ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ
  • ଭୋର ୫ଟାରୁ ହୋଇଥିଲା ମକ୍ ପୋଲିଂ
  • ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିଲା ଭୋଟ
  • ବ୍ରହ୍ମଗିରି, ସତ୍ୟବାଦୀରେ ଇଭିଏମ ଭାଙ୍ଗିଲେ ଲୋକେ
  • ବଡ଼ମ୍ବାର ଗୋଟିଏ ବୁଥରେ ଇଭିଏମ ଅଚଳ
  • ବୋଲଗଡ଼ରେ ଗୋଷ୍ଠୀ ସଂଘର୍ଷ

ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଭୋଟ ଦେଇଛି ଓଡ଼ିଶା। ମୋଟ ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନ ପାଇଁ ଭୋଟ ଶେଷ ହୋଇଛି। କିଛି ବୁଥରେ ନିର୍ଦ୍ଧାରିତ ସମୟ ପରେ ବି ମତଦାନ ଚାଲିଛି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସରୁ ମିଳିଥିବା ରିପୋର୍ଟ ଅନୁଯାୟୀ ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି। ବିଭିନ୍ନ ବୁଥ ଆଗରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟରଙ୍କ ଲମ୍ବା ଧାଡ଼ି ରହିଥିବାରୁ ଏହି ମତଦାନ ହାର ଆଗକୁ ବଢ଼ିବାର ସମ୍ଭାବନା ରହିଛି।

ସକାଳ ୭ଟାରୁ ଭୋଟ

ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ଭୋର୍ ୫ଟାରୁ ସମସ୍ତ ବୁଥରେ ଆରମ୍ଭ ହୋଇଥିଲା ମକ୍ ପୋଲିଂ। ପ୍ରିଜାଇଡିଂ ଅଫିସରଙ୍କ ସମେତ ଅନ୍ୟ ପୋଲିଂ କର୍ମଚାରୀମାନେ ଇଭିଏମ୍ ଏବଂ ଭିଭିପାଟ୍ ମେସିନର ଯାଞ୍ଚ କରିବା ପରେ ସକାଳ୭ଟାରୁ ଆରମ୍ଭ ହୋଇଥିଲା ଭୋଟିଂ। ଖରା ହେଉଥିବାରୁ ସକାଳ ସାଢ଼େ ୬ଟାରୁ ଭୋଟରଙ୍କ ଭିଡ଼ ଲାଗିଥିଲା।

ମତଦାନ ପ୍ରକ୍ରିୟା ଆରମ୍ଭ ହେବା ପରେ ଜଣକ ପରେ ଜଣେ ଭୋଟର ବୁଥକୁ ଯାଇ ଭୋଟ ଦେଇଥିଲେ। ସକାଳୁ ପୋଲିଂ ଧିମେଇ ଯାଇଥିଲା। ସକାଳ ୯ଟା ସୁଦ୍ଧା ସାରା ରାଜ୍ୟରେ ୬ ପ୍ରତିଶତ ପୋଲିଂ ହୋଇଥିଲା। ଦିନ ବଢ଼ିବା ସହ ମତଦାନ ହାର ବି ବଢ଼ିଥିଲା। ଅପରାହ୍ଣ ୩ଟା ସୁଦ୍ଧା ଭୋଟ ହାର ୪୭ ପ୍ରତିଶତରେ ପହଞ୍ଚିଥିଲା। ସନ୍ଧ୍ୟା ୫ଟା ସୁଦ୍ଧା ଏହା ୬୧ ପ୍ରତିଶତରେ ପହଞ୍ଚିଛି।

କେଉଁଠି ଭୋଟ ବର୍ଜନ ତ କେଉଁଠି ଉତ୍ତେଜନା

ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ କାଁ ଭାଁ ଉତ୍ତେଜନା ଏବଂ ହିଂସାକାଣ୍ଡ ଦେଖାଦେଇଥିଲା। କିନ୍ତୁ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଏସବୁ ବଳି ଯାଇଥିଲା। ଭୋଟ ବର୍ଜନ, ଇଭିଏମ ଭଙ୍ଗାରୁଜା, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଆଦି ଦେଖିବାକୁ ମିଳିଥିଲା। ଏହାସହ ଇଭିଏମ ଏବଂ ଭିଭିପାଟ ମେସିନରେ ତ୍ରୁଟି ଦେଖାଦେବାରୁ କିଛି ବୁଥରେ ସାନି ମତଦାନ ପାଇଁ ସୁପାରିସ କରିବେ ନିର୍ବାଚନ ଅଧିକାରୀ।

