ଓଡ଼ିଶାଲାଇଭ୍ ବ୍ୟୁରୋ

ମାତ୍ର ୧୫ ମିନିଟରେ ଫିଲ୍ମ ଷ୍ଟାଇଲ୍‌ରେ ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାରେ ପୂର୍ଣ୍ଣଛେଦ ପକାଇଲା ପୋଲିସ।

ଶୀତୁଆ ସକାଳ। ପୂରା ପରିବେଶକୁ ଘୋଡ଼େଇ ରଖିଥିଲା କୁହୁଡ଼ିର ଚାଦର। ସୂର୍ଯ୍ୟ ଉଦୟ ହୋଇ ନଥିଲେ କି ଲୋକେ ବିଛଣା ଛାଡ଼ି ନଥିଲେ। ଏହି ସମୟରେ ହାଇଦ୍ରାବାଦ ସାଦନଗରର ଚେତନାପଲ୍ଲୀ ଓଭରବ୍ରିଜ ନିକଟରେ ଶୁଭିଥିଲା ଗୁଳି ଶବ୍ଦ। ଖବର ଆସିଲା ପୋଲିସ ଏନ୍‌କାଉଣ୍ଟରରେ ୪ ଦୁଷ୍କର୍ମକାରୀ ପୂରା ସଫା ହୋଇଯାଇଛନ୍ତି।

ଏହି ଖବରଟି ପୂରା ଫିଲ୍ମ କାହାଣୀ ପରି ଲାଗୁଛି। ହେଲେ ଏହା କୌଣସି ହିନ୍ଦୀ କିମ୍ବା ସାଉଥ୍‌ ଫିଲ୍ମର କାହାଣୀ ନୁହେଁ। ହାଇଦ୍ରାବାଦର ୪ ଦୁଷ୍କର୍ମକାରୀଙ୍କୁ ପୋଲିସ ପୂରା ଫିଲ୍ମ ଷ୍ଟାଇଲ୍‌ରେ ହିଁ ଏନ୍‌କାଉଣ୍ଟର କରିଥିବା କୁହାଯାଉଛି। ଗଣଦୁଷ୍କର୍ମର ମାତ୍ର ୧୦ ଦିନରେ ମାମଲା ଥଣ୍ଡା ପଡ଼ି ଯାଇଛି। ଯେଉଁ ଦୁଷ୍କର୍ମକାରୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହେଉଥିଲା ତାହା ଆଜି ପୋଲିସ ଏନ୍‌କାଉଣ୍ଟରରେ ପୂର୍ଣ୍ଣଛେଦ ପଡ଼ିଛି।

ହାଇଦ୍ରାବାଦରେ ଶୁକ୍ରବାର ଯାହା ଘଟିଲା ତାହା ବୋଧହୁଏ ଲୋକେ ଫିଲ୍ମରେ ଦେଖିଥିବେ। ହେଲେ ହାଇଦ୍ରାବାଦ ପୋଲିସ ରିଲ୍‌ ଲାଇଫ୍‌ର ଘଟଣାକୁ ରିୟଲରେ କରି ଦେଖାଇଛି। ପୋଲିସ ଆଜି ହିରୋ ପାଲଟି ଯାଇଛି।

ଅନ୍ଧାର ରାତିରେ ଏନ୍‌କାଉଣ୍ଟର!

ଗତ ୨୭ ତାରିଖରେ ହାଇଦ୍ରାବାଦର ଏହି ଲୋମଟାଙ୍କୁରା ଘଟଣା ସାରା ଦେଶକୁ ହଲ୍‌ଚଲ୍‌ କରି ଦେଇଥିଲା। ଜଣେ ମହିଳା ପଶୁଡାକ୍ତରଙ୍କୁ ୪ ପିଶାଚ ଗଣଦୁଷ୍କର୍ମ କରିବା ସହ ଜିଅନ୍ତା ଜାଳି ଦେବା ଭଳି ଘଟଣାରେ ପୂରା ଦେଶ ସ୍ତବ୍ଧ ହୋଇଯାଇଥିଲା। ୨୯ରେ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ କଠୋର ଦଣ୍ଡ ପାଇଁ ବିଭିନ୍ନ ମହଲରୁ ଚାପ ପଡ଼ିଥିଲା। ସରକାର ଏବଂ ପୋଲିସ ପ୍ରଶାସନ ଏହି ଗଣଦୁଷ୍କର୍ମ ଓ ହତ୍ୟାକୁ ନେଇ ନାକେଦମ ହୋଇଯାଇଥିଲେ।

