ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ।

ଶାନ୍ତି ଶୃଙ୍ଖଳାର ସହ ଓଡ଼ିଶାରେ ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ। ବିଭିନ୍ନ ବୁଥ ଆଗରେ ଧାଡ଼ିରେ ଆସି ଭୋଟର ଦେଇଥିଲେ ଭୋଟ। ମାଓ ଅଧ୍ୟୁଷିତ ଅଞ୍ଚଳରେ ଅପରାହ୍ଣ ୪ଟାରେ ମତଦାନ ଶେଷ ହୋଇଥିବା ବେଳେ ଅନ୍ୟ ଅଞ୍ଚଳରେ ସନ୍ଧ୍ୟା ୬ଟାରେ ଶେଷ ହୋଇଥିଲା ମତଦାନ।

ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇ ଭୋଟର ଇଭିଏମ ମେସିନରେ ସେମାନଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିଛନ୍ତି। ମେ’୨୩ରେ ଫଳଫଳ ଜଣାପଡ଼ିବ।

ବିଳମ୍ବରେ ଆରମ୍ଭ ହେଲା ମତଦାନ

ଭୋର ସାଢ଼େ ୫ଟାରୁ ଭାରତୀୟ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ପ୍ରତି ବୁଥରେ ଆରମ୍ଭ ହୋଇଥିଲା ମକ୍ ପୋଲ୍। ପୋଲିଂ ଅଧିକାରୀମାନେ ଇଭିଏମ୍ ଏବଂ ଭିଭିପାଟ୍ ମେସିନର ଯାଞ୍ଚ କରିବା ପରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ଖରାକୁ ଖାତିର ନକରି ଭୋଟର ଲମ୍ବା ଧାଡ଼ିରେ ଭୋଟ ଦେବା ପାଇଁ ଉତ୍ସାହର ସହ ଛିଡ଼ା ହୋଇଥିଲେ।

ହେଲେ କିଛି ଜାଗାରେ ଇଭିଏମରେ ତ୍ରୁଟି ଦେଖାଦେବା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିଲା ମତଦାନ ପ୍ରକ୍ରିୟା। କୋରାପୁଟ, କଳହାଣ୍ଡି ଏବଂ ମାଲକାନଗିରିର କିଛି ବୁଥରେ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା। ତଥାପି ଲୋକେ ଧୈର୍ଯ୍ୟ ସହ ଭୋଟ ଦେବା ପାଇଁ ପ୍ରତୀକ୍ଷା କରିଥିଲେ।

୧୫ ବୁଥରେ ଭୋଟ ଶୂନ

ଗଣତନ୍ତ୍ରର ମହାପର୍ବ ନିର୍ବାଚନରେ ସାମିଲ ହେବା ପାଇଁ ସବୁ ଭୋଟର ଉତ୍ସାହର ସହ ଭୋଟ ଦେଇଛନ୍ତି। କିନ୍ତୁ ସ୍ୱାଭିମାନ ଅଞ୍ଚଳ ଭାବେ ପରିଚିତ ମାଲକାନଗିରିର ଚିତ୍ରକୋଣ୍ଡାର ୧୫ଟି ବୁଥରେ ମତଦାନ ଶୂନ ରହିଥିବା ଜଣାପଡ଼ିଛି। ମାଓବାଦୀଙ୍କ ଭୟରେ ଏଠାକାର ଭୋଟର ଭୋଟ ଦେଇ ନଥିବା କୁହାଯାଉଛି।

ସକାଳ ୭ଟାରୁ ବୁଥ୍ ଖୋଲଶ ଯାଇଥିଲା। ମକ୍ ପୋଲିଂ ପରେ ପୋଲିଂ ପାର୍ଟି ଭୋଟରଙ୍କୁ ଅପେକ୍ଷା କରି ରହିଥିଲେ। ହେଲେ ନିର୍ଦ୍ଧାରିତ ସଭୟ ଗଡ଼ିଗଲା ପଛେ ଜଣେ ବି ଭୋଟର ମତ ସାବ୍ୟସ୍ତ କରିବାକୁ ଆଗେଇ ଆସି ନଥିଲେ। ଶେଷରେ ପୋଲିଂ ପାର୍ଟି ଫେରି ଆସିଥିଲେ।

ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

ସବୁଠୁ ବଡ଼ କଥା ହେଉଛି ସାଧାରଣ ଭୋଟରଙ୍କ ଅପେକ୍ଷା ଦିବ୍ୟାଙ୍ଗ ଏବଂ ବୟସ୍କ ଭୋଟରମାନେ ଆଜି ଉତ୍ସାହର ଭୋଟ ଦେବାକୁ ଆସିଥିଲେ। ଏମାନଙ୍କ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ଦିବ୍ୟାଙ୍ଗ ଏବଂ ବୟସ୍କଙ୍କ ପାଇଁ ହ୍ୱିଲ ଚେୟାରର ବ୍ୟବସ୍ଥା କରାଯାଇଥିଲା। ସେମାନେ କିପରି ସୁରୁଖୁରୁରେ ଭୋଟ ଦେବେ ସେଥିଲାଗି ଭଲ୍ୟୁଣ୍ଟର ନିୟୋଜିତ କରାଯାଇଥିଲା।

୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ

ଆରମ୍ଭରୁ ମତଦାନ ପ୍ରକ୍ରିୟା ଧିମେଇ ଯାଇଥିଲା। କିନ୍ତୁ ଦିନ ଗଡ଼ିବା ସହ ଭୋଟିଂ ପ୍ରକ୍ରିୟା ବି ବଢ଼ିଥିଲା। ଧିରେ ଧିରେ ବିଭିନ୍ନ ବୁଥ ଆଗରେ ଲୋକଙ୍କ ଗହଳି ଲାଗିଥିଲା। ହାତରେ ଭୋଟ ପରିଚୟପତ୍ର ଧରି ଲୋକେ ଧାଡ଼ିରେ ଛିଡ଼ା ହୋଇଥିଲେ। ମଧ୍ୟାହ୍ନ ୧୨ଟା ପରେ ମତଦାନ ପ୍ରତିଶତ ବୃଦ୍ଧି ପାଇଥିଲା। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ୬୬ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।

ଡଜିପି କହିଲେ ଶାନ୍ତିପୂର୍ଣ୍ଣ

ଶାନ୍ତି ଶୃଙ୍ଖଳାର ସହ ପ୍ରତମ ପର୍ଯ୍ୟାୟ ଭୋଟ ଶେଷ ହୋଇଥିବା ଓଡ଼ିଶା ପୋଲିସ ଡିଜି ବି କେ ଶର୍ମା କହିଛନ୍ତି। ସେ କହିଛନ୍ତି ଯେ ପୋଲିସ ପାଇଁ ମାଓବାଦୀ ଅଞ୍ଚଳରେ ନିର୍ବାଚନ ପରିଚାଳନା କରିବା ଚାଲେଞ୍ଜ ଥିଲା। ଶାନ୍ତି ଶୃଙ୍ଖଳାର ସହ ଭୋଟ ପରିଚାଳନା ପାଇଁ ବିଭିନ୍ନ ସମ୍ବେଦନଶୀଳ ବୁଥ ଆଗରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

୪ଟି ଲୋକସଭା କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନ ଏବଂ ତତସଂଲଗ୍ନ ବିଧାନସଭା ଆସନରେ ଆଜି ଥିଲା ମତଦାନ। ଏହି ଚାରି ଲୋକସଭା ଆସନରେ ଥିଲେ ତିନି ପ୍ରମୁଖ ଦଳର ହେବିଓ୍ୱେଟ ପ୍ରାର୍ଥୀ। ଏମାନଙ୍କ ଭାଗ୍ୟ ଆଜି ଇଭିଏମରେ ସିଲ ହୋଇଯାଇଛି।

ଏପ୍ରିଲ ୧୮ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ। ୫ଟି ଲୋକସଭା ଏବଂ ୩୫ଟି ବିଧାନସଭା ଆସନରେ ହେବ ଭୋଟ।

Comment