ଓଡ଼ିଶାଲାଇଭ୍ ବ୍ୟୁରୋ

ଗ୍ରାହକଙ୍କୁ ଠକେଇ ଅଭିଯୋଗରେ ଡେଲିଭରି ଭ୍ୟାନ ଡ୍ରାଇଭର ଓ ଏଜେଣ୍ଟ ଗିରଫ।

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର ) : ଏବେ ଫ୍ୟାସନ ହୋଇଗଲାଣି ଅନଲାଇନ୍ ସପିଂ। ମୁଖ୍ୟତଃ ଆଣ୍ଡରଏଡ୍‌ ମୋବାଇଲ୍‌ ଆସିବା ପରେ ଏହି ସପିଂ ଏବେ ଏତେ ବଢିଗଲାଣି ଯେ ଅନେକ ଫ୍ରଡ୍‌ କମ୍ପାନି  ସୋସିଆଲ୍‌ ସାଇଟ୍‌ରେ ନିଜର ବିଜ୍ଞାପନ ଦେଇ, ଗ୍ରାହକଙ୍କୁ ପ୍ରଲୋଭିତ କରିବା ସହ ଠକେଇ କରୁଥିବା ଅଭିଯୋଗ ହୋଇଛି।

ଯେମିତିକି ୨୫ହଜାର ଟଙ୍କାର ମୋବାଇଲ୍‌ ୧୧ହଜାର ଟଙ୍କାରେ ଅଫର୍‌ ମାତ୍ର ୩ଘଣ୍ଟା ପାଇଁ, ତିନୋଟି ଜିନ୍‌ ଫ୍ୟାସନ୍‌ ସାର୍ଟ ମାତ୍ର ୭୯୯ଟଙ୍କାରେ। ହେଲେ ଏଥିରେ ଗ୍ରାହମାନେ ଫସୁଛନ୍ତି। ଗ୍ରାହକମାନେ ଅର୍ଡର କଲେ ନୂଆ ଦାମୀ ମୋବାଇଲ୍‌ ବଦଳରେ ମିଳୁଛି ପୁରୁଣା ଭଙ୍ଗା ମୋବାଇଲ୍‌ ଏବଂ ନୂଆ ଜିନ୍‌ ସାର୍ଟ ବଦଳରେ ମିଳୁଛି ପୁରୁଣା ସାର୍ଟ। ଏଭଳି ଠକେଇର ଶିକାର ହୋଇଥିବା କିଛି ଗ୍ରାହକ ପୋଲିସ୍‌ରେ ଲିଖିତ ଏତଲା ଦେବାପରେ ଏବେ ନାମୀ ଅନ୍‌ଲାଇନ୍‌ କମ୍ପାନି ନାମରେ ଠକେଇ କରୁଥିବା ଅଭିଯୁକ୍ତଙ୍କୁ ଧରିଛି ପୋଲିସ୍‌। ଏବେ ପୂରା ନେଟୱର୍କକୁ ଧରିବାକୁ ବିଛାଇଛି ଜାଲ।

ନିକଟରେ ସାର୍ଟକାର୍ଡ ଡଟ୍‌ ଇନ୍‌ ନାମକ କମ୍ପାନି ଖୁବ୍‌ କମ ମୂଲ୍ୟରେ ଜିନ୍‌ସାର୍ଟ ପ୍ୟାଣ୍ଟ ଦେବା ଅଫର୍‌ ଦେଇଥିଲା। ହେଲେ ଯେଉଁ ଗ୍ରାହକ ଏହି ଅଫରକୁ ଦେଖି ଅନଲାଇନରେ ଅର୍ଡର କରିଥିଲେ ସେମାନଙ୍କୁ ପୁରୁଣା ସାର୍ଟ, ଛୋଟ ସାଇଜ୍‌ ସାର୍ଟ ଆସିଥିଲା। ଏନେଇ ସମ୍ବଲପୁର ଅଇଁଠାପାଲ୍ଲୀ ଥାନା, ଟାଉନ୍‌ଥାନା ଓ ଧନୁପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି।

