ଓଡ଼ିଶାଲାଇଭ୍ ବ୍ୟୁରୋ

ବୁଧବାର ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ଘଟିଥିବା ବିସ୍ଫୋରଣ ପରେ ସରକାରଙ୍କ ପକ୍ଷରୁ ଏନେଇ ପଦକ୍ଷେପ ନେବା ଆରମ୍ଭ ହୋଇଛି। ସହର ଭିତରେ ଥିବା ପେଟ୍ରୋଲ ପମ୍ପ ଦୁର୍ଘଟଣାରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ଓ କଟକ ସହରରେ ଏକାଧିକ ପେଟ୍ରୋଲ ପମ୍ପରେ ଏଲପିଜି ଭରିବା ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଏଗୁଡ଼ିକ ଗଳି କନ୍ଦିରେ ରହିଥିବାରୁ ଓ ଲୋକ ଭିଡ ଯୋଗୁଁ ଯେ କୌଣସି ସମୟରେ ଦୁର୍ଘଟଣା ଘଟିପାରେ ଏହା ଆଶଙ୍କା କରି ଏଲପିଜି ଟାଙ୍କି ଥିବା ସ୍ଥାନରେ ଅଧିକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା କିମ୍ୱା ସେଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦିଆଯାଇଛି।
ସରକାରଙ୍କ ପକ୍ଷରୁ ତିନୋଟି ଯାକ ତୈଳ କମ୍ପାନୀ ଯଥା- ଇଣ୍ଡିଆନ ଅଏଲ, ବିପିସିଏଲ ଓ ଏଚପିସିଏଲର ଆଞ୍ଚଳିକ ମୁଖ୍ୟମାନଙ୍କୁ ଏଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି। ବିନା ବିଳମ୍ବରେ ଏହି ଟାଙ୍କି ଗୁଡ଼ିକୁ ସହର ବାହାରକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏନେଇ ସମବାୟ ବିଭାଗର ସଚିବ ଭିଭି ଯାଦବ ତିନୋଟି ତୈଳ କମ୍ପାନୀ ଅଧିକାରୀଙ୍କ ସହ ଘନ ଘନ ବିଚାର ବିମର୍ଶ କରିଥିଲେ। ଯଥା ଶୀଘ୍ର ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ଏହି ଆଲୋଚନାରେ ଅଧିକାରୀମାନଙ୍କୁ କୁହାଯାଇଥିଲା। ସ୍ୱତନ୍ତ୍ର ରିଲିଫ କମିସନର ପିକେ ଜେନା ମଧ୍ୟ ଏହି ଆଲୋଚନା ବେଳେ ଉପସ୍ଥିତ ଥିଲେ। ପେଟ୍ରୋଲ ପମ୍ପ ଓ ଏଲପିଜି ଗ୍ୟାସ ଭରଣ ବ୍ୟବସ୍ଥା ପାଇଁ ଯାହା ସୁଵିଧା ଦରକାର ତାହା ଯୋଗାଇ ଦିଆଯିବ ବୋଲି ସମବାୟ ସଚିବ ପ୍ରତିଶ୍ରୁତି ଦେଇଥିଲେ।
ତେବେ ପେଟ୍ରୋଲ କିମ୍ଵା ଏଲପିଜି ପମ୍ପ ହଟାଇବା ପାଇଁ ସବା ଉପରେ ନିଷ୍ପତ୍ତି ନିଆଯିବା ଦରକାର ବୋଲି ଆଞ୍ଚଳିକ ମୁଖ୍ୟମାନେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ବିଷୟ ତୁଙ୍ଗ ଅଧିକାରୀଙ୍କୁ ତୁରନ୍ତ ଜଣାଇବେ ବୋଲି କହିଥିଲେ।

ଇତି ମଧ୍ୟରେ ଇଣ୍ଡିଆନ ଅଏଲ ପକ୍ଷରୁ କୁହାଯାଇଛି ଯେ ଦୁର୍ଘଟଣାର ତଦନ୍ତ ପାଇଁ  ମୁମ୍ବାଇର ପେଟ୍ରୋଲିୟମ ଓ ଏକ୍ସପ୍ଲସିଭ ନିରାପତ୍ତା ସଂସ୍ଥାର ୪ ବିଶେଷଜ୍ଞ ଭୁବନେଶ୍ୱର ପହଞ୍ଚିଛନ୍ତି। ତେବେ ଏହିଭଳି ଏକ ଦୁର୍ଘଟଣା ଅତ୍ୟନ୍ତ ବିରଳ ଓ ଅନ୍ୟ କେଉଁଠି ଏହା ଘଟିନାହିଁ ବୋଲି ଇଣ୍ଡିଆନ ଅଏଲର ଜଣେ ଅଧିକାରୀ କହିଛନ୍ତି।

Comment