ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ‘ଫନି’ର ମୁକାବିଲାକୁ ନେଇ ପଢ଼ନ୍ତୁ ବର୍ତ୍ତମାନର ଟିକିନିଖି ଖବର।

‘ଫନି’ ତାଣ୍ଡବ – ୧୪ ଜିଲ୍ଲାରେ ଦେଢ଼ କୋଟି ଲୋକ ପ୍ରଭାବିତ

ବାତ୍ୟା ଫନିରେ ରାଜ୍ୟରେ ହୋଇଥିବା ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ ଏସଆରସି ବିଷ୍ଣୁପଦ ସେଠୀ ରିପୋର୍ଟ ଦେଇଛନ୍ତି। ରିପୋର୍ଟ ଅନୁସାରେ ରାଜ୍ୟର ୧୪ଟି ଜିଲ୍ଲାର ୧ କୋଟି ୫୦ ଲକ୍ଷ ୯୪ ହଜାର ୩ଶହ ୨୧ ଜଣ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼।

ବାତ୍ୟା ପ୍ରଭାବିତ ୫ ଜିଲ୍ଲାରେ ଶନିବାର-ରବିବାର ଖୋଲା ରହିବ ଅଫିସ

ବାତ୍ୟା ଫନି ପାଇଁ ଆଗାମୀ ଶନିବାର ଓ ରବିବାର ୫ଟି ଜିଲ୍ଲାରେ ସରକାରୀ ଅଫିସ ଖୋଲା ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଶନିବାର ଓ ରବିବାର ଅଫିସ ଆସିବେ କର୍ମଚାରୀ। ପୁରୀ, କଟକ ଓ ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ଖୋଲା ରହିବ ଅଫିସ।

ଫନି କ୍ଷୟକ୍ଷତି ଆକଳନ ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ

ମେ’ ୩ରେ ହୋଇଥିବା ପ୍ରଳୟଙ୍କରୀ ବାତ୍ୟାରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବାତ୍ୟା ଫନି ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସୁଥିବା ଜଣାପଡ଼ିଛି। ମେ’ ୧୨ରୁ ୧୫ ତାରିଖ ଯାଏଁ ଏହି ଟିମ୍ ଓଡ଼ିଶାରେ ରହିବ। ଏହି ସମୟ ମଧ୍ୟରେ କେନ୍ଦ୍ରୀୟ ଟିମ୍‌ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ପରିଦର୍ଶନ କରିବେ।

ମେ’ ୧୨ ତାରିଖ ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାକୁ ୯୦ ପ୍ରତିଶତ ବିଦ୍ୟୁତ ସଂଯୋଗ

ମେ’ ୧୨ ତାରିଖ ସୁଦ୍ଧା ବାତ୍ୟା ପ୍ରଭାବିତ ଜିଲ୍ଲାକୁ ୯୦ ପ୍ରତିଶତ ବିଦ୍ୟୁତ ସଂଯୋଗ ଦିଆଯିବ। ପୁରୀ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁ ଜିଲ୍ଲାରେ ୧୨ ତାରିଖ ସୁଦ୍ଧା ବିଦ୍ୟୁତ ସଂଯୋଗ ମିଳିବା ବଦ୍ୟୁତ ସ୍ଥିତି ସମୀକ୍ଷା ପରେ ଶକ୍ତି ସଚିବ ହେମନ୍ତ ଶର୍ମା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତିା

‘ଫନି’ ପୀଡ଼ିତଙ୍କ ପାଇଁ ଏଚଡିଏଫସି ବ୍ୟାଙ୍କ ଦେଲା ୧୦ କୋଟି

ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିବାରୁ ବିଭିନ୍ନ ମହଲରୁ ସହାୟତାର ସୁଅ ଛୁଟୁଛି। ଏହି କ୍ରମରେ ଏଚଡିଏଫସି ବ୍ୟାଙ୍କ ପକ୍ଷରୁ ବାତ୍ୟା ପୀଡ଼ିତଙ୍କ ପାଇଁ ୧୦ କୋଟି ଟଙ୍କା ଦିଆଯାଇଛି। ବ୍ରାଞ୍ଚର ବ୍ୟାଙ୍କିଂ ହେଡ୍ ସନ୍ଦୀପ ଏସ୍ କୁମାର ଏବଂ ଆଞ୍ଚଳିକ ମୁଖ୍ୟ ରାକେଶ ଶ୍ରୀବାସ୍ତବ ଓ ଡେପୁଟି ଭାଇସ୍ ପ୍ରେସିଡେଣ୍ଟ ଅନିମେଶ ବିଶ୍ୱାଳ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୧୦ କୋଟି ଟଙ୍କାର ଚେକ୍ ପ୍ରଦାନ କରିଥିଲେ।