ଡିସେମ୍ବର ୪ରେ ୪ ଅଭିଯୁକ୍ତଙ୍କୁ ପୋଲିସ ରିମାଣ୍ଡରେ ଆଣିଥିଲା। ଗତ ଦୁଇ ଦିନ ଧରି ଅଭିଯୁକ୍ତଙ୍କୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା ପୋଲିସ। ଶେଷରେ ଡେମୋ ଦେଖାଇବା ପାଇଁ ପୋଲିସ ଏହି ୪ ଅଭିଯୁକ୍ତଙ୍କୁ ଚେତନାପଲ୍ଲୀ ଓଭରବ୍ରିଜ ନିକଟକୁ ଆଣିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ଏଥିପାଇଁ ୧୦ ଜଣ ପୋଲିସ ଅଫିସରଙ୍କୁ ନେଇ ଟିମ୍‌ ଗଠନ ହୋଇଥିଲା। ଏହି ଟିମ୍‌ର ନେତୃତ୍ୱ ନେଇଥିଲେ ପୋଲିସ କମିସନର ଭି ସି ସଜ୍ଜନାର। ରାତି ୩ଟାରୁ ୪ ଅଭିଯୁକ୍ତଙ୍କୁ ନେଇ ପୋଲିସ ଟିମ୍‌ ଚେତନାପଲ୍ଲୀ ଅଭିମୁଖେ ବାହାରିଥିଲା।

ଘଟଣାସ୍ଥଳରେ ପହଞ୍ଚିବା ପରେ ଡେମୋ ଦେଖାଇବା ପାଇଁ ପୋଲିସ ଅଭିଯୁକ୍ତଙ୍କୁ କହିଥିଲା। ହେଲେ ସେତେବେଳେ ଅଭିଯୁକ୍ତଙ୍କ ହାତରେ ହ୍ୟାଣ୍ଡକପ୍‌ ନଥିଲା। ଏହି ମଉକାରେ ଅନ୍ଧାର ରାତିରେ ଅଭିଯୁକ୍ତ ଖସିଯିବା ପାଇଁ ଉଦ୍ୟମ କରିଥିଲେ। ଏପରିକି ପୋଲିସ ଉପରକୁ ପଥର ଫିଙ୍ଗିଥିଲେ। ୪ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ପୋଲିସ ପାଖରୁ ବନ୍ଧୁକ ଛଡ଼ାଇ ନେଇ ଦୌଡ଼ିବାକୁ ଲାଗିଲେ। ପୋଲିସ ବି ତାଙ୍କ ପିଛା କରିଥିଲା।

ଆତ୍ମସମର୍ପଣ କରିବାକୁ ପୋଲିସ କହିଥିଲା। ହେଲେ ଅଭିଯୁକ୍ତ ତା ନଶୁଣି ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିବା ପୋଲିସ କହିଛି। ଏହାର ଜବାବରେ ପୋଲିସ ସେମାନଙ୍କୁ ଗୁଳି ମାରିଥିଲା। ଫଳରେ ଅଭିଯୁକ୍ତ ସେଇଠି ଟଳି ପଡ଼ିଥିଲେ।

ଏହି ଘଟଣା ପରେ ପୟକମିସନର ସଜ୍ଜନାର ହିରୋ ପାଲଟି ଯାଇଛନ୍ତି। ଏହି ସଫଳତା ପାଇଁ ପୋଲିସ ଉପରେ ଲୋକେ ଫୁଲ ବର୍ଷା କରିବାକୁ ଭୁଲି ନାହାନ୍ତି। ଏହି ଖବର ପ୍ରଚାରିତ ହେବା ପରେ ହାଇଦ୍ରାବାଦ ପୋଲିସର ସବୁଠି ପ୍ରଶଂସା ଶୁଣିବାକୁ ମିଳୁଛି।

ଏନ୍‌କାଉଣ୍ଟର ସମ୍ପର୍କରେ ନିଜେ ପୋଲିସ କମିସନର ସାମ୍ବାଦିକ ସମ୍ମିଳନୀ କରି ପୂରା କାହାଣୀ ବଖାଣିଛନ୍ତି। କମିସନରଙ୍କ କାହାଣୀ ଶୁଣି ଲୋକେ ତାମିଲ ଫିଲ୍ମ ‘ଥେରୀ’ କଥାକୁ ମନେପକାଇଛନ୍ତି। ଏହି ଫିଲ୍ମଟି ଏକ ଦୁଷ୍କର୍ମ କାହାଣୀକୁ ନେଇ ଗତିଶୀଳ ହୋଇଥିଲା। ଫିଲ୍ମର ହିରୋ ବିଜୟ ପୋଲିସ ଭୂମିକାରେ ଅଭିନୟ କରିଥିଲେ। ଶେଷରେ ସେ ଦୁଷ୍କର୍ମକାରୀଙ୍କୁ କଡ଼ା ଦଣ୍ଡ ଦେଇଥିଲେ।

Comment