କୁଚିଣ୍ଡାର ୩ଟି ବୁଥ ଓ କେନ୍ଦୁଝରର ୨୪୬ ଏବଂ ୨୪୭ ବୁଥରେ ଭୋଟ୍ ବର୍ଜନ କରିଛନ୍ତି ମତଦାତା। ସେହିପରି କେନ୍ଦୁଝରର କେହ୍ନାଇଗୋଳା, ରାଣୀପଡ଼ା ଅଞ୍ଚଳରେ ଭୋଟ ବର୍ଜନ କରିଛନ୍ତି ଭୋଟର। ଗାଁରେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବାର ଅଭିଯୋଗ କରି ଭୋଟ୍ ବଜର୍ନ କରିଛନ୍ତି। ତେଲକୋଇ ଗ୍ରାମର ବୁଥ ନମ୍ବର ୨୦ରେ ବି ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ପିଇବା ପାଣି ସମସ୍ୟା ଏବଂ ବ୍ରାହ୍ମଣୀ ନଦୀ ଉପରେ ପୋଲ ନିର୍ମାଣ କରିବା ଅଭିଯୋଗ କରି ସେମାନେ ଭୋଟ ବର୍ଜନ କରିଛନ୍ତି।

ସେହିପରି ପୁରୀ ଜିଲ୍ଲା ବ୍ରହ୍ମଗିରି ଏବଂ ସତ୍ୟବାଦୀରେ ଇଭିଏମ୍‌ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି। ବ୍ରହ୍ମଗିରିର କମାଶାସନର ୨୨୨ ନମ୍ବର ବୁଥ୍‌ ଏବଂ ସତ୍ୟବାଦୀର ୭୫ ନମ୍ବର ବୁଥରେ ଲୋକେ ଇଭିଏମ୍‌ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ଗୋଟିଏ ଦଳକୁ ଭୋଟ ଦେଲେ ଆଉ ଗୋଟିଏ ଦଳକୁ ଭୋଟ ଯାଉଥିବାର ଅଭିଯୋଗ କରି ଲୋକେ ଇଭିଏମ୍‌ ମେସିନ୍‌ ଭାଙ୍ଗି ଦେଇଥିଲେ।

ବଡ଼ମ୍ବାର ୧୯୬ ନମ୍ବର ବୁଥରେ ଭିଭିପାଟରେ ତ୍ରୁଟି ଥିବାରୁ ମତଦାନ ସ୍ଥଗିତ ରଖାଯାଇଛିା ଲୋକସଭା ବୁଥର ଭିଭିପାଟକୁ ବିଧାନସଭା ବୁଥର ଇଭିଏମ୍ ସହ ସଂଯୋଗ ହୋଇଥବା ଅଭିଯୋଗ ହୋଇଥିଲା। ସେହିପରି ବୋଲଗଡ଼ରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାରୁ ୫ ଜଣ ଆହତ ହୋଇଥିବା ଜଣାପଡ଼ିଛି।

ଲୋକସଭାରେ ୬୧, ବିଧାନସଭା ଆସନରେ ୩୫୬ ପ୍ରାର୍ଥୀ

୧୦ ହଜାର ୪୬୪ ବୁଥରେ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ଭୋଟ ଦେଇଥିଲେ। ୬ ଲୋକସଭା ଆସନ ଲାଗି ୬୧ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ୫୫ ଜଣ ପୁରୁଷ ଓ ୬ ଜଣ ମହିଳା ପ୍ରାର୍ଥୀ ଥିଲେ। ସେହିପରି ୪୨ ବିଧାନସଭା ଲାଗି ୩୫୬ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରୁ ୩୧୮ ଜଣ ପୁରୁଷ, ୩୭ ଜଣ ମହିଳା ଓ ଜଣେ ଟ୍ରାନ୍ସଜେଣ୍ଡର ପ୍ରାର୍ଥୀ ଥିଲେ।

ମାଓ ପ୍ରବଣ ଅଞ୍ଚଳ ସମ୍ବଲପୁର, କେନ୍ଦୁଝର ଓ ଢେଙ୍କାନାଳ ଲୋକସଭାର ୭ଟି ସମ୍ବେଦନଶୀଳ ବିଧାନସଭା ଆସନରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା।

Comment