ଓଡ଼ିଶାଲାଇଭ୍ ବ୍ୟୁରୋ

ସୋମବାର ସରିବ ଗୁଜରାଟ ବିଧାନସଭା ନିର୍ବାଚନ। ଦୁଇଟି ପର୍ଯ୍ୟାୟରେ ହୋଇଥିବା ଏହି ନିର୍ବାଚନରେ ଆଜି ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଉତ୍ତର ଓ ମଧ୍ୟ ଗୁଜରାଟରେ ୧୪ ଜିଲ୍ଲାର ୯୩ ଆସନରେ ୮୩୩ ପାର୍ଥୀ ଏଥିରେ ପ୍ରତିଦ୍ଵନ୍ଦିତା କରୁଛନ୍ତି। ମୋଟ ୨ କୋଟି ୫୧ ଲକ୍ଷ ଭୋଟର ଏହି ପାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଭୋଟ ଗ୍ରହଣ ପାଇଁ ୧୪ ହଜାର ୯୭୫ ବୁଥ ହୋଇଥିବା ବେଳେ ଏକ ଲକ୍ଷ ୧୩ ହଜାର କର୍ମଚାରୀ ମତଦାନ କାମରେ ନିୟୋଜିତ ହୋଇଛନ୍ତି।

ଗୁଜରାଟରେ ପ୍ରଥମ ଚରଣରେ ୮୯ଟି ଆସନରେ ଡିସେମ୍ବର ୧ ତାରିଖରେ ଭୋଟ ଗ୍ରହଣ ହୋଇଥିଲା। ଏଥିରେ ଦକ୍ଷିଣ ଗୁଜରାଟ ଓ କଚ୍ଛ ଅଞ୍ଚଳର ୧୯ଟି ଜିଲ୍ଲାର ଆସନଗୁଡ଼ିକ ସାମିଲ ଥିଲା। ମୋଟ ୭୮୮ ଜଣ ପାର୍ଥୀ ଏଠାରେ ପ୍ରତିଦ୍ଵନ୍ଦିତା କରିଥିଲେ। ଏହି ପ୍ରଥମ ଚରଣରେ ମୋଟ ୨ କୋଟି  ୪୦ ଲକ୍ଷ ଭୋଟର ଥିବାବେଳେ, ୬୩.୩୧ପ୍ରତିଶତ ଭୋଟିଂ ହୋଇଥିଲା। ତେବେ ଡିସେମ୍ବର ୮ ତାରିଖରେ ହିମାଚଳ ପ୍ରଦେଶ ସହିତ ମିଳିତ ଭାବେ ଗୁଜରାଟ ନିର୍ବାଚନର ଫଳାଫଳ ଘୋଷଣା ହେବ।

ଚଳିତବର୍ଷ ନିର୍ବାଚନରେ ବିଜେପି ଭୂପେନ୍ଦ୍ର ଭାଇ ପଟେଲଙ୍କୁ ମୁଖ୍ୟମନ୍ତ୍ରୀ ପାର୍ଥୀ କରିଥିବା ବେଳେ ଆମ ଅଦମୀ ପାର୍ଟି ଇସୁଦନ ଗଢବୀଙ୍କୁ ନିଜର ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା କରିଛି। ଏହି ବିଧାନସଭା ନିର୍ବାଚନରେ କଂଗ୍ରେସ ଏବଂ ଆମ ଅଦମୀ ପାର୍ଟି ବିଜେପିର ପ୍ରମୁଖ ପ୍ରତିଦ୍ଵନ୍ଦୀ ଭାବେ ଉଭା ହୋଇଛନ୍ତି। ଚଳିତବର୍ଷ ନିର୍ବାଚନରେ ଏକ ତ୍ରିକୋଣୀୟ ମୁକାବିଲା ଦେଖିବାକୁ ମିଳିଛି।

ନିର୍ବାଚନ ପାଇଁ ସବୁ ଦଳଗୁଡ଼ିକ ଅନେକ ରାଲି, ରୋଡ ସୋ ପ୍ରତ୍ୟକ୍ଷରେ ଘର ଘରକୁ ବୁଲି ନିଜ ପାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ। ବିଜେପି ପାଇଁ ନରେନ୍ଦ୍ର ମୋଦୀ, ଅମିତ ଶାହା, ଯୋଗୀ ଆଦିତ୍ୟନାଥଙ୍କ ଭଳି ପ୍ରମୁଖ ନେତା ପ୍ରଚାର କରିଥିଲେ। ବିକାଶ, ରୋଜଗାର, ସମାନ ନାଗରିକ ସଂହିତା ଭଳି ପ୍ରସଙ୍ଗକୁ ନେଇ ପାର୍ଟି ପ୍ରଚାର କରିଥିଲା।

ଗୁଜରାଟ ନିର୍ବାଚନରେ ଆମ ଅଦମୀ ପାର୍ଟି ପ୍ରମୁଖ ଅରବିନ୍ଦ କେଜରିୱାଲ ଦଳର ମଙ୍ଗ ସମ୍ଭାଳିଥିଲେ। ଅନେକ ରାଲିରେ ସେ ଗୁଜରାଟ ସରକାର ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ଗୁଜରାଟରେ ଆମ ଅଦମୀ ପାର୍ଟିର ସରକାର ହେଲେ ସେ ରାଜ୍ୟରେ ସୁଶାସନ ଆଣିବେ ବୋଲି କହିଥିଲେ। ଅପରପକ୍ଷେ କଂଗ୍ରେସ ପକ୍ଷରୁ ପାର୍ଟି ସଚିବ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀଙ୍କ ଭଳି ବରିଷ୍ଠ ନେତା ପ୍ରଚାର କରିଥିଲେ।

ଗୁଜରାଟରେ ୧୯୯୫ ମସିହାରୁ ବିଜେପିର ସରକାର ରହିଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୦୧ରେ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ସେ ୨୦୧୪ ରେ ପ୍ରଧାନମନ୍ତ୍ରୀ ହେବା ପରେ ଏଠାରେ ବିଜେପିର ୩ ଜଣ ମୁଖ୍ୟମନ୍ତ୍ରୀ ରହିସାରିଲେଣି। ବିଜେପି ପକ୍ଷରୁ ଅନନ୍ଦିବେନ ପଟେଲ, ବିଜୟ ରୁପାଣିଙ୍କ ପରେ ଏବେ ଭୂପେନ୍ଦ୍ର ଭାଇ ପଟେଲ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ଗୁଜରାଟକୁ ବିଜେପିର ଗଡ଼ ବୋଲି ବିବେଚନା କରାଯାଏ। ୨୦୦୨,୨୦୦୭ ଓ ୨୦୧୨ ମସିହାରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ଲାଭକରିଥିଲା। ତେବେ ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ବିଜୟର ସ୍ଵାଦ ନେଇପାରିନଥିଲା। କଂଗ୍ରେସ ୭୭ଟି ଆସନ ହତେଇଥିବା ବେଳେ ବିଜେପି ୯୯ଟି ଆସନ ଜିତି ରାଜ୍ୟରେ ସରକାର ଗଢିଥିଲା। ତେବେ ଏହି ବିଜୟ ସତ୍ତ୍ବେ ଗୁଜରାଟର ସମସ୍ତ ନିର୍ବାଚନ ମଧ୍ୟରେ ଏହା ବିଜେପିର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା।

Tags: #GujaratAssemblyElection #Voters #Vote #EVM #8December #ECI

Comment