ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଅପରାଧର କିଙ୍ଗପିନ୍‌ କୁହାଯାଉଥିବା ଗ୍ୟାଙ୍ଗଷ୍ଟର ଲିଟୁ ଓରଫ ଦେବୀ ପ୍ରସାଦ ଦାସ ସୋମବାର ପୋଲିସ୍‌ ହାତରେ ଧରାପଡ଼ିଛି। ଫେବ୍ରୁଆରି ୨୨ ତାରିଖରେ ଲିଟୁ ତା’ର ପୁରୁଣା ଅପରାଧୀକ ସହଯୋଗୀ ମାର୍ଶାଘାଇ ଥାନା ଅନ୍ତର୍ଗତ ଧନିଆପଡ଼ା ଗାଁର ସାଜନ ବେହେରା ଘର ଉପରକୁ ଫାଙ୍କା ଗୁଳି ଚଳାଇ ଫେରାର ଥିଲା। ଏନେଇ ସାଜନ ପୋଲିସ୍‌ରେ ଅଭିଯୋଗ କରିଥିଲେ।  ସାଜନର ଅଭିଯୋଗରେ ମାର୍ଶାଘାଇ ପେଲିସ ଲିଟୁର ପିଛାକରି ଆସୁଥିଲା। ସୋମବାର ଭୋର ପ୍ରାୟ ସାଢ଼େ ୩ଟା ବେଳେ ବୌଦ୍ଧ – ତିଖିରୀ ରାସ୍ତାରେ ପୋଲିସ ସହିତ ଲିଟୁର ସାମ୍ନାସାମ୍ନି ହୋଇ ଏନକାଉଣ୍ଟରର ଶିକାର ହୋଇଛି ଲିଟୁ।

ଲିଟୁ ଦାସର ଘର ମାର୍ଶାଘାଇ ଥାନା ଅନ୍ତର୍ଗତ ଗରଜଙ୍ଗା ଗାଁରେ ଦୀର୍ଘ ଦିନ ହେଲା ଲିଟୁ ଗ୍ୟାଙ୍ଗଷ୍ଟର ଟିଟୋ ବିରୋଧରେ ଏକ ଅପରାଧୀକ ଗ୍ୟାଙ୍ଗ ଗଠନ କରି ଅପରାଧ ଘଟାଇ ଆସୁଥିଲା। ଲିଟୁ ଓ ତା’ର ଗ୍ୟାଙ୍ଗ ବହୁ ହତ୍ୟା ଅଭିଯୋଗର ଅଭିଯୁକ୍ତ ଅଛନ୍ତି। ମାର୍ଶାଘାଇର ନିମାଇଁ ସାହୁ, ଅଶ୍ୱଜିତ ସାହୁ, ମନୋଜ ସେଠି ଓ କେଦାର ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଲିଟୁ ଅଭିଯୁକ୍ତ ଅଛି। ଏହାଛଡ଼ା ଲିଟୁ ଦାଦା ବଟି ଆଦାୟ, ରାହାଜାନୀ, ଛିନ୍ତାଇ, ବୋମା ମାଡ଼, ହତ୍ୟା ଉଦ୍ୟମ ଆଦି ଘଟଣାରେ ଅଭିଯୁକ୍ତ ଥିବା କେନ୍ଦ୍ରାପଡ଼ା ଏସପି ନିତିଶେଖର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଲିଟୁ ନାମରେ କେନ୍ଦ୍ରପଡ଼ା ଜିଲ୍ଲା ଛଡ଼ା ଜଗସିଂହପୁର, କଟକ, ଯାଜପୁର, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାରେ ଅପରାଧଧୀକ ମାମଲା ରହିଛି। ଗତ ୨ ବର୍ଷରୁ ଅଧିକ ହେବ ଲିଟୁ ଜଗସିଂହପୁର ଜିଲ୍ଲା ପୋଲିସ ହାତରେ ଧରାପଡ଼ି ଜଗସିଂହପୁର ଜିଲ୍ଲାର ସମାଗୋଳ ଜେଲ ହାଜତରେ ରହି ଜାମିନିରେ ଖଲାସ ମଧ୍ୟ ହୋଇଥିଲା।

