରଣ୍ୟରେ ବସବାସ କରୁଥିବା ବନ୍ୟଜନ୍ତୁ ଏବଂ ଶିମିଳିପାଳ ପାଦଦେଶରେ ବାସ କରୁଥିବା ବନବାସୀମାନଙ୍କ ମଧ୍ୟରେ ସମନ୍ୱୟର ଅଭାବ ଅନେକ ସମୟରେ ବନ୍ୟଜନ୍ତୁମାନଙ୍କର ସୁରକ୍ଷାରେ ବାଧା ସୃଷ୍ଟିକରିଥାଏ। ତା’ର ପ୍ରମୁଖ କାରଣ ହେଉଛି ଉଭୟ ଗୋଷ୍ଠୀଙ୍କୁ ପରିଚାଳନା ଦାୟିତ୍ଵରେ ଥିବା ସରକାରୀ ବିଭାଗ ମଧ୍ୟରେ ସମନ୍ୱୟର ଘୋର ଅଭାବ। ସେଥିପାଇଁ ଗତ କିଛି ବର୍ଷଧରି ମୟୂରଭଞ୍ଜ ଜିଲ୍ଲାରେ ହାତୀ ମଣିଷଙ୍କ ମଧ୍ୟରେ ଲଢ଼େଇ କ୍ରମଶଃ ବଢିବ।ରେ ଲାଗିଛି।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ବନ୍ୟଜନ୍ତୁମାନଙ୍କର ସୁରକ୍ଷାର ଅଭାବ ହେଉ କିମ୍ବା ଖାଦ୍ୟାଭାବ ଜନିତ ସମସ୍ୟା ହେଉ ଗତ କିଛି ବର୍ଷଧରି ଶିମିଳିପାଳ ଅଭୟାରଣ୍ୟରୁ ହାତୀମାନେ ଜଙ୍ଗଲବାହାରକୁ ବାହାରୁଥିବା ଦେଖାଯାଉଛି। ତା ସାଙ୍ଗକୁ ଝାଡ଼ଖଣ୍ଡର ଦଲମା ହସ୍ତୀପ୍ରକଳ୍ପରୁ ମଧ୍ୟ ଶହଶହ ସଂଖ୍ୟାରେ ହାତୀମାନେ ଆସି ମୟୂରଭଞ୍ଜ ଜିଲ୍ଲାରେ ବିଚରଣ କରିଥାନ୍ତି। ସେମାନଙ୍କ ପରିଚାଳନା ଦାୟିତ୍ୱ ସିଧାସଳଖ ବନବିଭାଗ ଦାୟିତ୍ୱରେ ରହୁଥିଲେ ମଧ୍ୟ ବିଦ୍ୟୁତ ବିଭାଗର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଥାଏ।

ଗତ କିଛି ବର୍ଷ ଧରି ଏହି ହାତୀମାନଙ୍କର ଜୀବନ ବିପନ୍ନ ହୋଇପଡୁଥିବା ଦେଖିବାକୁ ମିଳୁଛି। କେତେବେଳେ ଶିକାରୀଗୁଳିରେ ତ କେତେବେଳେ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ହେଉ ହାତୀ ମରୁଥିବା ଦେଖିବାକୁ ମିଳୁଛି। ଏହିଭଳି ଏକ ଅଘଟଣ ଦେଖିବାକୁ ମିଳିଥିଲା ଗତ ୧୪ ତାରିଖ ଦିନ ସନ୍ଧ୍ୟାରେ।  ବାରିପଦା ବନଖଣ୍ଡ ଅନ୍ତର୍ଗତ ଦେଉଳି ରେଞ୍ଜରେ ସୋନାପୋଷୀ ଗ୍ରାମ୍ୟ ଜଙ୍ଗଲ ନିକଟରେ ଏକ ଦନ୍ତାହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିଲା।

ଏହି ଘଟଣାପରେ ଏବେ ବାରିପଦାର ବନବିଭାଗ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଘଟଣାସ୍ଥଳରେ ୧୧ କେଭି ବିଦ୍ୟୁତ ତାର ଖୁବ ସ୍ଵଳ୍ପ ଉଚ୍ଚତାରେ ଟଣା ଯାଇଥିବା ଯୋଗୁଁ ଏହି ଅଘଟଣ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହୁଛନ୍ତି। ତେବେ ଏହି ଦିନ ଅଘଟଣ ଘଟିବାର କିଛି ଘଣ୍ଟା ପୂର୍ବରୁ ଦେଉଳି ବନାଞ୍ଚଳର କର୍ମଚାରୀମାନେ ସଂପୃକ୍ତ ଅଞ୍ଚଳରେ ହାତୀ ବିଚରଣ କରୁଥିବାରୁ ବିଦ୍ୟୁତକାଟ କରିବାକୁ ନେସ୍କୋ ଅଧିକାରୀଙ୍କୁ ସୂଚନା ପ୍ରଦାନ କରିଥିବା କଥା କହିଛନ୍ତି। ତେବେ ବିଦ୍ୟୁତ କାଟ ହୋଇ ନଥିବାରୁ ଏହି ଦନ୍ତାହାତୀଟି ଉଚ୍ଚଶକ୍ତ ସମ୍ପନ୍ନ ବିଦ୍ୟୁତ ତାରକୁ ଶୁଣ୍ଢରେ ଧରିବା ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା।

