ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଶୁକ୍ରବାର ଦାୟିତ୍ଵ ଗ୍ରହଣ କରିଛନ୍ତି ଦୁଇ ନୂଆ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଉଭୟଙ୍କୁ ସ୍ଵାଗତ କରିଛନ୍ତି। ଏନେଇ ଭାରତୀୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି।

ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ନେଇ ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ କମିଟି ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କ ନାମ ସୁପାରିସ କରିଥିଲେ।

ଫେବ୍ରୁଆରି ୧୪ ତାରିଖରେ ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ମାର୍ଚ୍ଚ ୮ ତାରିଖରେ ନିର୍ବାଚନ କମିଶନର ଅରୁଣ ଗୋୟଲଙ୍କ ଇସ୍ତଫା ପରେ ଏହି ଦୁଇଟି ପଦବୀ ଖାଲି ପଡ଼ିଥିଲା।

ଜ୍ଞାନେଶ କୁମାର ହେଉଛନ୍ତି ୧୯୮୮ ବ୍ୟାଚ୍ କେରଳ କ୍ୟାଡର ଆଇଏଏସ୍ ଅଧିକାରୀ। ପୂର୍ବରୁ ସେ କେନ୍ଦ୍ରରେ ବିଭିନ୍ନ ମନ୍ତ୍ରାଳୟର ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହିଛନ୍ତି। ୨୦୨୨ ମସିହାରେ ତାଙ୍କୁ କେନ୍ଦ୍ର ସମବାୟ ମନ୍ତ୍ରାଳୟର ସଚିବ ଭାବେ ଦାୟିତ୍ଵ ମିଳିଥିଲା।

ସେହିପରି ସୁଖବୀର ସିଂହ ସାନ୍ଧୁ ମଧ୍ୟ ଜଣେ ୧୯୮୮ ବ୍ୟାଚ୍ ଉତ୍ତରାଖଣ୍ଡ କ୍ୟାଡର ଆଇଏଏସ୍ ଅଧିକାରୀ। ସେ ଉତ୍ତରାଖଣ୍ଡ ସରକାରରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ। ଗତ ଜାନୁଆରୀ ୩୧ ତାରିଖରେ ସେ ଉତ୍ତରାଖଣ୍ଡର ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରିଥିଲେ।

Tags: #ElectionCommissioners #IndianGeneralElection #ECI #India

Comment