ଲିଟୁର ଗ୍ୟାଙ୍ଗର ପୁରଣା ସହଯୋଗୀ ଧନିଆପଡ଼ା ଗାଁର ସାଜନ ବେହେରାର ଘର ଉପରକୁ ଗତ ୨୨ ତାରିଖ ରାତିରେ ଫାଙ୍କା ଗୁଳି ଫୁଟାଇ ଫେରାର ହୋଇଥିଲା ଲିଟୁ। ସାଜନ ସହିତ ଲିଟୁର ପୁରଣା ହିସାବ କିତାବ ନେଇ ଟଙ୍କା ପଇସା ଦେଣନେଣ ପାଇଁ ବଚସା ହୋଇଥିଲା। ଲିଟୁ ଗିରଫ ହେବା ପରେ ଲିଟୁର ଅପରାଧୀକ ସାମ୍ରାଜ୍ୟରୁ ଫାଇଦା ନେଇ ସାଜନ ବହୁ ଅର୍ଥ କମାଇଥିବା ଲିଟୁ ସାଜନ ବିରୋଧରେ ଅଭିଯୋଗ କରି ସାଜନଠାରୁ ଟଙ୍କା ଦାବି କରୁଥିଲା। ସାଜନ ଲିଟୁକୁ ଟଙ୍କା ନଦେବାରୁ ଲିଟୁ ସାଜନକୁ ହତ୍ୟା କରିବାକୁ ଧମକ ଦେଇଥିଲା।  ସାଜନର ଅଭିଯୋଗ ପରେ ପୋଲିସ ଲିଟୁକୁ ଗିରଫ କରିବାକୁ ଚାରିଆଡ଼େ ଜାଲ ବିଛାଇଥିଲା। ଗତ ୨୩ ତାରିଖରେ ଲିଟୁର ସହଯୋଗୀ ପଟ୍ଟାମୁଣ୍ଡାଇ ଅଞ୍ଚଳର ରଞ୍ଜନ ଭୁୟାଁକୁ ଗିରଫ କରି କୋର୍ଟ ଚଲାଣ କରିଥିଲା।

ସୋମବାର ଲିଟୁ ପୁଣି ସାଜନ ଘର ଆଡ଼ୁ ବୌଦ୍ଧ ତିଖିରୀ ରାସ୍ତାରେ ଫେରୁଥିବା ଖବର ପାଇଥିଲା କେନ୍ଦ୍ରାପଡ଼ା ସ୍ପେଶାଲ ସ୍କ୍ୱାର୍ଡ ଓ ମାର୍ଶାଘାଇ ପୋଲିସ। ଏହି ରାସ୍ତା ମଝିରେ ଲିଟୁ ପୋଲିସ ହାବୁଡ଼ରେ ପଡ଼ିଥିଲା। ଲିଟୁ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଫାୟାର କରିଥିଲା। ପ୍ରଥମେ ପୋଲିସ ଲିଟୁ ଆଡ଼କୁ ଏକ ରାଉଣ୍ଡ ୱାର୍ଣ୍ଣିଙ୍ଗ ଗୁଳି ଫୁଟାଇଥିଲା। ହେଲେ ପୋଲିସ ଉରକୁ ଗୁଳି ଚଳାଇବାକୁ ପଛାଇନଥିଲା ଲିଟୁ। ଶେଷରେ ପୋଲିସ ଲିଟୁର ଗୋଡ଼କୁ ଲକ୍ଷକରି ଦୁଇ ରାଉଣ୍ଡ ଗୁଳି ଫୁଟାଇବାରୁ ଟଳି ପଡ଼ିଥିଲା ଲିଟୁ। ଲିଟୁର ଡାହାଣ ଗୋଡ଼ର ଆଣ୍ଠୁ ପାଖରେ ଆଘାତ ଲାଗିଛି। ପୋଲିସ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ ଡାକ୍ତରଖାନକୁ ସ୍ଥାନାନ୍ତର କରିଥିଲା। ଲିଟୁର ବନ୍ଧୁକ ଓ ବାଇକକୁ ପୋଲିସ ଜବତ କରିଛି।

Comment