ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶେଷ ଦିନରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ନବୀନ ଏବଂ ବିଜେପି ପ୍ରାର୍ଥୀଙ୍କ ପାଇଁ ଅମିତ ଶାହ କଲେ ପ୍ରଚାର।

ସରିଗଲା ପ୍ରଚାର। ଗାଁ ଦାଣ୍ଡରେ ଆଉ ଡାକିବାଜି ଯନ୍ତ୍ରର ଗର୍ଜନ ଶୁଭିବ ନାହିଁ କି ରାଲି ଓ ରୋଡ ସୋ’ ଦେଖିବାକୁ ମିଳିବନି। ପ୍ରାର୍ଥୀ ବି ଆଉ ଦୁଆର ଦୁଆର ବୁଲି ଭୋଟ ମାଗିବେନି। ସୋମବାର ଭୋଟ ଗ୍ରହଣ ଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଯାଇଛି।

ତେବେ ପ୍ରଚାରର ଶେଷ ଦିନରେ ହେବିଓ୍ୱେଟ ନେତାମାନେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ନିର୍ବାଚନୀ ମଇଦାନରେ ଦମ୍ ଦେଖାଇଛନ୍ତି ନେତା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଶେଷ ଦିନରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରରେ ପ୍ରଚାର କରିଥିବା ବେଳେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଅମିତ ଶାହ ଆଜି ଦିଲ୍ଲୀରୁ ଆସିଥିଲେ।

ଶାହ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ଏବଂ ଯାଜପୁରର ସୁକିନ୍ଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ।

କେନ୍ଦ୍ରାପଡ଼ାରେ ହାଇଟେକ ବସରେ ମାରାଥନ ପ୍ରଚାର କରି ନବୀନ ଉଭୟ ବିଜେପି ଏବଂ ମୋଦିଙ୍କୁ ଟାର୍ଗେଟ କରିଥିଲେ। ଆଳି, ପଟ୍ଟାମୁଣ୍ଡା, ସାଲେପୁରରେ ପ୍ରଚାର କରି ନବୀନ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଥିଲେ।

‘‘ଗୋଟିଏ ମାସରେ ପ୍ରଧାନମନ୍ତ୍ରୀ ମୋଦି ୧୦ ଥର ଓଡ଼ିଶା ଆସିଲେଣି। ବନ୍ୟା, ବାତ୍ୟା ବେଳେ ମୋଦି ଓଡ଼ିଶା ଆସି ନଥିଲେ। ଭୋଟ ପାଇଁ ମୋଦି ବାରମ୍ବାର ଓଡ଼ିଶା ଆସୁଛନ୍ତି। ହେଲେ ତାଙ୍କୁ ଲୋକେ ଏଥର ଜବାବ ଦେବେ’’, କହିଥିଲେ ନବୀନ।

ଖାଲି ସେତିକି ନୁହେଁ, ମୋଦି କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ବି ଟାର୍ଗେଟ କରିବାକୁ ପଛାଇ ନଥିଲେ। ବୈଜୟନ୍ତ ବିଶ୍ୱାସଘାତକ ଏବଂ ତାଙ୍କୁ ଏଥର କେନ୍ଦ୍ରାପଡ଼ାବାସୀ ଗ୍ରହଣ କରିବେ ନାହିଁ ବୋଲି ନୀବନ କହିଥିଲେ।

ନବୀନ କେନ୍ଦ୍ରାପଡ଼ାରେ ବିଜେପି ଏବଂ ମୋଦିଙ୍କୁ ସମାଲୋଚନା କରୁଥିବା ବେଳେ ପଡ଼ୋଶୀ ଜିଲ୍ଲା ଯାଜପୁରରେ ବିଜେଡି ଓ ନବୀନଙ୍କୁ ନିଶାନା କରିଥିଲେ ଅମିତ ଶାହ।

ଯାଜପୁରର ସୁକିନ୍ଦାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ନବୀନ ସରକାର ଉପରେ ବର୍ଷିଥିଲେ ଶାହ। ଶାହ କହିଥିଲେ ଯେ ଖଣି ଦୁର୍ନୀତି ଓ ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇଛନ୍ତି ବିଜେଡି ନେତା। ବିଜେପି ସରକାରକୁ ଆସିଲେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ୯୦ ଦିନ ଭିତରେ ଜେଲ୍ ପଠାଯିବ।

ଏହାସହ ବିଜେପିକୁ ଓଡ଼ିଶାରେ ୫ ବର୍ଷ ସରକାର ଗଢ଼ିବାକୁ ସୁଯୋଗ ଦେବା ପାଇଁ ଶାହ ନିବେଦନ କରିଥିଲେ। ସେହିପରି ମୋରଡ଼ାରେ ମଧ୍ୟ ଶାହ ପ୍ରଚାର କରି ଶେଷ ଦିନରେ ମାହୋଲକୁ ସରଗରମ କରିଥିଲେ।

ଏପଟେ ବାଲେଶ୍ୱର ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀଙ୍କ ପାଇଁ ପ୍ରଚାର କରିଥିଲେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ରୋଡ ସୋ’ କରି ପ୍ରାର୍ଥୀଙ୍କୁ ଜିତାଇବାକୁ ନିବେଦନ କରିଥିଲେ।

ଆଜି ପ୍ରଚାର ଶେଷ ହୋଇଥିବା ବେଳେ ଶୁକ୍ରବାର ଦିନ ରାହୁଲ ଗାନ୍ଧି ଆସିଥିଲେ ବାଲେଶ୍ୱର। ରେମୁଣାରେ ନିର୍ବାଚନୀ ସଭା କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ କରିଥିଲେ। ଏହାସହ କେନ୍ଦ୍ରର ବିଜେପି ସରକାରକୁ ତୀର ମାରିଥିଲେ।

ପ୍ରଚାର ଶେଷ ହେବା ପରେ ପୋଲିଂ ପାର୍ଟି ବିଭିନ୍ନ ବୁଥ ମୁହାଁ ହୋଇଛନ୍ତି।

ଓଡ଼ିଶାର ୬ଟି ଲୋକସଭା ଏବଂ ୪୧ଟି ବିଧାନସଭା ଆସନ ପାଇଁ ସୋମବାର ହେବ ଭୋଟିଂ। ୬ ଲୋକସଭା ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ୯୫ ଲକ୍ଷ ୧୪ ହଜାର ୮୮୩ ଭୋଟର। ସେଥିମଧ୍ୟରେ ଅଛନ୍ତି ୪୯ ଲକ୍ଷ ୮ ହଜାର ୫୭୫ ପୁରୁଷ ଏବଂ ୪ ଲକ୍ଷ ୬୫ ହଜାର ୬୯୪ ମହିଳା ଭୋଟର। ୬୧୫ ଜଣ ତୃତୀୟ ଲିଙ୍ଗୀ ମଧ୍ୟ ମତଦାନ କରିବେ। ମୋଟ ୧୦ ହଜାର ୭୯୨ ପୋଲିଂ ବୁଥରେ ଭୋଟର ମତଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

Comment