ଓଡ଼ିଶାଲାଇଭ ବ୍ୟୁରୋ
ପିପିଲି ଅଞ୍ଚଳରେ ଛାରଖାର କଲା ବାତ୍ୟା ‘ଫନି’। ପ୍ରଭାବିତ ଅଞ୍ଚଳରେ ରିଅଲିଟି ଚେକ୍ କଲା ଓଡ଼ିଶାଲାଇଭ୍ ଟିମ୍।
(ପିପିଲିରୁ ମୋନାଲିଶା ମିଶ୍ର): କେଉଁଠି ଘର ଉପରୁ ଛପର ଉଡ଼ି ଯାଇଛି ତ କେଉଁଠି କଚ୍ଚା ଘର ମାଟିରେ ମିଶି ଯାଇଛି। ଆଉ କେଉଁଠି କ୍ୟାବିନ ଉପରେ ଗଛ ମାଡ଼ି ବସିଛି ତ ଆଉ କେଉଁଠି ଫସଲ ନଷ୍ଟ ହୋଇଛି। ବାତ୍ୟା ‘ଫନି’ ଚାଲିଯିବା ପରେ ଏହି ଚିତ୍ର ଏବେ ସାମ୍ନାକୁ ଆସିଛି। ଏହି ଚିତ୍ର ହେଉଛି ପୁରୀ ଜିଲ୍ଲା ପିପିଲି ବ୍ଲକର। ପିପିଲିର ବାତ୍ୟା ପ୍ରଭାବିତ ଗାଁକୁ ଯାଇ ରିୟଲିଟି ଚେକ୍ କରିଥିଲା ଓଡ଼ିଶାଲାଇଭ୍ ଟିମ୍।
ପିପିଲିର ହରିପୁର ଗାଁ ଓ ହରିଜନ ସାହି ବସ୍ତି, ମଙ୍ଗଳପୁର ନିକଟସ୍ଥ ବରଜୁ ପାଟଣା, ପୁରୁସୋତ୍ତମପୁର ଗ୍ରାମପଞ୍ଚାୟତର କୋଠ ସାହି, ନୂଆପଡ଼ା ପ୍ରଧାନ ସାହି ଆଦି ଅଞ୍ଚଳକୁ ଛାରଖାର କରିଦେଇଛି ଫନି। ଏହିସବୁ ଗାଁକୁ ଯାଇ ବାସ୍ତବ ଚିତ୍ର କଏଦ କରିଥିଲା ଓଡ଼ିଶାଲାଇଭ୍ ଟିମ୍।
ପିପିଲି ବ୍ଲକର ବିଭିନ୍ନ ଗାଁରେ ଟିଣ ଓ ଚାଳ ଛପର ଘର ବହୁ ପରିମାଣର ଥିଲା। ହେଲେ ଏସବୁ ମାଟିରେ ମିଶି ଯାଇଛି। ସେହିପରି ବିଲରୁ ମୁଗ, ବିରି ଅମଳ କରି ଘରକୁ ଆଣିଥାନ୍ତେ ଚାଷୀ। କିନ୍ତୁ ସେସବୁ ‘ବାତ୍ୟା’ ଫନି ଧୋଇନେଲା। ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅମଳ ହେବାକୁ ଥିବା ଫସଲ ଆଖି ଆଗରେ ନଷ୍ଟ ହୋଇ ଯାଇଥିବାରୁ ଚାଷୀଙ୍କ ଆଖିରୁ ନିଦ ହଜି ଯାଇଛି।
ସେହିପରି ବହୁ କୁକୁଡ଼ା ଫାର୍ମ ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଛି ପିପିଲି ଅଞ୍ଚଳରେ। ଏବେ କୁକୁଡ଼ା ଚାଷୀ ମଧ୍ୟ ମୁଣ୍ଡରେ ହାତ ଦେଇ ବସିଛି। ହାତରେ ଟଙ୍କା ନଥିବାରୁ କେମିତି ପୁଣି ନୂଆ ଫାର୍ମ କରିବ ତାକୁ ନେଇ ସେମାନେ ଚିନ୍ତାରେ ପଡ଼ିଛନ୍ତି। ‘ଫନି’ ପବନରେ ବହୁ ଦୋକାନ ଘର ଭାଙ୍ଗି ଯାଇଛି। ସେହିପରି ରାସ୍ତା କଡ଼ରେ ଥିବା କ୍ୟାବିନକୁ ମଧ୍ୟ ପବନ ଓଲଟାଇ ଦେଇଛି।
