ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବରଦସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୨୦୧୯ ନିର୍ବାଚନରେ ଚାଷୀଙ୍କ ଭୋଟ ପାଇବା ପାଇଁ ଚଳିତ ବଜେଟ୍‌ରେ ଚାଷୀଙ୍କୁ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର। ଚାଷୀମାନଙ୍କୁ ସର୍ବନିମ୍ନ ଆୟ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପ୍ରଧାନମନ୍ତ୍ରି କିଷାନ ଯୋଜନା ଘୋଷଣା କରିଥିଲେ।

ଏହି ଯୋଜନା ଅନୁଯାୟୀ ମୋଦି ୨୪ ଫେବ୍ରୁଆରିରେ ଉତ୍ତର ପ୍ରଦେଶର ଗୋରଖପୁରରେ କୃଷକଙ୍କ ପ୍ରଥମ ପର୍ଯ୍ୟାୟ ଟଙ୍କା ଦେବାକୁ ଯାଉଛନ୍ତି। ଗୋରଖପୁରରେ ବିଜେପିର ରାଷ୍ଟ୍ରୀୟ କୃଷକ ସମ୍ମିଳନୀରେ ଦେଶର ୧୨ କୋଟି କୃଷକଙ୍କ ଖାତାକୁ ମୋଦି ୨ ହଜାର ଟଙ୍କା ଟ୍ରାନ୍ସଫର କରିବେ।

କୃଷକଙ୍କ ଖାତାକୁ ୨ ହଜାର ଟଙ୍କା ଦେବାକୁ କେନ୍ଦ୍ର ସରକାର ଏନ୍‌ପିସିଆଇକୁ ନିର୍ଦେଶ ଦେଇଥିଲେ। ଏନ୍‌ପିସିଆଇ ଅନୁସାରେ ୨୨ ଫେବ୍ରୁଆରିରେ କୃଷକଙ୍କୁ ଏହି ଯୋଜନା ସମ୍ପର୍କରେ ସୂଚନା ଦିଆଯିବ। ଏବଂ ୨୪ ଫେବ୍ରୁଆରିରେ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ।

ଏହି ଯୋଜନା ଅଧିନରେ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଛୋଟ ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ତିନୋଟି କିସ୍ତିରେ ୨ ହଜାର ଟଙ୍କା କରି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ। ଏଥିପାଇଁ କେନ୍ଦ୍ର ସରକାର ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

Comment