ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବୃତ୍ତିରେ ଡାକ୍ତର। ଲକ୍ଷ୍ୟ ଦୁର୍ନୀତିମୁକ୍ତ ସମାଜ ଗଠନ। ତେବେ କୌଣସି ଦଳରେ ନ ପଶି ‘ଏକଲା ଚଲୋ’ ଆଦର୍ଶରେ ଗୋଟିଏ ପରେ ଗୋଟିଏ ନିର୍ବାଚନ ଲଢ଼ି ଥକି ଯାଇ ନାହାନ୍ତି ଡାକ୍ତର କେ ଶ୍ୟାମବାବୁ ସୁବୁଦ୍ଧି।

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ୧୯୫୭ ମସିହାରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ି ଆସୁଥିବା ଶ୍ୟାମବାବୁ ପୁଣି ଏଥର ଆସ୍କା ଓ ବ୍ରହ୍ମପୁର ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପରିଣତ ବୟସରେ ପହଞ୍ଚି ଥିଲେ ମଧ୍ୟ ଶ୍ୟାମବାବୁ ନିର୍ବାଚନ ଲଢ଼େଇରୁ ଦୂରେଇ ନାହାନ୍ତି। ସବୁ ନିର୍ବାଚନରେ ହାରିଥିଲେ ମଧ୍ୟ ସେ ଥକି ଯାଇ ନାହାନ୍ତି। ୧୦ମ ଥର ପାଇଁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ୮୪ ବର୍ଷର ଶ୍ୟାମବାବୁ ଗଞ୍ଜାମ ଜିଲ୍ଲାର ଜଣେ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି।

ଲୋକେ ଦିନେ ନା ଦିନେ ମତେ ଭୋଟ ଦେବେ

ବ୍ରହ୍ମପୁର ଗାନ୍ଧିନଗରର ବାସିନ୍ଦା ଶ୍ୟାମବାବୁ ସୁବୁଦ୍ଧି ପେସାରେ ଜଣେ ହୋମିଓପ୍ୟାଥିକ ଡାକ୍ତର। ହେଲେ ନିର୍ବାଚନରେ ଲଢ଼ିବା ହେଉଛି ତାଙ୍କର ଆଦର୍ଶ। ଶ୍ୟାମବାବୁ କହନ୍ତି, ‘‘ନିର୍ବାଚନ ଜିତିବା ପାଇଁ ମୁଁ ଲଢ଼ୁଛି। ଦିନେ ନା ଦିନେ ଲୋକ ମୋତେ ଭୋଟ୍ ଦେଇ ଜୟଯୁକ୍ତ କରିବେ। ଏକ ଦୁର୍ନୀତିମୁକ୍ତ ସରକାର ଗଠନ ମୋର ଲକ୍ଷ୍ୟ।’’

୧୯୫୭ରୁ ଶ୍ୟାମବାବୁ ନିର୍ବାଚନ ଲଢ଼ି ଆସୁଛନ୍ତି। ଉଭୟ ବିଧାନସଭା ଏବଂ ଲୋକସଭା କ୍ଷେତ୍ରରୁ ସେ ପ୍ରାର୍ଥୀ ହୋଇ ଆସୁଛନ୍ତି। ବ୍ରହ୍ମପୁର ଏବଂ ଆସ୍କା ଲୋକସଭା ସମେତ ହିଞ୍ଜିଳି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ବର୍ତ୍ତମାନ ସୁଦ୍ଧା ସେ ୨୮ଟି ନିର୍ବାଚନ ଲଢ଼ି ସାରିଲେଣି।

ମାତ୍ର ୨୬ ବର୍ଷ ବୟସରେ ୧୯୫୭ରେ ଶ୍ୟାମବାବୁ ହିଞ୍ଜିଳିର ଟାଣୁଆ ନେତା ତଥା ପୂର୍ବତନ ପୂର୍ତ୍ତମନ୍ତ୍ରୀ ବୃନ୍ଦାବନ ନାୟକଙ୍କ ବିପକ୍ଷରେ ପ୍ରଥମେ ନିର୍ବାଚନ ରଣାଙ୍ଗନରେ ଅବତୀଣ୍ଣ ହୋଇଥିଲେ। ୧୯୬୨ ରୁ ସେ ଲୋକସଭା ନିର୍ବାଚନ ଲଢ଼ି ଆସୁଛନ୍ତି।

