ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶେଷ ହୋଇନି ବିଜୟଙ୍କ ବନବାସ।

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ବେଳ ସତରେ ଖରାପ। ସାଦାସିଧା ଭାଷାରେ କହିଲେ ସମୟ ତାଙ୍କୁ ସାଥ ଦେଉନାହିଁ। ବହୁ ବର୍ଷର ବନବାସ ପରେ ଯେତେବେଳେ ବିଜେପି ପକ୍ଷରୁ ତାଙ୍କୁ ପାଟକୁରା ଆସନରୁ ଲଢ଼ିବା ପାଇଁ ସୁଯୋଗ ମିଳିଲା ତାହା ନିଶ୍ଚିତ ଭାବେ ବିଜୟଙ୍କ ରାଜନୈତିକ ପ୍ରତ୍ୟାବର୍ତ୍ତନର ବାଟ ଖୋଲି ଦେଇଥିଲା। କିନ୍ତୁ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁ ବିଜୟଙ୍କ ବିଧାନସଭା ଫେରିବା ରାସ୍ତାକୁ ଏକରକମ ବନ୍ଦ କରିଦେଇଛି ବୋଲି ଧରି ନେବାକୁ ହେବ।

ରୋଗୀଙ୍କୁ ଟିକେଟ

ବେଦ ପ୍ରକାଶଙ୍କ ନିଧନ ଶାସକ ଦଳ ପାଇଁ ଅନେକ ପ୍ରଶ୍ନ ଛିଡ଼ା କରିଛି। ପ୍ରଥମତଃ, ବିଜେଡି ପକ୍ଷରୁ ଏତେ ପରିଣତ ବୟସରେ ତାଙ୍କୁ ପ୍ରାର୍ଥୀ କାହିଁକି କରାଗଲା। ଟିକେଟ ଆବଣ୍ଟନ ସମୟକୁ ୮୩ ବର୍ଷୀୟ ବେଦ ପ୍ରକାଶ ବାରମ୍ବାର ହସ୍ପିଟାଲ ଯାଉଥିଲେ। ତା’ ସତ୍ତ୍ୱେ ବିଜେଡି ତାଙ୍କୁ ଟିକେଟ ଦେଇଥିଲା। ଏହାର ଗୋଟିଏ କାରଣ ହୋଇପାରେ ଯେ ବିଜେଡିକୁ ପାଟକୁରାରୁ ଅନ୍ୟ କେହି ପ୍ରାର୍ଥୀ ମିଳିନଥିଲେ।

ବେଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏତେ ସଙ୍ଗୀନ ଥିଲା ଯେ ସେ ପାର୍ଟି ଅଫିସ ଯାଇ ଟିକେଟ ଆଣିବା ସ୍ଥିତିରେ ବି ନଥିଲେ। ଟିକେଟ ପାଇବା ପରେ ପ୍ରାର୍ଥୀ ପତ୍ର ଦାଖଲଠାରୁ ଆରମ୍ଭ କରି ନିର୍ବାଚନ ଅଫିସ ପରିଚାଳନା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ସ୍ୱର୍ଗତ ଅଗ୍ରୱାଲଙ୍କ ପୁଅ ଓ ପତ୍ନୀ ସମ୍ଭାଳୁଥିଲେ ଓ ଏଣେ ସେ ହସ୍ପିଟାଲ ବେଡରେ ପଡ଼ି ରହିଥିଲେ। ଦ୍ୱିତୀୟ ପ୍ରଶ୍ନ, ବିଜେଡି ପାଇଁ ନେତାଙ୍କ ନିର୍ବାଚନ ଲଢ଼ିବା ବୟସ କିଛି ଅଛି କି?

ଉପନିର୍ବାଚନ କେବେ?

