ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ବିଗତ ୫ ବର୍ଷ ଧରି ଉପକୂଳ ଓଡ଼ିଶାରେ ପଶିବା ପାଇଁ ବିଜେପି ଉଦ୍ୟମ କରି ଆସୁଥିଲେ ମଧ୍ୟ ଏହା ବିଶେଷ ଫଳ ଦେଉନାହିଁ।

ଉପକୂଳ ଓଡ଼ିଶାରେ ପହଞ୍ଚିବା ଲକ୍ଷ୍ୟ ନେଇ ବିଜେପି ଯେଉଁ ରଣନୀତି ପ୍ରସ୍ତୁତ କରିଛି ତାହାର ଅଂଶ ସ୍ୱରୂପ ଜଗତସିଂହପୁର ଜିଲ୍ଲା ଉପରେ ଦଳ ପକ୍ଷରୁ ବେଶ୍  ଗୁରୁତ୍ୱ ଦିଆଯାଇଆସିଛି। ୨୦୧୪ ମସିହାରୁ ଭୋଟ ହାତେଇବା ପାଇଁ ବିଜେପି ନେତାମାନେ କୌଣସି ଉଦ୍ୟମକୁ ହାତଛଡ଼ା କରିନାହାନ୍ତି। ହେଲେ ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ଦଳ ପାଇଁ ସମୟଗୁଡ଼ିକ ସେତିକି କଷ୍ଟକର ହେବାରେ ଲାଗିଛି।

ଏହି ୫ ବର୍ଷ ମଧ୍ୟରେ ଜଗତସିଂହପୁର ଜିଲ୍ଲାରେ ବିଜେପି ଯେତେସବୁ କାମ କରିଛି ତାହା ଅନ୍ୟ କୌଣସି ଦଳ କେନ୍ଦ୍ରରେ ଥିବା ବେଳେ କରିନଥିଲା। ବିଭିନ୍ନ ପ୍ରକାର ବିକାଶ କାର୍ଯ୍ୟକ୍ରମ ବ୍ୟତୀତ ପାରାଦୀପ ତୈଳ ବିଶୋଧନାଗାର ଓ ଆନୁସଙ୍ଗିକ ପ୍ରକଳ୍ପକୁ ଆଣିବାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନକୁ ଯେ କୌଣସି ବ୍ୟକ୍ତି  ସ୍ୱୀକାର କରିବେ। ତେବେ ଏହି ସବୁ ବିକାଶ କାର୍ଯ୍ୟକ୍ରମର ଫାଇଦା ଦଳ ଉଠାଇ ପାରିବ କି  ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଜଗତସିଂହପୁର ଜିଲ୍ଲାରେ ବିଜେପିର ଯେଉଁ ଦବଦବା ରହିବା କଥା ତାହା ବିଶେଷ ଆଖିରେ ପଡୁନାହିଁ।

ଏହି ଦୁଃସ୍ଥିତିର ଗୋଟିଏ ବଡ଼ କାରଣ ହେଉଛି ଜିଲ୍ଲାରେ ଦଳୀୟ ସଂଗଠନ ଏତେ ସୁଦୃଢ଼ ନୁହେଁ। ତାଛଡ଼ା ଦଳର ନେତାଙ୍କ ଭିତରେ କନ୍ଦଳ ଓ ଶକ୍ତିଶାଳୀ ନେତୃତ୍ୱ ନଥିବା ଯୋଗୁଁ ଦଳ ବିଶେଷ ଆଗେଇ ପାରୁନାହିଁ। ଜିଲ୍ଲାର ଗୋଟିଏ ଲୋକସଭା ଆସନ ଓ ୪ଟି ବିଧାନସଭା ଆସନରୁ ବିଜେପି କେତୋଟି ପାଇବ ତାହା ବର୍ତ୍ତମାନଠାରୁ ହିଁ ଅନୁମାନ କରି ହେବ।

ଗତ ବର୍ଷ ଫେବ୍ରୁଆରି ୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଭଳି ଜୋସର ସହ ପାରାଦୀପ ରିଫାଇନାରୀ ଉଦ୍‌ଘାଟନ କରିଥିଲେ ତାହା ପରଠାରୁ ଦଳ ଯେମିତି ମାଡ଼ି ଚାଲିବା କଥା ତାହା ହୋଇ ପାରିନାହିଁ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଚାରି ବର୍ଷ ମଧ୍ୟରେ ଯେତେ ସବୁ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି ଓ ଜଗତସିଂହପୁର ଜିଲ୍ଲା ଉପରେ ସେ ଯେମିତି ପ୍ରଭାବ ବିସ୍ତାର କରିଛନ୍ତି ତା’ ତୁଳନାରେ ଭୋଟ ଆଶାଜନକ ହେବା ଆଖିରେ ପଡୁନାହିଁ।

ଜିଲ୍ଲାର ଦୁଇ ତୃତୀୟାଂଶ  ଚାଷୀ ଓ ମହିଳା କହିଛନ୍ତି ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଜାଣୁଛନ୍ତ। ବିଶେଷକରି ଉଜ୍ଜଳା ଯୋଜନାରେ ମହିଳାମାନେ ବେଶ୍ ଉପକୃତ ହୋଇଥିବା ସ୍ୱୀକାର କରିଛନ୍ତି ଜିଲ୍ଲାର ଜଣେ ମହିଳା ନେତ୍ରୀ ସଂଘମିତ୍ରା ଜେନା। କିନ୍ତୁ ଦୁର୍ବଳ  ସଂଗଠନ ଯୋଗୁଁ ଭଲ କାମ ଲୁଚି ଯିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ବିଜେପି ଓବିସି ମୋର୍ଚ୍ଚାର ଉପସଭାପତି ଓ ବରିଷ୍ଠ ନେତା ନୃସିଂହ ସାହୁ ମାନିଛନ୍ତି ଯେ ଜିଲ୍ଲାରେ ତୃଣମୂଳ ସ୍ତରରେ ସଂଗଠନ ଏତେ ଜୋରଦାର ନୁହେଁ। ବିଜେପି ପାଇଁ ଆହୁରି ଏକ ସମସ୍ୟା ହେଉଛି କାଳିଆ ଭଳି ବିଭିନ୍ନ ଯୋଜନାରୁ ନାମ ବାଦ ପଡ଼ିଯିବା ଭୟରେ ବିଜେପିର କର୍ମୀମାନେ ଆଗକୁ ଆସୁନାହାନ୍ତି।

ବଡ଼ ବଡ଼ ଦଳୀୟ ସଭାରେ କର୍ମୀମାନେ ସକ୍ରିୟ ଭାଗ ନେବା ତ ଦୂରର କଥା ସେମାନେ ଆଦୌ ମିଟିଂକୁ ଯାଉ ନାହାନ୍ତି।

Comment