ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ବଜାରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ଜୁଏଲାରୀ ଦୋକାନ ଏବଂ ପେଟ୍ରୋଲ ପମ୍ପରେ ଡକାୟତି ହୋଇଛି। ଗୋଡ଼ିପଡ଼ା ବଜାରରେ ଥିବା ଏକ ଜୁଏଲାରୀ ଦୋକାନରୁ ଦୁର୍ବୃତ୍ତମାନେ ୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ଗୋଡ଼ିପଡ଼ା ବଜାର ନିକଟରେ ବୋମା ମାଡ଼ କରି ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲେ। ଯିଏ ଜୁଆଡେ ଛତ୍ରଭଙ୍ଗ ଦେବା ପରେ ଗୋଡ଼ିପଡ଼ା ବଜାରରେ ଥିବା ମହାଲକ୍ଷ୍ମୀ ଜୁଏଲାରୀ ଦୋକାନରୁ ୫ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ଚମ୍ପଟ ମାରିଥିଲେ।

ଜୁଏଲାରୀ ଦୋକାନରୁ ଲୁଟ କରିବା ପରେ ଏହି ଡକାୟତ ଦଳ ଗୋଡ଼ିପଡ଼ା ଫାଣ୍ଡିଠାରୁ ପ୍ରାୟ ୧୫୦ ମିଟର ଦୂରରେ ଥିବା ଜଗନ୍ନାଥ ସଡକ ଡମସାହି ନିକଟ ପେଟ୍ରୋଲ ପମ୍ପରେ ପଶି ସେଠାରେ ଉପସ୍ଥିତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଡରାଇବା ସହ ସେଠାରୁ ଲୁଟ୍ କରି ଫେରାର ହୋଇଯାଇଥିଲେ।

ଡକାୟତ ଦଳ ବାଇକରେ ଆସି ଦିନ ଦ୍ୱିପ୍ରହରରେ ଦୁଇ ଦୁଇଟି ସ୍ଥାନରେ ବୋମା ଓ ବନ୍ଧୁକ ଦେଖାଇ ଡକାୟତି କରି ଫେରାର ହୋଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ପୋଲିସ ଡକାୟତମାନଙ୍କ ଟେର ପାଇପାରି ନାହିଁ।

Tags: #JwelleryShop #PetrolPump #Nayagarh #Loot

Comment