ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବ୍ରହ୍ମପୁର ଲୋକସଭା ଆସନରେ ଶେଷ ହୋଇଛି ଭୋଟ। ମତଦାନ କରିବା ପରେ ଓଡ଼ିଶାଲାଇଭ୍ ଟିମକୁ ମତଦାନ ସମ୍ପର୍କରେ ମତ ଦେଇଥିଲେ ଭୋଟର।

‘‘ମତେ କଷ୍ଟ ନିଶ୍ଚୟ ହେଉଛି, କିନ୍ତୁ ଭୋଟ ହେଉଛି ମୋର ମୌଳିକ ଅଧିକାର। ମୁଁ କାହିଁକି ବା ଏହାକୁ ହାତଛଡା କରିବି। ଗତ ଥର ଭଳି ଏଥର ମଧ୍ୟ ଭୋଟ ଦେଉଛି’’, ଏହା କହିଛନ୍ତି  ୭୨ ବର୍ଷୀୟା ସି କାନ୍ତା ରେଡ୍ଡି।

ସି କାନ୍ତା ରେଡ୍ଡି ହେଉଛନ୍ତି ଜଣେ ମହିଳା। ଉତ୍ସାହର ସହ ଭୋଟ ଦେବା ପାଇଁ ବ୍ରହ୍ମପୁରର ୨୧ ନମ୍ବର ବୁଥ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ତାଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। ମତଦାନ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ ପାଞ୍ଚ ବର୍ଷରେ ଥରେ ଭୋଟ ହେଉଛି। ମତଦାନ କରିବା ହେଉଛି ସମସ୍ତଙ୍କର ଅଧିକାର। ଏହାକୁ ହାତଛଡ଼ା କରିବା ଠିକ୍ ନୁହେଁ।

ସେ ଆହୁରି କହିଥିଲେ ଯେ ଯିଏ ବି ଭୋଟ ପାଆନ୍ତୁ, ସେ ଆମ ସୁଖ ଦୁଃଖ କଥା ବୁଝିବା ଦରକାର।

୨୧ ନମ୍ବର ବୁଥ ଆଗରେ କେବଳ ମହିଳା ନୁହନ୍ତି, ଯୁବ, ଦିବ୍ୟାଙ୍ଗ ଏବଂ ବୟସ୍କ ଭୋଟରଙ୍କୁ ବି ଦେଖିବାକୁ ମିଳିଥିଲା। ଉତ୍ସାହର ସହ ଭୋଟ ଦେଇଥିଲେ ଏମାନେ।

ଭୋଟ ଦେବାକୁ ହ୍ୱିଲ ଚେୟାରରେ ଆସିଥିବା ଦିବ୍ୟାଙ୍ଗ ଭୋଟର ଜଗମୋହନଙ୍କୁ ଭେଟିଥିଲା ଓଡ଼ିଶାଲାଇଭ୍ ଟିମ୍। କିନ୍ତୁ ମତଦାନ ସମ୍ପର୍କରେ ତାଙ୍କର ଥିଲା ନିଆରା ମତ।

ସେ କହିଥିଲେ, ‘‘ସମସ୍ତଙ୍କପାଇଁ ହୁଏତ ମୁଁ ଭିନ୍ନକ୍ଷମ ହୋଇଥାଇପାରେ। କିନ୍ତୁ ଏ ଦେଶର ମୁଁ ଜଣେ ସକ୍ଷମ ନାଗରିକ ଏବଂ ଭୋଟ ଦେବା ମୋର ଅଧିକାର। ପ୍ରତ୍ୟକ ବ୍ୟକ୍ତି ନିଜର ମତଦାନ କରିବା ଉଚିତ।’’

ସେ ଆହୁରି କହିଥିଲେ, ‘‘ମୁଁ ପ୍ରତି ନିର୍ବାଚନରେ ଭୋଟ ଦେବାକୁ ଆସିଥାଏ। ଏଥର ବି ଆସିଛି। ଯିଏ ଆମ ସୁଖ ଦୁଃଖରେ ଛିଡ଼ା ହେଉଛନ୍ତି ଏବଂ ଆମର ମୌଳିକ ସମସ୍ୟା ସମାଧାନ କରିବାକୁ ଯୋଗ୍ୟ, ସେଭଳି ପ୍ରାର୍ଥୀଙ୍କୁ ଭୋଟ ଦେବା ଦରକାର।’’

ଅପରାହ୍ନରେ ମଧ୍ୟ ବୁଥ ଗୁଡିକରେ ଲମ୍ବା ଧାଡି ଦେଖିବାକୁ ମିଳିଥିଲା। ଏପରିକି ମତଦାନ ସମୟ ଶେଷ ହେବା ପଯ୍ୟନ୍ତ ମଧ୍ୟ ବୁଥ ଗୁଡିକରେ ଭିଡ ଦେଖିବାକୁ ମିଳିଥିଲା।

ବ୍ରହ୍ମପୁରର ବିଭିନ୍ନ ବୁଥରେ ଯୁବ ଭୋଟରମାନଙ୍କୁ ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଥିଲା। ବିଶେଷ କରି  ପ୍ରଥମ ଥର ପାଇଁ ଭୋଟ ଦେଉଥିବା ଯୁବପିଢିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

”ଆମକୁ ଏମିତି ସରକାର ଦରକାର ଯିଏ ଆମକୁ ରୋଜଗାର ଯୋଗାଇ ପାରୁଥିବ”, କୁହନ୍ତି କ୍ରିଷ୍ଣା ରେଡ୍ଡି।

ସେହିଭଳି ପ୍ରଥମ ଥର ପାଇଁ ଭୋଟ ଦେବାକୁ ଆସିଥିବା ମୀନତି ସ୍ୱାଇଁ  କୁହନ୍ତି, ”ସରକାର ଏମିତି ହେବା ଦରକାର ଯିଏ ମହିଳାମାନଙ୍କୁ ସୁରକ୍ଷା ଦେଇ ପାରୁଥିବ।’’

ବ୍ରହ୍ମପୁରରେ ଦୀର୍ଘ ଦିନ ହେଲା ପାଣିର ସମସ୍ୟା ରହିଛି। ହେଲେ ସମସ୍ୟା ସମାଧାନ ହୋଇପାରୁ ନାହିଁ। ଆଗାମୀ ଦିନରେ ଯିଏ ବି ନିର୍ବାଚିତ ହୁଅନ୍ତୁ ସେ ପ୍ରଥମେ ପାଣି ସମସ୍ୟା ସମାଧାନ କରିବା ଦରକାର ବୋଲି କହିଛନ୍ତି କେ ରାମା ରାଓ।

Comment