ଓଡ଼ିଶାଲାଇଭ୍‌ ବ୍ୟୁରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁରର ଏକ ପେଟ୍ରୋଲ୍‌ ପମ୍ପରେ ଡକାୟତି କରିବାକୁ ଉଦ୍ୟମ କରୁଥିବା ବେଳେ ୫ଜଣ କୁଖ୍ୟାତ ଡକାୟତ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ପୋଲିସ୍‌ ଦୁଇଟି ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ କରିଛି। ଗିରଫ ହୋଇଥିବା ଡକାୟତମାନଙ୍କ ନାମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ପୂର୍ବରୁ ଅପରାଧୀକ ମାମଲା ରହିଥିବା ପୋଲିସ କହିଛି।

ପୋଲିସ୍‌ ଏକ ଫୋନ୍‌କଲ୍‌ରୁ ସୂଚନା ପାଇଥିଲା ଯେ ପିତାବଳୀ ମନ୍ଦିର ପରିସରରେ ରହି ୫ଜଣ ଲୋକ ଡକାୟତି କରିବାକୁ ଯୋଜନା କରୁଛନ୍ତି। ସଙ୍ଗେସଙ୍ଗେ ସଦରଥାନା ଆଇଆଇସି ଓ ପୋଲିସ୍‌ ଫୋର୍ସ ସେହି ସ୍ଥାନକୁ ଘେରି ଯାଇଥିଲେ। ପୋଲିସ୍‌ ଆସିଯାଇଥିବା ଖବର ପାଇ ଜଣେ ଡକାୟତ ସେଠାରୁ ଖସି ଯିବା ସହ ଅନ୍ୟମାନେ ସର୍ତକ ହୋଇ ଲୁଚି ଯାଇଥିଲେ। ହେଲେ ପୋଲିସ ସେହି ସ୍ଥାନରେ ଖୋଜାଖୋଜି କରିବା ପରେ ଲୁଚିଥିବା ଅବସ୍ଥାରେ ୪ଜଣଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲେ।

ଗିରଫ ହୋଇଥିବା ଡକାୟତମାନେ ସମ୍ବଲପୁର କେନ୍‌ଘାଟିରେ ଥିବା ପେଟ୍ରୋଲ୍‌ପମ୍ପରେ ଡକାୟତି କରିବାକୁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିସାରିଥିଲେ। ହେଲେ ପୋଲିସ୍‌ ଏହି ଡକାୟତମାନଙ୍କ ସମସ୍ତ ଯୋଜନାକୁ ପଣ୍ଡ କରିଦେଇଥିଲା ବୋଲି କହିଛନ୍ତି ସମ୍ବଲପୁର ସଦର ଏସ୍‌ଡିପିଓ ଭବାନୀଶଙ୍କର ଉଦ୍‌ଗାତା।

ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର୍‌ ହୋଇଥିବା ଡକାୟତକୁ ବୁଧବାର ରାତିରେ ସମ୍ବଲପୁର ସାହୁକଲୋନୀରୁ ପୋଲିସ୍‌ର ସେସ୍ପାଲ ସ୍କ୍ୱାର୍ଡ ଗିରଫ କରିଛି। ଏବେ ପ୍ରଶ୍ନ ଉଠୁଛି, ଡକାୟତମାନଙ୍କ ପାଖରୁ ଜବତ ହୋଇଥିବା ଦୁଇଟି ବନ୍ଧୁକ ସେମାନେ କେଉଁଠାରୁ ଆଣିଲେ। ସମ୍ବଲପୁରରେ ଗତ କିଛିଦିନ ହେଲା ଚୋରାବନ୍ଧୁକ କାରବାର କମିଯାଇଥିବା ବେଳେ ଏବେ ପୁଣି ବରଗଡ଼, ସୋହେଲା, ଝାରସୁଗୁଡାରୁ ଚୋରା ବନ୍ଧୁକ ଚାଲାଣ ହେଉଥିବା ପୋଲିସ୍‌ ସନ୍ଦେହ କରିଛି।

ଏହି ଡକାୟତି ଉଦ୍ୟମ ଘଟଣାରେ କେବଳ ଏହି ୫ଜଣ ସଂପୃକ୍ତ ଥିଲେ ନା ଏମାନଙ୍କୁ ଅନ୍ୟ କେଉଁମାନେ ସହଯୋଗ କରୁଥିଲେ ତା’ର ମଧ୍ୟ ତଦନ୍ତ କରୁଛି ପୋଲିସ୍‌। ସଦରଥାନା ପୋଲିସ୍‌ର ସମୟୋଚିତ ପଦକ୍ଷେପ ଯୋଗୁଁ ଏକ ବଡ଼ଧରଣର ଡକାୟତି ଉଦ୍ୟମ ପଣ୍ଡ କରାଯାଇପାରିଛି। ଡକାୟତଙ୍କ ପାଖରୁ ଜବତ ବନ୍ଧୁକ ଆସିଲା କେଉଁଠୁ ଏନେଇ ପୋଲିସ୍‌ ଅଧିକ ତଦନ୍ତ କରୁଛି।

Comment