ଓଡ଼ିଶାଲାଇଭ୍ ବ୍ୟୁରୋ

ଡାହୁକ ସେବା ରଥଯାତ୍ରାର ଏକ ପ୍ରଧାନ ସେବା । କାଳ କାଳ ଧରି ମହାପ୍ରଭୁମାନଙ୍କ  ପାଖରେ ଏହି ସେବା ପ୍ରଚଳିତ । ରଥରେ ଥିବା ଏହି ଡାହୁକ ମାନଙ୍କୁ ରଥ କାଳେସୀ ବା ରଥର ସାରଥୀ ବୋଲି ମଧ୍ୟ କୁହାଯାଏ । ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ରୁକୁଣା ରଥର ଡାହୁକ ନରସିଂହ ଖୁଣ୍ଟିଆଙ୍କ ମୁହଁରୁ  ଏହି ଡାହୁକ ସେବା ବିଷୟରେ ଅଧିକ ଜାଣନ୍ତୁ।

ଡାହୁକମାନଙ୍କୁ ଅନ୍ୟ ଭାବରେ ରଥର କାଳେସୀ ବା ରଥର ସାରଥୀ ବୋଲି କୁହାଯାଏ । ଯେପରି ଗାଡ଼ିରେ ଚାଳକ ନଥିଲେ ଗାଡ଼ି ଆଗକୁ ଗଡ଼ିବ ନାହିଁ ଠିକ୍ ସେହିପରି ରଥରେ ଡାହୁକ ନଥିଲେ ରଥ ମଧ୍ୟ ଆଗକୁ ଗଡ଼ିବ ନାହିଁ । ଏହା ମହାପ୍ରଭୁ ଲିଙ୍ଗରାଜଙ୍କର ବିଭିନ୍ନ ପରମ୍ପରା ମଧ୍ୟରୁ ଏକ ଅନନ୍ୟ ସେବା ।

ଆଜକୁ ୫୭ ବର୍ଷ ହେଲାଣି ମୁଁ ଏ କାମ କରି ଆସୁଛି । କାହିଁ କେତେ ଅମଳରୁ ମୋ ପରିବାର ଲିଙ୍ଗରାଜ ମହାପ୍ରଭୁଙ୍କର ଏହି ସେବା କରିଆସୁଛି । ମୋ ବାପାଙ୍କ ପରେ ମୁଁ ଏହି ସେବା କରି ଆସୁଛି ।

ଡାହୁକ ଗୀତରେ କାଳ କାଳରୁ ଅଶ୍ଳୀଳ ଭାଷା ପ୍ରୟୋଗର ଏହି ପରମ୍ପରା ଚାଲି ଆସୁଛି । ଏହିଭଳି ଗୀତ ଗାଇ ବେତ ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଦେଖାଇବା ପରେ ହିଁ ରଥ ଗଡ଼ିଥାଏ । ମୋ ମତରେ ଏଥିରେ କୌଣସି ଅସୁବିଧା ନାହିଁ ।

ଗୋଟିଏ ସମୟରେ ଏହି ଗୀତ ଗାଇବା ପ୍ରଥାକୁ ବନ୍ଦ କରିବାପାଇଁ ପ୍ରଶାସନ ନିଷ୍ପତ୍ତି କରିଥିଲା। କିନ୍ତୁ ବିଚିତ୍ର ସେ ସୃଷ୍ଟି କର୍ତ୍ତାଙ୍କ ନିୟମ । ରଥ ଗୋଟିଏ ଇଞ୍ଚ ବି ଆଗକୁ ଗଡ଼ିଲା ନାହିଁ । କେବଳ ଏତିକି ନୁହେଁ ରଥ ଦଉଡ଼ି ମଧ୍ୟ ବାରମ୍ବାର ଛିଣ୍ଡିଲା ।  ଏ ସବୁ ଦେଖି  ତତ୍କାଳୀନ ଜିଲ୍ଲାପାଳ ନିର୍ଦ୍ଦେଶ ଦେଲେ ପୁର୍ନବାର ସେବା ଆରମ୍ଭ କରିବାପାଇଁ । ଏହାପରେ ସେବା ଆରମ୍ଭ ହେଲା ଓ ତା ପରେ ହିଁ ରଥ ଗଡ଼ିଲା । ଏହାପରଠାରୁ ଏ ସେବା ବନ୍ଦ କରିବାକୁ କେହି ନିର୍ଦ୍ଦେଶ ଦେଇ ନାହାନ୍ତି ।

ମୋ ପରେ ମୋ ପୁ୍ଅ ଏହି ସେବା କରିବ । ସେ କାମ ଆରମ୍ଭ କରି ସାରିଲାଣି । ୬ – ୭ ବର୍ଷ ହେଲାଣି ସେ ଏହି ସେବାରେ ନିଜକୁ ନିୟୋଜିତ କରିଛି ଓ ମୋ ପରେ ଏ ସେବାକୁ ସେ ହିଁ ଆଗକୁ ବଢେଇବ ।

୫୭ ବର୍ଷର ହେବ ମୁଁ ଏହି କାମ କରିଆସୁଛି। ଏ ସେବାର ଅନୁଭୂତି ଅପୂର୍ବ ଓ ଅଲୌକିକ । ଅନେକ ନୀତି ନିୟମ ମାନି ଚଳିବାକୁ ପଡ଼ିଥାଏ । ମହାପ୍ରଭୁଙ୍କ ନିର୍ଦ୍ଦେଶରେ ସମସ୍ତ କାମ ହୋଇଥାଏ । ଏହି ସେବା କରିବା ସମୟରେ ଆଖିରେ ଲୁହ ମଧ୍ୟ ଆସିଯାଏ । ମୋତେ ଏବେ ୭୬ ବର୍ଷ ବୟସ । ହାତପାଦ ଧୀରେ ଧୀରେ ଅଚଳ ହେଲାଣି କିନ୍ତୁ ମହାପ୍ରଭୁଙ୍କ ସେବାପାଇଁ ଆଜିବି  ସେତିକି ଆଗ୍ରହ ଯାହା ଆଗରୁ ଥିଲା ।

Comment