ନିକଟରେ ନାମୀ ଅନ ଲାଇନ କମ୍ପାନି ସାଇଟରୁ ଅନେକ ଗ୍ରାହକ ଦାମୀ ମୋବାଇଲ୍‌ ଅର୍ଡର କରିଥିଲେ। ହେଲେ ସେମାନଙ୍କ ପାଖକୁ ଇଟା, ମୋବାଇଲ୍‌ କଭର ଓ ପୁରୁଣା ଖରାପ ହୋଇଯାଇଥିବା ମୋବାଇଲ୍‌ ପହଞ୍ଚିଥିବା ଅଇଁଠାପାଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ଏହାର ତଦନ୍ତ କରିଥିଲା। ତଦନ୍ତ ସମୟରେ ପୋଲିସ୍‌ ଜାଣିବାକୁ ପାଇଥିଲା ଯେ କମ୍ପାନି ଠିକ୍‌ ମୋବାଇଲ୍‌ ଗ୍ରାହକଙ୍କ ପାଖକୁ ପଠାଇଥିଲା। ହେଲେ ଡେଲିଭରି ଭ୍ୟାନ୍‌ର ଡ୍ରାଇଭର ଏବଂ ଡେଲିଭରି ବୟ ଏହାକୁ ବଦଳାଇ ଦେଇଥିଲେ।

ପୋଲିସ୍ ଡେଲିଭରି ଭ୍ୟାନ୍‌ର ଡ୍ରାଇଭର, ଡେଲିଭରି ବୟକୁ ଗିରଫ କରିବା ସହ ବହୁ ନାମୀଦାମୀ ମୋବାଇଲ୍‌ ସେଟ୍‌ ଅନୁଗୁଳର ଏକ ମୋବାଇଲ୍‌ ଦୋକାନରୁ ଜବତ କରିଛି। ଜବତ ହୋଇଥିବା ମୋବାଇଲ୍‌ ମଧ୍ୟରେ ୧୧ଟି ନୂଆ ଦାମୀ ମୋବାଇଲ୍‌ ରହିଥିବା ବେଳେ, ୮ଟି ସାମସଙ୍ଗ୍‌ ଏସ୍‌ ସିରିଜ୍‌ର ମୋବାଇଲ୍‌ ରହିଛି। ଏବେ ମଧ୍ୟ ସମ୍ବଲପୁର ସହରର ୪ଟି ଥାନାରେ ୫୦ରୁ ଅଧିକ ଏଭଳି ମାମଲା ପଡିରହିଛି। ପୋଲିସ୍‌ ଗୋଟିଏ ପରେ ଗୋଟିଏ ମାମଲାର ତଦନ୍ତ କରି, ଅନ୍‌ ଲାଇନ୍‌ ସପିଂରେ ହେଉଥିବା ଠକେଇର ପର୍ଦ୍ଦାଫାଶ କରିବା ଆରମ୍ଭ କରିଛି ବୋଲି ସଦର ଏସ୍‌ଡିପିଓ  ଭବାନୀଶଙ୍କର ଉଦ୍‌ଗାତା କହିଛନ୍ତି।

ଅନ୍‌ଲାଇନ୍‌ରେ ସପିଂ ଯେତିକି ବୃଦ୍ଧି ପାଉଛି, ସେତିକି ଠକେଇ ଅଭିଯୋଗ ବଢିବାରେ ଲାଗିଛି। କିଛି ଗ୍ରାହକ ଠକେଇର ଶିକାର ହେଲେ ମଧ୍ୟ ଚୁପ୍‌ଚାପ ରହିଯାଉଥିବା ବେଳେ ଅନେକ ସଚେତନ ଗ୍ରାହକ ଏ ନେଇ ପୋଲିସ୍‌ ଓ କୋର୍ଟର ଦ୍ୱାରସ୍ଥ ହେଉଛନ୍ତି। ଏହି ଠକ କମ୍ପାନି ଓ ତାର କର୍ମଚାରୀଙ୍କ ବିରୋଧରେ ଆଖଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

 

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment