ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହିଳା ସଶକ୍ତିକରଣରେ ବିଜେଡି ସାରା ଦେଶରେ ଉଦାହରଣ ସୃଷ୍ଟି କରିଛି।

‘‘ମହିଳାଙ୍କ ବିକାଶ ହେଉଛି ଦେଶର ପ୍ରକୃତ ଡବଲ ଇଞ୍ଜିନ। ଯେଉଁ ଦେଶରେ ମହିଳାଙ୍କ ବିକାଶ ଉପରେ ଫୋକସ୍ କରାଯାଇ ନଥାଏ ତାହା ସିଙ୍ଗଲ ଇଞ୍ଜିନ ଚାଲିବା ଭଳି। ଏହାଦ୍ୱାରା ଦେଶର ବିକାଶ ଠିକ୍ ଭାବେ ହୋଇ ନଥାଏ। କିନ୍ତୁ ମହିଳାଙ୍କ ସଶକ୍ତି କରଣ ହେଉଛି ପ୍ରକୃତ ଡବଲ ଇଞ୍ଜିନ’’, ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା କହି ମୋଦିଙ୍କ ଡବଲ ଇଞ୍ଜିନ ଥିଓରିକୁ ଟାର୍ଗେଟ କରିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିଲେ। ଜୟପୁର ଏବଂ ଭବାନିପାଟଣା ନିର୍ବାଚନୀ ସଭାରେ ଡବଲ ଇଞ୍ଜିନ ଫର୍ମୁଲା କଥା କହିଥିଲେ। ଦେଶରେ ଏବଂ ରାଜ୍ୟର ବିକାଶ ପାଇଁ ଡବଲ ଇଞ୍ଜିନ ବିଶିଷ୍ଟ ସରକାର ଦରକାର ବୋଲି କହିଥିଲେ ମୋଦି। ଏହାକୁ ଆଜି କାଉଣ୍ଟର କରିଛନ୍ତି ନବୀନ।

ନବୀନ କହିଛନ୍ତି, ‘‘ଜାତୀୟ ଦଳ ଗୁଡ଼ିକ ମହିଳାଙ୍କ ବିକାଶ କଥା କହୁଛନ୍ତି। ହେଲେ ମହିଳାଙ୍କୁ ରାଜନୀତିରେ ଉଚିତ ସମ୍ମାନ ଦେଉ ନାହାନ୍ତି। ବିଜେଡି ହେଉଛି ପ୍ରଥମ ଦଳ ଯିଏ ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି। ୩୩ ପ୍ରତିଶତ ମହିଳାଙ୍କୁ ଆମେ ଲୋକସଭା ପଠାଇବା ପାଇଁ ନିଷ୍ପତ୍ତି ନେଇଛୁ। ଏଥିପାଇଁ ୭ ମହିଳାଙ୍କୁ ଲୋକସଭା କ୍ଷେତ୍ରରେ ପ୍ରାର୍ଥୀ କରିଛୁ।’’

ବିଜୁ ବାବୁ ପ୍ରଥମେ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ କରିଥିଲେ। ପରେ ବିଜେଡି ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରିଥିଲା ବୋଲି କହିଛନ୍ତି ନବୀନ।

ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଜାତୀୟ ଦଳମାନଙ୍କୁ ପ୍ରଭାବିତ କରିବ ବୋଲି ନବୀନ କହିଛନ୍ତି।

Comment