ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନିରେ ରାଜ୍ୟରେ ହୋଇଥିବା ସମ୍ପୂର୍ଣ୍ଣ କ୍ଷୟକ୍ଷତି ନେଇ ଏସଆରସି ବିଷ୍ଣୁପଦ ସେଠୀ ରିପୋର୍ଟ ଦେଇଛନ୍ତି।

ରିପୋର୍ଟ ଅନୁସାରେ ରାଜ୍ୟର ୧୪ଟି ଜିଲ୍ଲାର ୧ କୋଟି ୫୦ ଲକ୍ଷ ୯୪ ହଜାର ୩ଶହ ୨୧ ଜଣ ଲୋକ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଜିଲ୍ଲାଗୁଡ଼ିକ ହେଉଛି ପୁରୀ, ଖୋର୍ଦ୍ଧା, କଟକ, ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼।

ବାତ୍ୟାରେ ଭାଙ୍ଗିଛି ଲକ୍ଷରୁ ଅଧିକ ଘର

ଏସଆରସିଙ୍କ ସୂଚନା ଅନୁସାରେ ବାତ୍ୟାରେ ମୋଟ ୫ ଲକ୍ଷ ୮ ହଜାର ୪୬୭ ଘର ଭାଙ୍ଗି ଥିଲାବେଳେ ୪୧ ଜଣଙ୍କ ମୃତ୍ୟୁ ଘଟିଛି। ସବୁଠୁ ଅଧିକ ପୁରୀ ଜିଲ୍ଲା ପ୍ରଭାବିତ ହୋଇଛି। ପୁରୀରେ ମୋଟ ୧ ଲକ୍ଷ ୭୯ ହଜାର୮୫ଟି ମାଟି ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି।

ଖୋର୍ଦ୍ଧା ଓ ଭୁବନେଶ୍ୱରରେ ସବୁଠୁ ଅଧିକ ଗଛ ଉପୁଡ଼ି ପଡ଼ିଛି। ଗଛ ପଡ଼ି ୩ ଜଣ ଆହତ ହୋଇଛନ୍ତି।

ଯାଜପୁରରେ ସବୁଠୁ ଅଧିକ ଆହତ

ଫନିରେ ଯାଜପୁର ଜିଲ୍ଲାର ୭୪ ଜଣ ଲୋକ ଆହତ ହୋଇଛନ୍ତି। ଖୋର୍ଦ୍ଧା ଓ ପୁରୀରେ ସବୁଠୁ ଅଧିକ ଟେଲିକମ ସେବା ବ୍ୟାହତ ହୋଇଛି। ରାଜ୍ୟରେ ୫ ହଜାର ୨୪୪ଟି ପ୍ରାଥମିକ ବିଦ୍ୟାଳୟ ଓ ୧ ହଜାର ୫ ଶହ ୪୭ଟି ଉଚ୍ଚ ବିଦ୍ୟାଳୟ ଘର ନଷ୍ଟ ହୋଇଛି।

ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ ମଧ୍ୟ ବାଧାପ୍ରାପ୍ତ ହୋଇଛି। ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରେ ୩ ହଜାର ୨୯ଶହଟି ଜଳସେଚନ ପ୍ରକଳ୍ପ ନଷ୍ଟ ହୋଇଛି। ଏଥିସହ ୯ ହଜାର ୬୯୩ କିଲୋମିଟର ଆର୍‌ଡି ରୋଡ କ୍ଷତି ହେବା ସହ ୬୧୦ଟି ପକ୍କାଘର କ୍ଷତିଗ୍ରସ୍ତ ହୋଇଛି।

ଅଧିକ ପ୍ରଭାବିତ ଜିଲ୍ଲାରେ ରିଲିଫ ବଣ୍ଟନ

ଅଧିକ ପ୍ରଭାବିତ ୫ଟି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଅନୁସାରେ ସହାୟତା ପ୍ରଦାନ ଜାରି ରହିଛି। ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଜିଲ୍ଲାରେ ଲୋକଙ୍କୁ ଚାଉଳ, ପଲିଥିନ, ଓ ଟଙ୍କା ଦିଆଯାଉଛି। ପୁରୀ ବାସିନ୍ଦାଙ୍କୁ ଅଧିକ ୫୦ କେଜି ଚାଉଳ ସହ ପଲିଥିନ ଓ ୨ ହଜାର ଟଙ୍କା ପ୍ରଦାନ କରାଯାଉଛି। ସେହପରି ଖୋର୍ଦ୍ଧାରେ ପ୍ରଭାବିତ ଲୋକଙ୍କୁ ୧ ହଜାର ଟଙ୍କା ଓ ମାସକ ପାଇଁ ଚାଉଳ ଦିଆଯାଉଛି।

କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ବାତ୍ୟା ପ୍ରଭାବିତ ଲୋକଙ୍କୁ ୫ ଶହ ଟଙ୍କା ମାସକ ପାଇଁ ଚାଉଳ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତିା

ରିଲିଫ, ଥଇଥାନ ପରେ ଆରମ୍ଭ ହେବ ବୃକ୍ଷରୋପଣ

ଭାଙ୍ଗି ଯାଇଥିବା ଘରଗୁଡ଼ିକ ରାଜ୍ୟ ଗୃହ ନିର୍ମାଣ ଯୋଜନା ଅନୁଯାୟୀ ନିର୍ମାଣ କରାଯିବ। ପଶୁପକ୍ଷୀ, ମାଛଚାଷ, ଧାନ ଏବଂ ଅନ୍ୟ ଚାଷଗୁଡ଼ିକର କ୍ଷତି ନେଇ ସମୀକ୍ଷା ହେବା ପରେ କ୍ଷତିପୂରଣ ଦିଆଯିବ। ରିଲିଫ ବଣ୍ଟନ, ଥଇଥାନ କାର୍ଯ୍ୟ ପରେ ବୃକ୍ଷ ରୋପଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଏସ୍‌ଆରସି ସୂଚନା ଦେଇଛନ୍ତି।

Comment