ଓଡ଼ିଶାଲାଇଭ୍‌ ବ୍ୟୁରୋ

ତାଳଚେରଠାରେ ଏମ୍‌ସିଏଲ୍ ସହାୟତାରେ ପ୍ରସ୍ତାବିତ ମହାନଦୀ ମେଡିକାଲ କଲେଜ ଏକାଡେମିକ ବ୍ଲକକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।। ଏହାସହ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ ଧର୍ମେନ୍ଦ୍ର।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଏମ୍‌ସିଏଲ ମେଡିକାଲ କଲେଜ ପ୍ରତିଷ୍ଠାରେ ରାଜ୍ୟ ସରକାର ବାଧକ ସାଜୁଛନ୍ତି। ମେଡିକାଲ କଲେଜ ନିର୍ମାଣ ପାଇଁ ମେଡିକାଲ କାଉନସିଲକୁ ଦରଖାସ୍ତ କରିବାକୁ ପଡ଼ିଥାଏ। ଏଥିପାଇଁ ସମସ୍ତ ଆନୁଷଙ୍ଗୀକ ବ୍ୟବସ୍ଥା ପୂରା ହେବା ଦରକାର। ମାତ୍ର ଆବଶ୍ୟକ ପ୍ରମାଣପତ୍ରରେ ସରକାର ଦସ୍ତଖତ କରି ନାହାନ୍ତି। ଏନେଇ କେନ୍ଦ୍ର ବାରମ୍ବାର ରାଜ୍ୟକୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନି।”

ଏମସିଏଲ୍‌ର କର୍ପୋରେଟ୍ ସାମାଜିକ ଦାୟିତ୍ୱ ବା ସିଏସଆର ଅଧୀନରେ ନିର୍ମିତ ଏହି ହସ୍ପିଟାଲ୍‌ ପ୍ରକଳ୍ପରେ ୪୯୩ କୋଟି ଟଙ୍କା ଖର୍ଚ୍ଚ ହେବ। ଆଗରୁ ସେଠାରେ ଥିବା ଏମସିଏଲ୍ ହସ୍ପିଟାଲ୍‌ର ଆଧୁନିକୀକରଣ କରାଯିବା ସହ ମେଡିକାଲ୍‌ କଲେଜ ପାଇଁ ନୂତନ କୋଠା ତିଆରି କରାଯାଇଛି। ମଙ୍ଗଳବାର ଦିନ ଲୋକାର୍ପିତ ହେଉଥିବା ଏହି ନୂତନ ନିର୍ମାଣ ଲାଗି ଏମସିଏଲ୍ ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଛି।

ଆଗରୁ ଏମସିଏଲ୍ ହସ୍ପିଟାଲ୍‌ରେ ୧୧୫ ଶଯ୍ୟା ରହିଥିବା ବେଳେ ପ୍ରସ୍ତାବିତ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍‌ରେ ୫୦୦ ଶଯ୍ୟା ରହିବ।

୨୦୧୫ ସେପ୍ଟେମ୍ବର ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏମସିଏଲରେ ଏହି ପ୍ରସ୍ତାବିତ ମେଡିକାଲ୍‌ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ସେତେବେଳେ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ଏବଂ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ।

୨୦୧୫ ମସିହା ଅଗଷ୍ଟ ମାସରେ ଏମସିଏଲ୍ ନିର୍ମାଣ କାର୍ଯ୍ୟ ଭାରତର ଅଗ୍ରଣୀ ରାଷ୍ଟ୍ରାୟତ ତଥା ନବରତ୍ନ କମ୍ପାନି ଏନବିସିସି ସହ ଚୁକ୍ତି ସ୍ୱାକ୍ଷର କରିଥିଲେ। ଏନବିସିସି ଏହି କାମ ୨୦୧୬ ମାର୍ଚ୍ଚ ମାସରୁ ଆରମ୍ଭ କରି ୨୦୧୮ ଏପ୍ରିଲ୍ ସୁଦ୍ଧା ଶେଷ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ଉଦ୍‌ଘାଟନ ହୋଇପାରିନଥିଲା। ୨୦ ଏକର ଜାଗା ଉପରେ ଏହି ନୂତନ ଭିତ୍ତିଭୂମି ତିଆରି କରାଯାଇଛି।

Comment