ଏହାପରେ ଉଭୟ ବନବିଭାଗ ଏବଂ ବିଦ୍ୟୁତବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ମାତ୍ର ବନବିଭାଗ ନେସ୍କୋ ବିଭାଗ ଉପରେ ଦୋଷାରୋପ କରି ନିଜକୁ ଦୋଷମୁକ୍ତ କରୁଥିବା ବେଳେ ବିଦ୍ୟୁତ ବିଭାଗର କର୍ତ୍ତୃପକ୍ଷ ସେ ଅଞ୍ଚଳର କାର୍ଯ୍ୟରତ କନିଷ୍ଠଯନ୍ତ୍ରୀଙ୍କୁ ନିଲମ୍ବିତ କରି ନିଜ ଦାୟିତ୍ଵ ନିଭାଇଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ମୟୂରଭଞ୍ଜ ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ନୂଆ କଥା ନୁହେଁ। ମାତ୍ର ଦୁର୍ଭାଗ୍ୟର ବିଷୟ କେତେବେଳେ ଫରେଷ୍ଟ ଗାର୍ଡ ତ ଆଉ କେତେବେଳେ କନିଷ୍ଠ ଯନ୍ତ୍ରୀଙ୍କ ମୁଣ୍ଡରେ ଚୋଟ ପକାଇ ଉଭୟ ବିଭାଗର ବଡ଼ପଣ୍ଡାମାନେ ଚୁପ ଚାପ ବସିପଡିଥାନ୍ତି। ପରିସ୍ଥିତି କ୍ରମଶଃ ଶାନ୍ତ ପଡିଯାଏ। ପୁଣି ଯେଉଁ କଥାକୁ ସେଇ କଥା। କାରଣ ଏହା ପୂର୍ବରୁ ବି ଅନେକ ଥର ହାତୀ ବିଦ୍ୟୁତ ଅ।ଘାତରେ ମରିଛନ୍ତି।

ବିଗତ ବର୍ଷରେ ମଧ୍ୟ ବେତନଟୀ ରେଞ୍ଜରେ ଦନ୍ତାହାତୀ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିଲା। ତଥାପି ଉଭୟ ବିଭାଗର ନିଦ ଭାଙ୍ଗୁନାହିଁ। ହାତୀମାନଙ୍କର ସୁରକ୍ଷା ପାଇଁ ସରକାର ପ୍ରୋଜେକ୍ଟ ଏଲିଫେଣ୍ଟ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତୃଣମୂଳ ସ୍ତରରୁ ଅନ୍ତଃରାଜ୍ୟ ପର୍ଯ୍ୟନ୍ତ ବୈଠକରେ ଅନେକ ଚର୍ଚ୍ଚା ଚାଲୁଛି, ମାତ୍ର ତାହା ସରକାରୀ ନାଲି ଫିତାରୁ ମୁକ୍ତ ହୋଇପାରୁନାହିଁ। ଏବେ ବି ହାତୀମାନେ ଅସୁରକ୍ଷିତ। ହାତୀ କରିଡର କୁହାଯାଉଥିବା ରାସ୍ତା ଆଜି ବି ନିରାପଦ ନୁହେଁ। ଅନେକ ସ୍ଥାନରେ ଏବେ ବି ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଠିକ୍ ଉଚ୍ଚତାରେ ନାହିଁ। ଅପରପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ଅନେକ ଅଞ୍ଚଳରେ ହାତୀମାନେ ଏବେ ବର୍ଷ ତମାମ ବିଚରଣ କରୁଥିବାରୁ ତାହା ସ୍ଥାନୀୟ ବାସିନ୍ଦାମାନଙ୍କୁ ବହୁତ ସମସ୍ୟା ଭିତରକୁ ଟାଣି ନେଉଛି। ହାତୀ ବିଚରଣ ନାମରେ ସେ ଅଞ୍ଚଳରେ କ୍ରମାଗତ ବିଦ୍ୟୁତକାଟ ସମସ୍ୟାକୁ ଲୋକେ ବି ଗ୍ରହଣ କରିବା ସମ୍ଭବନୁହେଁ, ଯାହା ବିଦ୍ୟୁତ ବିଭାଗ ପାଇଁ ଅ।ଉ ଏକ ସମସ୍ୟା। ମାତ୍ର ଏହାକୁ ନେଇ ପରିବେଶବିତମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେଥିପାଇଁ ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟର ଆବଶ୍ୟକତା ଯେତିକି ଜରୁରୀ, ଉଚ୍ଚପଦାଧିକାରୀମାନଙ୍କ ଉତ୍ତରଦାୟିତ୍ଵ ମଧ୍ୟ ସେତିକି ଅପରିହାର୍ଯ୍ୟ।

Comment