ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ରାତି ପାହିଲେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ। ଏହାକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ କନ୍ଧମାଳ ଜିଲ୍ଲାରେ ଘଟିଛି ବଡ଼ ଧରଣର ଅଘଟଣ। କନ୍ଧମାଳରେ ପୋଲିଂ ପାର୍ଟି ଗାଡ଼ି ଦୁର୍ବୃତ୍ତମାନେ ଜାଳି ଦେଇଥିବା ବେଳେ ଫୁଲବାଣୀରେ ମାଓବାଦୀଙ୍କ ଗୁଳିରେ ଜଣେ ପୋଲିଂ କର୍ମଚାରୀଙ୍କର ମୃତ୍ୟୁ ଘଟିଛି।

କନ୍ଧମାଳ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମୁଙ୍ଗୁନିପଦର ବୁଥକୁ ଯାଉଥିଲେ ପୋଲିଂ ପାର୍ଟି। ବୁଥରେ ପହଞ୍ଚିବା ପୂର୍ବରୁ କିଛି ଦୁର୍ବୃତ୍ତ ଗାଡ଼ିକୁ ଅଟକାଇଥିଲେ। ଗାଡ଼ିରୁ ସମସ୍ତ କର୍ମଚାରୀଙ୍କୁ ଓହ୍ଲାଇ ଦେବା ପରେ ଗାଡ଼ିକୁ ଜାଳି ଦେଇଥିବା ଜଣାପଡ଼ିଛି। ତେବେ କର୍ମଚାରୀଙ୍କର କିଛି କ୍ଷୟକ୍ଷତି ଘଟି ନଥିବା ଜଣାପଡ଼ିଛି।

Courtesy: Odisha Suntimes
ମାଓବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିବା ମହିଳା ପୋଲିଂ କର୍ମଚାରୀ।

ଏପଟେ ଫୁଲବାଣୀ ଗୋଛାପଡ଼ା ଥାନା ଅଞ୍ଚଳରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପୋଲିଂ ପାର୍ଟିକୁ ନେଇ ଯାଉଥିବା ଗାଡ଼ି ଆଗରେ ହଠାତ୍ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଥିଲା। ଡ୍ରାଇଭର ଗାଡ଼ି ବ୍ୟାକ କରିଥିଲେ। ସେହି ସମୟ ଗାଡ଼ିରୁ ଓହ୍ଲାଇଥିଲେ ପୋଲିଂ କର୍ମଚାରୀ। ଏହି ସମୟରେ ମାଓବାଦୀମାନେ ଗୁଳି ଚାଳନା କରିଥିଲେ। ଗୁଳି ମହିଳା ପୋଲିଂ କର୍ମଚାରୀଙ୍କ ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରେ ସେ ଟଳି ପଡ଼ିଥିଲେ।

୫ ଲୋକସଭା ଏବଂ ୩୫ ବିଧାନସଭା ଆସନରେ ଆସନ୍ତାକାଲି ଭୋଟ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ହେଲେ ଭୋଟ ପୂର୍ବରୁ ଦୁଇ ଦୁଇଟି ଅଘଟଣ ସୁରକ୍ଷା ବ୍ୟବସ୍ଥା ଉପରେ ଚାଲେଞ୍ଜ ସୃଷ୍ଟି କରିଛି।

Comment