ଓଡ଼ିଶାଲାଇଭ୍‌ ହେଲ୍‌ଥ ବ୍ୟୁରୋ

ସାଧାରଣତଃ ନି ରିପ୍ଲେସମେଣ୍ଟ ସର୍ଜରି ବା ଆଣ୍ଠୁ ପ୍ରତ୍ୟାରୋପଣ ଏକ ଜଟିଳ ଚିକିତ୍ସା। କେତେକ କ୍ଷେତ୍ରରେ ଏହି ଚିକିତ୍ସାରେ ସଫଳତା ମଧ୍ୟ ମିଳିନଥାଏ। ତା’ ଛଡ଼ା ଚିକିତ୍ସା ପରେ ରୋଗୀକୁ ଠିଆ ହେବା ଓ ଚାଲିବା ପାଇଁ ଚାରିରୁ ପାଞ୍ଚ ଦିନ ଲାଗିଥାଏ। ଏହି ଅପରେସନ୍‌ ପରେ ରୋଗୀକୁ ପ୍ରାୟ ଦୁଇ ସପ୍ତାହ ଡାକ୍ତରଖାନାରେ ରହିବାକୁ ପଡ଼ିଥାଏ। ତେବେ ଏହାର ଆଧୁନିକ ଚିକିତ୍ସା ଫଳରେ ଆଜି ପେନ୍‌ଲେସ ନି ରିପ୍ଲେସମେଣ୍ଟ ସର୍ଜରି ସମ୍ଭବପର ହୋଇପାରିଛି।

ଏପ୍ରିଲ୍ ୨୫ ତାରିଖ ଦିନ ଭୁବନେଶ୍ୱରସ୍ଥିତ କେୟାର ହସ୍ପିଟାଲ୍‌ରେ ଏଭଳି ଏକ ଅତ୍ୟାଧୁନିକ ଅପରେସନ୍‌ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ରୋଗୀ ସୁବାସ ଚନ୍ଦ୍ର ପଟ୍ଟନାୟକ ଅପରେସନ୍‌ର ୪ ଘଣ୍ଟା ମଧ୍ୟରେ ଚାଲିବାକୁ ସକ୍ଷମ ହୋଇଛନ୍ତି। ଏଭଳି ପେନ୍‌ଲେସ୍‌ ନି ରିପ୍ଲେସମେଣ୍ଟ ସର୍ଜରି ଚିକିତ୍ସା କ୍ଷେତ୍ରରେ ଓଡ଼ିଶାରେ ଏହା ପ୍ରଥମ ଘଟଣା ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଛି।

ବରିଷ୍ଠ ଜଏଣ୍ଟ ରିପ୍ଲେସମେଣ୍ଟ ବିଶେଷଜ୍ଞ ଡାକ୍ତର ବସନ୍ତ କୁମାର ବେହେରା ଓଡ଼ିଶାଲାଇଭ୍‌କୁ କହିଛନ୍ତି ଯେ ଚିକିତ୍ସା ବିଜ୍ଞାନର ବିକାଶ ଫଳରେ ଏଭଳି ଯନ୍ତ୍ରଣାବିହୀନ ଅପରେସନ୍ ସମ୍ଭବପର ହୋଇପାରିଛି। ରୋଗୀ ସୁବାସ ଚନ୍ଦ୍ର ପଟ୍ଟନାୟକ ଅପରେସନ୍‌ର ଅଳ୍ପ କେତେ ଘଣ୍ଟା ମଧ୍ୟରେ ଚାଲିବାକୁ ସକ୍ଷମ ହୋଇଛନ୍ତି। ମାତ୍ର ଦୁଇ ଦିନ ଭିତରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯିବ ବୋଲି ଡାକ୍ତର ବେହେରା କହିଛନ୍ତି।

ଏହି ଅପରେସନ୍ ବେଳେ ଅଲ୍‌ଟ୍ରାସାଉଣ୍ଡ୍ ଗାଇଡେଡ୍‌ ନର୍ଭ ବ୍ଲକ୍‌ ପଦ୍ଧତି ଅନୁସରଣ କରାଯାଇଥିଲା। ଏହାଫଳରେ ରୋଗୀଙ୍କୁ କୌଣସି ଯନ୍ତ୍ରଣା ଅନୁଭବ ହେଲା ନାହିଁ। କେବଳ ସେତିକି ନୁହେଁ ଏହି ଅତ୍ୟାଧୁନିକ ଚିକିତ୍ସା ଧାରା ପାଇଁ ଅପରେସନ୍‌ର ମାତ୍ର ୪ ଘଣ୍ଟା ମଧ୍ୟରେ ରୋଗୀ ଚାଲିବା ସମ୍ଭବପର ହୋଇପାରିଲା ବୋଲି କହିଛନ୍ତି ନିଶ୍ଚେତକ ବିଶେଷଜ୍ଞ ଡାକ୍ତର ରିତେଶ ରଏ।

ଆଗରୁ ଏଭଳି ଚିକିତ୍ସା ପାଇଁ ରୋଗୀଙ୍କୁ ଓଡ଼ିଶା ବାହାରକୁ ଯିବାକୁ ପଡ଼ୁଥିଲା। କିନ୍ତୁ ଏବେ ରାଜ୍ୟରେ ଏହି ଅତ୍ୟାଧୁନିକ ଚିକିତ୍ସା ସେବା ମିଳିବା ଫଳରେ ରୋଗୀଙ୍କୁ ସୁବିଧା ହେଉଛି।

ଭୁବନେଶ୍ୱର କେୟାର ହସ୍ପିଟାଲ ସିଓଓ ଗୁରିତ୍ କୌର୍ ସେଠୀ ଓଡ଼ିଶାଲାଇଭକୁ କହିଛନ୍ତି, ‘‘କେୟାର ହସ୍ପିଟାଲ ସବୁବେଳେ ରୋଗୀମାନଙ୍କୁ ଗୁଣାତ୍ମକ ଓ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଯୋଗାଇ ଆସିଥାଏ। ସେଥିମଧ୍ୟରୁ ପେନଲେସ୍ ନି ରିପ୍ଲେସମେଣ୍ଟ ସର୍ଜରି ହେଉଛି ଅନ୍ୟତମ। ରୋଗୀମାନଙ୍କୁ ଉଚିତ ମୂଲ୍ୟରେ କିପରି ଗୁଣାତ୍ମକ ଏବଂ ଅତ୍ୟାଧୁନିକ ଚିକିତ୍ସା ସେବା ମିଳିବ ସେ ଦିଗରେ ଆମେ ଅଧିକ ଧ୍ୟାନ ଦେଇଥାଉ।’’

Comment