ଓଡ଼ିଶାଲାଇଭ୍ ବ୍ୟୁରୋ

  • ବାଲୁଖଣ୍ଡ ଅଭୟାରଣ୍ୟ ଭୟଙ୍କର ଭାବେ ପ୍ରଭାବିତ
  • ମେରାଇନ୍ ଡ୍ରାଇଭ୍‌ ରାସ୍ତାରେ ଚରିଗଲା ବାଲି
  • ରାମଚଣ୍ଡୀ ମନ୍ଦିରର ଦଧିନଉତି କ୍ଷତିଗ୍ରସ୍ତ
  • ଉଜୁଡ଼ିଲା କୋଣାର୍କ ମନ୍ଦିରର ଚାରିପାଖର ସବୁଜିମା
  • ତିନି ଦିନ ପରେ ଖୋଲିଲା ପୁରୀ-କୋଣାର୍କ ବେଳାଭୂମି ରାସ୍ତା

ଚଳିତ ବାତ୍ୟାରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଅଞ୍ଚଳ। ଫନି ଯୋଗୁଁ ପ୍ରବଳ ପବନ ବହିବା ଫଳରେ ମେରାଇନ୍ ଡ୍ରାଇଭ୍‌ର ଉଭୟ ପାର୍ଶ୍ୱରେ ଥିବା ହଜାର ହଜାର ଝାଉଁ ଗଛ ଓ ଅନ୍ୟାନ୍ୟ ଗଛ ଉପୁଡ଼ି ପଡ଼ିଛି।

ଏହି ଅଞ୍ଚଳରେ ରହିଛି ବାଲୁଖଣ୍ଡ ଅଭୟାରଣ୍ୟ। ଦକ୍ଷିଣରେ ଚିଲିକାଠାରୁ ଉତ୍ତରରେ କୋଣାର୍କ ପର୍ଯ୍ୟନ୍ତ ବିସ୍ତୃତ ବାଲୁଖଣ୍ଡ ଫନିରେ ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ନୂଆନଈ ନିକଟରେ ଥିବା ବାଲୁଖଣ୍ଡ ହରିଣ ପାର୍କ ଏବଂ ନୂଆ କରି ଗଢ଼ିଉଠିଥିବା ନେଚର କ୍ୟାମ୍ପ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ବାତ୍ୟା ପରେ ପ୍ରାୟ ଦୁଇ ଦିନ ଧରି ବନ୍ଦ ରହିଥିବା ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ ସୋମବାର ଦିନ ଖୋଲିଛି। ଏନଡିଆରଏଫ୍ ଏବଂ ଅନ୍ୟାନ୍ୟ ସୁରକ୍ଷା ବଳ ଓ ପୁନରୁଦ୍ଧାର ଦଳଙ୍କ ସହଯୋଗରେ ରାସ୍ତା ଉପରେ ପଡ଼ିରହିଥିବା ଗଛଗୁଡ଼ିକ କାଟି ସଫା କରିବା ଫଳରେ ଏହି ରାସ୍ତା ଖୋଲିଛି।

ଭାଙ୍ଗିଗଲା ରାମଚଣ୍ଡୀ ଦଧିନଉତି

କୋଣାର୍କ ନିକଟରେ ଥିବା ପ୍ରସିଦ୍ଧ ରାମଚଣ୍ଡୀ ମନ୍ଦିରର ଦଧିନଉତି ବ୍ୟାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ପବନର ମାଡ଼ ସହି ନପାରି ଏହା ଭାଙ୍ଗି ଯାଇଛି।

ସେହିପରି ବାତ୍ୟା ସମୟରେ ମନ୍ଦିର ନିକଟରେ ଥିବା ନଦୀରେ ଜୁଆର ପାଣି ପଶି ତାହା କୂଳକୁ ଭୟଙ୍କର ଭାବେ ମାଡ଼ି ଆସିଥିଲା। ମନ୍ଦିର ପାଚେରୀରେ ଟାଲ ମାରିଥିଲା ପାଣି। ରବିବାର ଦିନ ଓଡ଼ିଶାଲାଇଭ୍‌ ଟିମ୍‌ ପୁରୀ-କୋଣାର୍କ ଅଞ୍ଚଳରେ ରିପୋର୍ଟିଂ କରୁଥିବା ବେଳେ ରାମଚଣ୍ଡୀ ମନ୍ଦିରର ପୂଜକ ଏହି ସୂଚନା ଦେଇଥିଲେ।

ପ୍ରବଳ ବାତ୍ୟା ପବନ ଫଳରେ ମେରାଇନ୍ ଡ୍ରାଇଭ୍‌ର ବିଭିନ୍ନ ସ୍ଥାନରେ ରାସ୍ତାରେ ବାଲି ଚରିଯାଇଛି। ଏହାକୁ ସଫା କରି ମେରାଇନ୍ ଡ୍ରାଇଭ୍‌କୁ ବ୍ୟବହାର ଉପଯୋଗୀ କରିବା ପାଇଁ କାମ ଚାଲିଛି।

କୋଣାର୍କ ମନ୍ଦିର ପ୍ରଭାବିତ

ଫନି ଉଜାଡ଼ି ଦେଇଛି କୋଣାର୍କ ମନ୍ଦିରର ଚାରିପଖେ ଥିବା ସବୁଜିମା। ପବନରେ ଅନେକ ଗଛ ଉପୁଡ଼ି ପଡ଼ିଛି। ବ୍ୟାତ୍ୟା ସମୟରେ ହୋଇଥିବା ପ୍ରବଳ ବର୍ଷା ଫଳରେ ମନ୍ଦିର ପରିସରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ଜମି ରହିଥିଲା।

ତେବେ ଏହି ବାତ୍ୟାରେ କୋଣାର୍କ ମନ୍ଦିର ମୂଳ ଷ୍ଟ୍ରକ୍‌ଚର ବା ଏହାର ବିଭିନ୍ନ ଅଂଶ ଉପରେ କିଛି ପ୍ରଭାବ ପଡ଼ିଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ବ୍ୟାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଏଏସଆଇ ପକ୍ଷରୁ ବିଧିବଦ୍ଧ ସମୀକ୍ଷା କରାଗଲେ ହୁଏତ ତାହା ସ୍ପଷ୍ଟ ହୋଇପାରିବ।

Comment