ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାତିରପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଛୋଟ ପିଲାମାନଙ୍କୁ ନେଇ ‘୧୫୦ ବର୍ଷରେ ମହାତ୍ମା’ ଶୀର୍ଷକରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ୨୪ତମ ଇଟିକିଲି ମିଟିକିଲି ଉତ୍ସବ ପାଇଁ ରବିବାର ପଠାଣି ସାମନ୍ତ ପ୍ଲାନେଟୋରିୟମଠାରେ ଇଟିକିଲି ମିଟିକିଲି ଅନୁଷ୍ଠାନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢୁଥିବା ଓଡ଼ିଶାର ବିଭିନ୍ନ ସ୍ଥାନରୁ ୧୮୪ ଜଣ ପ୍ରତିଯୋଗୀ ଏହି ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ବହୁ ସଂଖ୍ୟକ ବସ୍ତି ପିଲାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ଏହି ଅବସରରେ ପ୍ରତିଯୋଗୀ ଓ ପିତାମାତାଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥି ଭାବ ରୟାଲ କଲେଜ୍‍ର ଚେୟାରମ୍ୟାନ ବିଷ୍ଣୁମୋହନ ମହାନ୍ତି ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଚିତ୍ରଶିଳ୍ପୀ ତଥା କାଟୁର୍ନିଷ୍ଟ କମଳାକାନ୍ତ ରଥ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମରେ ଗାନ୍ଧିଜୀଙ୍କ ଜୀବନର କିଛି ମହତ୍ତ୍ୱପୂର୍ଣ୍ଣ ଘଟଣା ସଂପର୍କରେ ଶ୍ରୀ ମହାନ୍ତି ଚର୍ଚ୍ଚା କରିଥିବା ବେଳେ ଚିତ୍ରାଙ୍କନ ପ୍ରତିଯୋଗିତା ପିଲାମାନଙ୍କର ଚିନ୍ତାଧାରା ଓ ସୃଜନଶୀଳତାକୁ ରଙ୍ଗତୂଳୀରେ ପରିସ୍ଫୁଟନ କରିଥିଲେ ଚିତ୍ରଶିଳ୍ପୀ କମଳାକାନ୍ତ ରଥ।

୨୪ତମ ଇଟିକିଲି ମିଟିକିଲି ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟ ଆଗାମୀ ଆସନ୍ତା ୧୧ ଓ ୧୨ ତାରିଖରେ ହେବ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଭୁବନେଶ୍ୱର ରୟାଲ କଲେଜ ଅଫ ସାଇନ୍ସ ଆଣ୍ଡ ଟେକ୍‍ନୋଲୋଜିଠାରେ ଅନୁଷ୍ଠିତ ହେବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପୁରସ୍କାର ପ୍ରଦାନ ଉତ୍ସବ ଜୁଲାଇ ୨୧ ତାରିଖ ଦିନ ଜୟଦେବ ଭବନରେ ଆୟୋଜିତ ହେବ। ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ଚିତ୍ର ସମୂହକୁ ନେଇ, ନଭେମ୍ବର ମାସ ୨, ୩ ଏବଂ ୪ ତାରିଖରେ ଜୟଦେବ ଭବନଠାରେ ଏକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଂଯୋଜକ ଚିତ୍ତ ମହାପାତ୍ର, ସଚିବ ଶରତ କୁମାର ନାୟକ, ସହସଚିବ ଜୟପ୍ରକାଶ ମିଶ୍ର ନିଜ ବକ୍ତବ୍ୟ ରଖି ପିଲାଙ୍କୁ ପ୍ରଶଂସା କରିଥିଲେ। ଅନୁଷ୍ଠାନର ଅନ୍ୟାନ୍ୟ କର୍ମକର୍ତ୍ତା ଯଥା, ସାଂସ୍କୃତିକ ସଂପାଦିକା ଅନୀତା ରଥ, ପ୍ରିୟଦର୍ଶୀ ଶୁଭକାନ୍ତ, ଶିଳ୍ପୀତା ବିଶ୍ୱାଳ, ତୃପ୍ତି ବାରିକ ଓ ତପତୀ ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ।

Comment