ଓଡ଼ିଶାଲାଇଭ୍ ବ୍ୟୁରୋ

ସାମୁଦ୍ରିକ ଝଡ଼ ‘ଫନି’କୁ ନେଇ ପଢ଼ନ୍ତୁ ଗୁରୁତ୍ୱପୂର୍ଣ୍ଣ ଖବର।

ଘଣ୍ଟାକୁ ୧୦ କିମି ବେଗରେ ମାଡ଼ି ଆସୁଛି ବାତ୍ୟା ‘ଫନି’

ଭୟଙ୍କର ରୂପ ନେଉଛି ସାମୁଦ୍ରିକ ଝଡ଼ ‘ଫନି’। ଭୟଙ୍କର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ଫନି। ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ଫନି ମେ’ ୩ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ। ‘ଫନି’ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଉଦୟଗିରି ନିକଟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ସୂଚନା ମିଳିଛି। ଘଣ୍ଟାପ୍ରତି ‘ଫନି’ର ବେଗ ୧୦ କିଲୋମିଟର ରହିଛି। ପୂର୍ବରୁ ଏହି ବେଗ ଘଣ୍ଟାପ୍ରତି ୭ କିମି ଥିଲା।

ମାଡ଼ି ଆସୁଛି ‘ଫନି’ – ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ନିର୍ଦ୍ଦେଶ

ସାମୁଦ୍ରିକ ଝଡ଼ ଫନିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଅର୍ଥାତ୍ ମେ’ ୨ରେ ପୁରୀ ଛାଡ଼ିବାକୁ ପଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ୨ରୁ ୪ ତାରିଖ ମଧ୍ୟରେ ‘ଫନି’ ଦ୍ୱାରା ପ୍ରଭାବିତ ଅଞ୍ଚଳ ମଧ୍ୟ ପର୍ଯ୍ୟଟକମାନଙ୍କୁ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ରିଲିଫ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। ସାମୁଦ୍ରିକ ଝଡ଼ ‘ଫନି’ ଏବେ ଘଣ୍ଟାପ୍ରତି ୧୦କିମି ବେଗରେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଏହା ପୁରୀଠାରୁ ୬୮୦ କିଲୋମିଟର ଦୂରରେ ରହିଛି।

‘ଫନି’ ପାଇଁ ୨ରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ସାମୁଦ୍ରିକ ଝଡ଼ ‘ଫନି’ ମୁକାବିଲା ନେଇ ରାଜ୍ୟ ସରକାର ତତ୍ପର। ଏହା ଏବେ ଘଣ୍ଟାପ୍ରତି ୭କିମି ବେଗରେ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏବେ ଏହା ପୁରୀଠାରୁ ୭୧୦ ଓ ବିଶାଖପଟନମଠାରୁ ୪୧୦ କିମି ଦୂରରେ ରହିଛି। ଫନି ପ୍ରଭାବରେ ସାରା ରାଜ୍ୟରେ ୨ତାରିଖରୁ ବର୍ଷା ଆରମ୍ଭ ହେବ। ସେପଟେ ରାଜ୍ୟ ମୁଖ୍ୟ ରିଲିଫ କମିଶନ ‘ଫନି’ ପାଇଁ ଆସନ୍ତାକାଲିଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ଆଦେଶ ଯାଏଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ତେବେ ଏହି ସମୟରେ ହେବାକୁ ଥିବା ପରୀକ୍ଷାଗୁଡ଼ିକୁ ଘୁଞ୍ଜାଇଦିଆଯାଇପାରେ ବୋଲି ସୂଚନା ମିଳିଛି।

‘ଫନି’ ମୁକାବିଲା ଲାଗି ୧୧ଜିଲ୍ଲାରୁ ଉଠିଲା ନିର୍ବାଚନ ଆଚରଣ ବିଧି

ସମ୍ଭାବ୍ୟ ବାତ୍ୟା ‘ଫନି’ ମୁକିବାଲା ଲାଗି ରାଜ୍ୟରେ ୧୧ଟି ଜିଲ୍ଲାରୁ ନିର୍ବାଚନ ଆଚରଣ ବିଧି ପ୍ରତ୍ୟାହାର କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଏ ନେଇ ଗତକାଲି ସ୍କ୍ରିନିଂ କମିଟି ନିଷ୍ପତ୍ତି ଅନୁସାରେ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଥିଲେ। ନିର୍ବାଚନ ଆଚରଣ ବିଧି ଉଠିବା ପରେ ସମସ୍ତ ସରକାରୀ କର୍ମଚାରୀ ବିନା କୌଣସି ବାଧାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ କରିପାରିବେ। ବାତ୍ୟା ‘ଫନି’କୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି।

Comment