ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଗତ କିଛି ଦିନ ଧରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ କଂଗ୍ରେସ ଟିକେଟ ଆଶାୟୀଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଯଦିଓ ଦଳର କେନ୍ଦ୍ରୀୟ ସ୍କ୍ରିନିଂ କମିଟି ବିଭିନ୍ନ ଜିଲ୍ଲା ଗସ୍ତ କରି ସମ୍ଭାବ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା କାମରେ ଲାଗିଛନ୍ତି, ନିରଞ୍ଜନଙ୍କ ନୟାପଲ୍ଲୀ ବାସଭବନରେ କିନ୍ତୁ ଦୈନନ୍ଦିନ ଶହ ଶହ ପ୍ରାର୍ଥୀ ଲାଇନ ଲଗାଇଥିବା ଦେଖା ଯାଉଛି। ଟିକେଟ ପାଇଁ ଏଭଳି ଲବି ଆଗରୁ କେବେ ଦେଖା ଦେଇନଥିଲା।
ଲବି କାମ ଦେବନି
ଟିକେଟ ଆଶାୟୀମାନେ ଅସନ୍ତୁଷ୍ଟ ହେବାର କାରଣ ଅଧିକାଂଶ ନେତାଙ୍କୁ ସ୍କ୍ରିନିଂ କମିଟି ଭେଟିବାର ସୁଯୋଗ ନଦେବା। କମିଟିର କେନ୍ଦ୍ର ନେତାମାନେ ଯେଉଁ ସାକ୍ଷାତକାର କରୁଛନ୍ତି ସେଥିରେ ଅନେକ ସମ୍ଭାବ୍ୟ ପ୍ରାର୍ଥୀ ବାଦ ପଡ଼ିଯାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଗୋଟିଏ ଗୋଟିଏ ନିର୍ବାଚନ ମଣ୍ଡଳୀ ପାଇଁ କମିଟି ମାତ୍ର ଦୁଇ ତିନି ଜଣଙ୍କୁ ଭେଟୁଥିବା କୁହାଯାଉଛି ଯେତେବେଳେ କି ଅଗ୍ରହୀଙ୍କ ସଂଖ୍ୟା ଢେର ଅଧିକ।
ଇତି ମଧ୍ୟରେ ନିରଞ୍ଜନ ସ୍ପଷ୍ଟ କରିଦେଇଛନ୍ତି ଯେ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ଲବି ଆଦୌ କାମ ଦେବ ନାହିଁ। ତାଙ୍କ କହିବା ଅନୁଯାୟୀ ଯିଏ ଜିତିବାର ସମ୍ଭାବନା ରହିଛି ତାଙ୍କୁ ହିଁ ଟିକେଟ ମିଳିବ। ସ୍କ୍ରିନିଂ କମିଟିର ଦୁଇ ନେତା ଭିଡି ସତୀଶ ଓ ନୌଷଦ ସୋଲାଙ୍କି ବିଭିନ୍ନ ଜିଲ୍ଲାରେ କଂଗ୍ରେସର ସ୍ଥାନୀୟ ନେତାଙ୍କୁ ଭେଟିବା ସହ ପ୍ରାର୍ଥୀଙ୍କ ବିଷୟରେ ସବୁ ସୂଚନା ସଂଗ୍ରହ କରିଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ଜଣେ ପଦାଧିକାରୀ।
ଛତିଶଗଡ଼ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହଦେଓ ଯାହାଙ୍କୁ ଏବେ ଅସ୍ଥାୟୀ ଭାବରେ ଓଡ଼ିଶାର ଦାୟିତ୍ୱ ଦିଆଯାଇଛି ସେ କହିଛନ୍ତି ଯେ ନବୀନ ପଟ୍ଟନାୟକଙ୍କ ସରକାର ବିରୁଦ୍ଧରେ ଯେଉଁ ଜନ ଅସନ୍ତୋଷ ପ୍ରକାଶ ପାଇଛି ତାହା କଂଗ୍ରେସକୁ ଫାଇଦା ଦେବ। ଏହି ନିର୍ବାଚନରେ କଂଗ୍ରେସ ଏକ ଦୃଢ଼ ବିକଳ୍ପ ଭାବରେ ଲୋକଙ୍କ ସାମ୍ନାରେ ଠିଆ ହେବ ବୋଲି କହିଛନ୍ତି ସିଂହଦେଓ।


















