ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ପ୍ରାର୍ଥୀପତ୍ର ଦାଖଲ କଲେ କହ୍ନୈୟା

ଜବାହାରଲାଲ ନେହେରୁ ବିଶ୍ୱ ବିଦ୍ୟାଳୟ ଛାତ୍ର ସଙ୍ଘର ପୂର୍ବତନ ଅଧ୍ୟକ୍ଷ କହ୍ନୈୟା କୁମାର ବେଗୁସରାଇ ଲୋକସଭା ଆସନ ପାଇଁ ସିପିଆଇ ଟିକେଟରୁ ମଙ୍ଗଳବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ପ୍ରାର୍ଥିପତ୍ର ଦାଖଲ ସମୟରେ ଅଭିନେତ୍ରୀ ସ୍ୱରା ଭାସ୍କର, ଜେଏନୟୁର ପୂର୍ବ ଛାତ୍ର ନେତା ସେହେଲା ରସିଦ ଉପସ୍ଥିତ ଥିଲେ। ସିପିଆଇ ଟିକେଟରୁ କହ୍ନୈୟା ଏଥର ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କ ବିପକ୍ଷରେ ଭାରତୀୟ ଜନତା ପାର୍ଟି ଗିରିରାଜ ସିଂହଙ୍କୁ ପ୍ରାର୍ଥୀ କରିଛି। ପ୍ରାର୍ଥିପତ୍ର ଦାଖଲ ବେଳେ କହ୍ନୈୟା ତାଙ୍କର ପୂର୍ବ ଦୁଇ ବିତ୍ତୀୟ ବର୍ଷର ସମ୍ପତ୍ତି ତାଲିକା ଦେଇଛନ୍ତି।

୨୦୧୮-୧୯ରେ ତାଙ୍କର ସର୍ବମୋଟ ଆୟ ୨,୨୮,୨୯୦ ଟଙ୍କା ଥିଲା।୨୦୧୭-୧୮ରେ ତାଙ୍କର ସର୍ବମୋଟ ଆୟ ୬,୩୦,୩୬୦ ଥିଲା। ଏହାସହିତ ତାଙ୍କ ପାଖରେ ନଗଦ ୨୪,୦୦୦ ଟଙ୍କା ଥିବା ସେ ଦର୍ଶାଇଛନ୍ତି।

ତାଙ୍କର ଦୁଇଟି ବ୍ୟାଙ୍କ ଆକାଉଣ୍ଟ ଅଛି। ତାହା ମଧ୍ୟରୁ ଗୋଟିଏରେ ୧୬,୩୬୪୭ ଟଙ୍କା ଓ ଅନ୍ୟଟିରେ ୫୦ ଟଙ୍କା ଅଛି। କହ୍ନୈୟା କହିଛନ୍ତି, “ମୋ ପାଖରେ ଯେତିକି ବି ସମ୍ପତ୍ତି ଅଛି ତାହା କେବଳ ବହି ଓ ବକ୍ତବ୍ୟର ରୟାଲିଟି ଦ୍ୱାରା ହୋଇପାରିଛି।”  ବିହାରର ବେଗୁସରାଇରେ ଏପ୍ରିଲ ୨୯ରେ ମତଦାନ ହେବ।

ଛାତ୍ର ନେତାରୁ ରାଜନୀତିରେ ପାଦ ଦେଇଥିବା ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନୈୟା କୁମାର  ୨୦୧୬ ଫେବୃଆରୀ ମାସରେ ଜେଏନ୍‌ୟୁ କ୍ୟାମ୍ପସରେ ଆୟୋଜନ କରିଥିବା ଏକ କାର୍ଯ୍ୟକ୍ରମରେ ଭାରତ ବିରୋଧୀ ସ୍ଲୋଗାନ ଦେଇ ଲୋକଲୋଚନକୁ ଆସିଥିଲେ।

୨୦୧୪ରେ ଏହି ଆସନରୁ ବିଜେପି ପ୍ରାର୍ଥୀ ଜିତିଥିବା ବେଳେ ଏଥର ନୂଆ ପ୍ରାର୍ଥୀ ଦେଇଛି ଦଳ। ତେବେ କାହା ସପକ୍ଷରେ ଜନମତ ଯାଉଛି ତାହା ମେ ୨୩ରେ ହିଁ ସ୍ପଷ୍ଟ ହୋଇପାରିବ। ଅନ୍ୟପଟେ ଏଥର ବିହାରର ବେଗୁସରାଇରେ ଟକ୍କର ଜୋରଦାର ହେବ ବୋଲି ରାଜନୈତିକ କରିଡରରେ ଚର୍ଚ୍ଚା ହେଉଛି।

Comment