ବାତ୍ୟା ପ୍ରଭାବିତ ଅଞ୍ଚଳରେ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ବ୍ୟାଙ୍କ

ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ଅପରାହ୍ଣ ୪ଟା ବଦଳରେ ସନ୍ଧ୍ୟା ୬ଟା ଯାଏଁ ଖୋଲା ରହିବ ବ୍ୟାଙ୍କ। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। ଗ୍ରାହକମାନେ ସନ୍ଧ୍ୟା ୬ଟା ଯାଏଁ ବ୍ୟାଙ୍କିଙ୍ଗ୍ ସୁବିଧା ପାଇ ପାରିବେ।

ରବିବାର ବଡ଼ଦାଣ୍ଡରେ ଆସିବ କରେଣ୍ଟ, ମେ’ ୧୫ ପରେ ବ୍ୟାଙ୍କ ସେବା

ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ବାତ୍ୟା ଫନି ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି। “୧୨ତାରିଖ ସୁଦ୍ଧା ପୁରୀ ବଡ଼ଦାଣ୍ଡକୁ ବିଦ୍ୟୁତ ସଂଯୋଗ ଦିଆଯିବ। ୧୫ ପରେ ପୁରୀ ଓ କୋଣାର୍କରେ ବ୍ୟାଙ୍କସେବା ଲୋକମାନଙ୍କୁ ଯୋଗାଇ ଦିଆଯିବ। ବ୍ୟାଙ୍କ ଓ ଇଣ୍ଟରନେଟ ସୁବିଧା ନଥିଲେ ବି ବ୍ୟାଙ୍କସେବା ଚାଲୁ ରଖିବାକୁ ନିର୍ଦ୍ଦେଶ ରହିଛି।”

ଶ୍ରୀମନ୍ଦିର ପୁନରୁଦ୍ଧାର ପାଇଁ ଇଣ୍ଡିଆନ ଅଏଲ ବଢ଼ାଇଲା ସହାୟତାର ହାତ

ବାତ୍ୟା ‘ଫନି’ରେ ପୁରୀ ସହରରେ ବ୍ୟାପକ କ୍ଷତି ହୋଇଛି। ତେବେ ଏଥିରୁ ବାଦ୍ ପଡ଼ି ନଥିଲା ଶ୍ରୀମନ୍ଦିର। ବାତ୍ୟା ଫନିରେ ଶ୍ରୀମନ୍ଦିରର ବ୍ୟାପକ କ୍ଷତି ହୋଇଛି। ପ୍ରାୟ ୫ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ପୁରୀକୁ ପଠାଯିବ ମୋବାଇଲ ଏଟିଏମ୍

ବାତ୍ୟା ‘ଫନି’ ପ୍ରଭାବରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ପୁରୀ। ପୁରୀ ୫୦ ବର୍ଷ ତଳକୁ ଫେରି ଯାଇଛି। ଏଠି ବିଜୁଳି କେବେ ଆସିବ ତାହା କହି ହେଉନି। ବିଜୁଳି ନଥିବାରୁ ବ୍ୟାଙ୍କସେବା ପୂରା ଠପ୍ ହୋଇଯାଇଛି। ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ପୁରୀକୁ ମୋବାଇଲ ଏଟିଏମ୍ ପଠାଇବା ପାଇଁ ରିଜର୍ଭ ବ୍ୟାଙ୍କ ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି।

ବାତ୍ୟା ଫନି ସମ୍ପର୍କିତ ଭିଡିଓ ପାଇଁ କ୍ଲିକ୍ କରନ୍ତୁ

Comment