“ଟିକେଟ ନପାଇଲେ ନେତାମାନେ ଅନ୍ୟ ଦଳକୁ ଡିଆଁ ମାରୁଛନ୍ତି। କିନ୍ତୁ ମୁଁ ଏକମାତ୍ର ନେତା ଯିଏ କୌଣସି ଦଳର ସଦସ୍ୟତାକୁ ଗ୍ରହଣ କରୁନି’’, କହିଛନ୍ତି ଶ୍ୟାମବାବୁ।

ଟାଣୁଆ ନେତାଙ୍କୁ ସାମ୍ନା

ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ, ପାରଳା ମହାରାଜା ଗୋପିନାଥ ଗଜପତି ଆଦି ବହୁ ଟାଣୁଆ ନେତାଙ୍କ ବିପକ୍ଷରେ ଶ୍ୟାମବାବୁ ଲଢ଼ିଛନ୍ତି।

ଏଥର ବ୍ରହ୍ମପୁର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଚନ୍ଦ୍ରଶେଖର ସାହୁ,  ଭୃଗୁ ବକ୍ସିପାତ୍ର (ବିଜେପି), ଭି ଚନ୍ଦ୍ରଶେଖର ନାଇଡୁ (କଂଗ୍ରେସ)ଙ୍କ ସମେତ ୭ ଜଣଙ୍କ ବିରୋଧରେ ଶ୍ୟାମବାବୁ ଲଢ଼ୁଛନ୍ତି। ସେହିପରି ଆସ୍କା ଲୋକସଭା ଆସନରେ ପ୍ରମିଳା ବିଷୋୟୀ (ବିଜେଡି), ଅନୀତା ପ୍ରିୟଦର୍ଶିନୀ (ବିଜେପି), ରାମକୃଷ୍ଣ ପଣ୍ଡା (ସିପିଆଇ)ଙ୍କ ସମେତ ୭ ଜଣଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି ଶ୍ୟାମବାବୁ।

ନିଆରା ପ୍ରଚାର

ଶ୍ୟାମବାବୁଙ୍କ ପ୍ରଚାର ଶୈଳୀ ମଧ୍ୟ ନିଆରା। ସେ ପାଦରେ ଚାଲି ଚାଲି, ସାଇକେଲରେ ବୁଲି କିମ୍ବା ଶଗଡ଼ରେ ପ୍ରଚାର କରନ୍ତି। ଚା’ ଦୋକାନରେ ଲୋକଙ୍କୁ ଲିଫ୍‌ଲେଟ୍‌ ବାଣ୍ଟନ୍ତି। କଳା କୋଟ, ମୁଣ୍ଡରେ ଟୋପି ପିନ୍ଧି ସେ ଭୋଟରଙ୍କୁ ଭେଟନ୍ତି। ସେ ମଧ୍ୟ ଏକ ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛନ୍ତି। ୬୦ ବର୍ଷରୁ ଅଧିକ ନେତାଙ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରିବା ଓ ଜଣେ ନେତା ଦୁଇଟି ଆସନରୁ ଲଢ଼ିବା ପ୍ରଥା ମଧ୍ୟ ବନ୍ଦ ହେବା ଦରକାର ବୋଲି ତାଙ୍କର ମତ।

ଏଥର ତାଙ୍କର ନିର୍ବାଚନୀ ଚିହ୍ନ କ୍ରିକେଟ୍ ବ୍ୟାଟ୍। ନିର୍ବାଚନ ଲଢ଼େଇରେ ବିପକ୍ଷ ପ୍ରାର୍ଥୀଙ୍କ ପ୍ରଥମ ବଲ୍‌ରେ ଶ୍ୟାମବାବୁ ଆଉଟ୍ ହେବା ନିଶ୍ଚିତ। ତେବେ ସବୁ ନିର୍ବାଚନରେ ଅମାନତ ହାରୁଥିବା ଶ୍ୟାମବାବୁ କେମିତି କ୍ରିକେଟ୍ ବ୍ୟାଟ୍ ଏଥର ବୁଲାଇବେ ତାହା ଦେଖିବାକୁ ବାକି ରହିଲା।

Comment