ବେଦ ପ୍ରକାଶଙ୍କ ନିଧନ ସହିତ ପାଟକୁରା ଆସନର ନିର୍ବାଚନ ସ୍ଥଗିତ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ପକ୍ଷରୁ କୁହାଯାଇଛି। ଯେହେତୁ ବିଜେଡି ଏକ ପଞ୍ଜିକୃତ ଦଳ, ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ପରେ ଯଦି କୌଣସି ପ୍ରାର୍ଥୀଙ୍କର ମୃତ୍ୟୁ ହୋଇଯାଏ, ସେଠି ନିର୍ବାଚନ ସ୍ଥଗିତ ରହିବାର ନିୟମ ଅଛି। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପାଟକୁରା ଆସନ ପାଇଁ ପୁନର୍ବାର ନିର୍ବାଚନ ମେ ୨୩ରେ ଭୋଟ ଫଳ ପ୍ରକାଶ ପାଇବା ପରେ ଯାଇ ହେବ।

ବିଜୟଙ୍କ ରାସ୍ତା ବନ୍ଦ

ପାଟକୁରା ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିବା ଖବର  ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ନିଶ୍ଚିତରେ ନିରୁତ୍ସାହଜନକ ପରିସ୍ଥିତି ସୃଷ୍ଟି କରିଛି। ଦୀର୍ଘ କୋଡ଼ିଏ ବର୍ଷର ବ୍ୟବଧାନ ପରେ ସେ ପୁଣି ବିଧାନସଭା ଆସିବାର ଲକ୍ଷ୍ୟ ରଖିଥିଲେ। ସେହି ଆଶାଟି ଅପାତତଃ ଅପୁରଣୀୟ ରହିବ।

ସତ କହିଲେ, ପାଟକୁରାରେ ବିଜୟଙ୍କ ସପକ୍ଷରେ ଏକ ଅନୁକମ୍ପାମୂଳକ ଭୋଟ ପରିବେଶ ରହିଥିଲା ଓ ଦୀର୍ଘଦିନ ପରେ ସେ ଫେରିଥିବାରୁ ଭୋଟର ବି ମନ ପରିବର୍ତ୍ତନ କରିଥିଲେ। ଯାହା ଅନୁମାନ କରାଯାଉଥିଲା, ସେ ସେଠାରୁ ଜିତି ବି ଯାଇଥାନ୍ତେ। ବର୍ତ୍ତମାନ ସ୍ଥିତି ଏୟା ଯେ ଯେଉଁ ଦଳ ୨୦୧୯ ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ପାଟକୁରା ଉପନିର୍ବାଚନରେ ସେହି ଦଳ ହିଁ ବିଜୟୀ ହେବା ଭିନ୍ନ ଭାଷା ରେ କହିଲେ ଏହି ଆସନଟି ପୁଣି ବିଜେଡିର ଖାତାକୁ ହିଁ ଯିବ।

ବେଦମ ବୈଜୟନ୍ତ

ବେଦ ପ୍ରକାଶଙ୍କ ମୃତ୍ୟୁ ବିଜେପିର ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମଧ୍ୟ ଭଲ ଖବର ନୁହେଁ। କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ପାଟକୁରା ଆସୁଥିବାରୁ ବିଜୟ ମହାପାତ୍ରଙ୍କ ଭୋଟ ବୈଜୟନ୍ତଙ୍କୁ ଜିତିବାରେ ସାହାଯ୍ୟ କରିଥାନ୍ତା। ଏବେ ବୈଜୟନ୍ତଙ୍କୁ ପାଟକୁରା ଭୋଟକୁ ବାଦ ଦେଇ ଫଳ କଥା ଚିନ୍ତା କରିବା ପାଇଁ ହେବ। ପାଟକୁରାରେ ଯେତିକି ଭୋଟ ସେ ହରାଇଲେ ଅନ୍ୟ ୬ଟି ବିଧାନସଭା ଆସନରୁ ସେ ଯୋଗାଡ଼ କରି ପାରିବେ କି ତାହା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ।

ମୋଟାମୋଟି ଭାବରେ କହିବାକୁ ଗଲେ, ବେଦ ପ୍ରକାଶଙ୍କ ନିର୍ବାଚନ ଅନ୍ତଃର୍ବତୀ ଦେହାନ୍ତ ଘଟଣା ବିଜେପି, ବୈଜୟନ୍ତ ଓ ବିଜୟଙ୍କୁ ପୂରା ଘାଟାରେ ପକାଇଛି।

Comment