ଫନି ଆସିବା ପୂର୍ବରୁ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିଥିଲା ପ୍ରଶାସନ। ଫଳରେ ଲୋକଙ୍କ ଜୀବନ ରକ୍ଷା ପାଇ ଯାଇଛି। ବିଭିନ୍ନ ସରକାରୀ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲି ଲୋକଙ୍କୁ ରଖାଯାଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି।
ପିପିଲି ଅଞ୍ଚଳର ଅଧିକାଂଶ ଲୋକେ ନଡ଼ିଆ ଚାଷ କରି ଗୁଜୁରାଣ ମେଣ୍ଟାଉଥିଲେ। ନଡ଼ିଆ ଚାଷ ଥିଲା ଏ ଅଞ୍ଚଳର ଆର୍ଥିକ ମେରୁଦଣ୍ଡ। ହେଲେ ଏହି ମେରୁଦଣ୍ଡକୁ ଦୋହଲାଇ ଦେଇଛି ଫନି। ବାତ୍ୟା ଫନି ପିପିଲି ଅଞ୍ଚଳରେ ଥିବା ବହୁ ନଡ଼ିଆ ଗଛକୁ ଭାଙ୍ଗି ଦେଇଛି। ସେହିପରି ବଡ଼ ବଡ଼ ଗଛ ମଧ୍ୟ ଉପୁଡ଼ି ଯାଇଛି। ଗଛ ରାସ୍ତା ଉପରେ ପଡ଼ି ରହିବାରୁ ଯାତାୟତ ଠପ୍ ହୋଇ ଯାଇଛି।
ଏନଡିଆରଏଫ, ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଗଛ କାଟି ରାସ୍ତା ସଫା କରାଯାଉଛି। ହେଲେ ପିପିଲିର ଏବେ ବି ବହୁ ଗାଁର ରାସ୍ତାରେ ଗଛ ପଡ଼ି ରହିଛି।
ବିଦ୍ୟୁ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଛି। ବିଦ୍ୟୁତ ତାର ଉପରେ ଗଛ ପଡ଼ି ଯାଇଥିବାରୁ ବିଦ୍ୟୁତ ସରବରାହ ବିଛିନ୍ନ ହୋଇଯାଇଛି।
‘‘୧୯୯୯ ମହାବାତ୍ୟାକୁ ଆମେ ଦେଖିଛୁ। ସେତେବେଳେ ଜୋରରେ ପବନ ବହିଥିଲା ସତ, ହେଲେ ବିଶେଷ କ୍ଷୟ କ୍ଷତି ହୋଇ ନଥିଲା। କିନ୍ତୁ ବାତ୍ୟା ଫନି ଆମର ସବୁକିଛି ଉଜାଡ଼ି ଦେଇଛି। ୧୯୯୯ ମହାବାତ୍ୟାଠୁ ‘ଫନି’ ବଳି ଯାଇଛି’’, ଏହା ହେଉଛି ବାତ୍ୟାକୁ ସାମ୍ନା କରିଥିବା ପିପିଲି ଅଞ୍ଚଳର ଲୋକଙ୍କ ମତ।
ସାମୁଦ୍ରିକ ଝଡ଼ ‘ଫନି’ ଶୁକ୍ରବାର ସକାଳ ୮ଟାରୁ ୧୦ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁଥିଲା। ପୁରୀ ସହର ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟାପକ କ୍ଷତି କରିଥିଲା ବାତ୍ୟା। ଏହାର ପ୍ରଭାବ ପିପିଲି ଅଞ୍ଚଳରେ ମଧ୍ୟ ପଡ଼ିଛି। ବାତ୍ୟା ‘ଫନି’ ପିପିଲିରେ ବ୍ୟାପକ କ୍ଷତି କରିଛି।

















