ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ସେନା ଶିବିରକୁ ଟାର୍ଗେଟ କରି ଆଜି ସକାଳେ ପାକିସ୍ତାନର ଏଫ୍‌-୧୬ ବିମାନ ଭାରତ ସୀମାରେ ଅନୁପ୍ରବେଶ କରିଥିଲା। ଭାରତୀୟ ବାୟୁସେନାର ମିଗ୍‌-୨୧ ଏହାର ଜବାବ ଦେଇଥିଲା। କିନ୍ତୁ ଦୁଃର୍ଭାଗ୍ୟବସତ ଏହି ବିମାନ କ୍ରାସ୍ ହୋଇଯାଇଛି। ପାକିସ୍ତାନ ସେନା ନିଖୋଜ ବାୟୁସେନାର ପାଇଲଟ୍‌ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି।

ଏହାକୁ ନେଇ ପାକିସ୍ତାନ ଏକ ଭିଡିଓ ମଧ୍ୟ ଜାରି କରିଛି। ଯେଉଁ ଭିଡିଓରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ରହିଥିବା ପାକ୍‌ ସେନା ଦାବି କରୁଛି। ଏହି ଭିଡିଓରେ ବ୍ୟକ୍ତି ଜଣକ କହୁଛନ୍ତି, “ମୋ ନାଁ ୱିଙ୍ଗ କମାଣ୍ଡର ଅଭିନନ୍ଦନ। ମୋ ସର୍ଭିସ ନମ୍ବର ହେଉଛି ୨୭୯୮୧। ମୁଁ ଜଣେ ପାଇଲଟ୍‌। ମୋ ଧର୍ମ ହେଉଛି ହିନ୍ଦୁ।” କିନ୍ତୁ ପାକିସ୍ତାନର ଦାବି ଉପରେ ତଦନ୍ତ ଜାରି ରହିଛି।

ତେବେ ୨୦ ବର୍ଷ ପୂର୍ବେ କାଲଗିଲ ଯୁଦ୍ଧ ସମୟରେ ପାକିସ୍ତାନ ଭାରତର ଏକ ଫାଇଟର ପାଇଲଟକୁ ଗିରଫ କରିବାରେ ସଫଳ ହୋଇଥିଲା। ୩ ଜୁନ୍‌ ୧୯୯୯ କାରଗିଲ ଯୁଦ୍ଧରେ ଆଇଏଏଫର ଫାଇଟର ପାଇଲଟ ନଚିକେତାଙ୍କୁ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ‘ଅପରେସନ୍‌ ସଫେଦ୍‌ ସାଗର’ରେ ଏମ୍‌ଆଇଜି ୨୭ ଉଡ଼େଇବାର କାର୍ଯ୍ୟ ଦିଆଯାଇଥିଲା। ଏହି ସମୟରେ ନଚିକେତା ଆତଙ୍କବାଦୀଙ୍କଠାରୁ ପାଖାପାଖି ୧୭ ଫୁଟ ପାଖକୁ ଯାଇ ଆକ୍ରମଣ କରିଥିଲେ। କିନ୍ତୁ ଏହି ମଧ୍ୟରେ ତାଙ୍କ ବିମାନର ଇଞ୍ଜିନ୍‌ ଖରାପ ହୋଇଯାଇଥିଲା। ଯାହା ଫଳରେ ଇଞ୍ଜିନ୍‌ରେ ନିଆଁ ଲାଗିଯାଇଥିଲା।

ନଚିକେତା ବିମାନରୁ ସୁରକ୍ଷିତ ଭାବେ ବାହାରି ଗଲେ କିନ୍ତୁ ପିଓକେରେ ଫସି ଗଲେ। ପାକିସ୍ତାନୀ ସୈନିକ ନଚିକେତାଙ୍କୁ କବ୍‌ଜା କରି ନେଇଥିଲେ। ଏହାସହ ତାଙ୍କୁ ଶାରୀରିକ ମାନସିକ ଭାବେ ଅତ୍ୟାଚାର ମଧ୍ୟ କରିଥିଲେ। ଏହି ଖବର ପୂରା ଇଣ୍ଟରନ୍ୟାସନାଲ ମିଡିଆରେ ଖେଳି ଯାଇଥିଲା। ଏଥିପାଇଁ ପାକିସ୍ତାନ ସରକାର ଉପରେ ଅଧିକ ଚାପ ପଡ଼ିବା ପରେ ୮ ଦିନ ପରେ ପାକିସ୍ତାନୀ ଆର୍ମି ନଚିକେତାଙ୍କୁ ଇଣ୍ଟରନ୍ୟାସନାଲ କମିଟି ଅଫ ଦ ରେଡ କ୍ରସ୍‌କୁ ପଠାଯାଇଥିଲା। ଏହାପରେ ନଚିକେତାଙ୍କୁ ବାଘା ବର୍ଡର ରାସ୍ତାରେ ଭାରତ ପଠାଯାଇଥିଲା।

କାରଗିଲ ଯୁଦ୍ଧ ୨୬ ଜୁଲାଇ ୧୯୯୯କୁ ଶେଷ ହୋଇଥିଲା। ନଚିକେତାଙ୍କୁ ବାୟୁସେନା ମେଡାଲ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here