ଓଡ଼ିଶାଲାଇଭ ବ୍ୟୁରୋ

ଜୁନରେ ଆଉ ଏକ ଭୟଙ୍କର ବାତ୍ୟା ଓଡ଼ିଶା ଆଡ଼କୁ ମାଡ଼ି ଆସିବ ବୋଲି ସୋସିଆଲ ମିଡିଆ ଓ ଲୋକଙ୍କ ମଧ୍ୟରେ ଯେଉଁ ଚର୍ଚ୍ଚା ଚାଲିଛି ତାହା ଏକ ଗୁଜବ।

ସାମୁଦ୍ରିକ ଝଡ଼ ଫନି ପରେ ଜୁନରେ ଆଉ ଏକ ବାତ୍ୟା ଆସିବା ଖବର ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି। ଅନେକ ଲୋକେ ଏନେଇ ଆଲୋଚନା କରିବା  ଆରମ୍ଭ କରିଦେଇଛନ୍ତି। ଏହି ଘଟଣାର ସତ୍ୟତା କ’ଣ ଅଛି ତାହା ଜାଣିବାଲାଗି ଆମ ଟିମ୍ ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପାଖରେ ପହଞ୍ଚିଥିଲା। ତାଙ୍କ ସୂଚନାନୁସାରେ ନିକଟରେ ବାତ୍ୟାର କୌଣସି ସମ୍ଭାବନା ନାହିଁ।

ଓଡ଼ିଶାଲାଇଭକୁ ପ୍ରତିକ୍ରିୟା ଦେବା ବେଳେ ସେ କହିଛନ୍ତି, “ମଡେଲର ଇଣ୍ଡିକେସନ ଅନୁସାରେ ଏବେ ବାତ୍ୟାର କୌଣସି ସୂଚନା ନାହିଁ। ସାଧାରଣତଃ ମୌସୁମୀ ଆସିବା ଆଗରୁ ବାତ୍ୟା ଆସିଥାଏ। ମାତ୍ର ଫନି ପରେ ଯେ ଆଉଏକ ବାତ୍ୟା ଆସୁଛି, ସେମିତି କୌଣସି ସୂଚନା ନାହିଁ।”

ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ଫନିର ଭୟାବହତା ଲୋକଙ୍କ ମନରୁ ଲିଭିନଥିବା ବେଳେ ଜୁନ୍ ମାସରେ ପୁଣି ଏକ ବାତ୍ୟା ଆସୁିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଶେଷ କରି ପୁରୀ, ଖୋର୍ଦ୍ଧା, ଭୁବନେଶ୍ବର ଏବଂ ରାଜ୍ୟର ଫନି ପ୍ରଭାବିତ ବିଭିନ୍ନ ଅଞ୍ଚଳରେ ଲୋକେ ଏବାବଦରେ ଚର୍ଚ୍ଚା କରୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଆଉ ଏକ ବାତ୍ୟା ଆସିବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା ଫଛରେ କୌଣସି ସତ୍ୟତା ନାହିଁ ବା କୌଣସି ପାଣିପାଗ ଜନିତ ସୂଚନା ନଥିବା ବିଶେଷଜ୍ଞ ଡକ୍ଟର ସାହୁ ସ୍ପଷ୍ଟ କରିଛନ୍ତି। ତେଣୁ ଏଭଳି ଖବର ମିଥ୍ୟା ଓ ଗୁଜବ ଏବଂ ଲୋକେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଏହି ପାଣିପାଗ ବିଜ୍ଞାନୀ ଓଡ଼ିଶାଲାଇଭକୁ ସୂଚନା ଦେଇଛନ୍ତି।

ଡିଜିଟାଲ ମିଡିଆରେ ଓଡ଼ିଶାର ପ୍ରଳୟଙ୍କରୀ ବାତ୍ୟା ସମ୍ପର୍କରେ ନିୟମିତ ରିପୋର୍ଟ  ଓ ଭିଡିଓର ପ୍ରସ୍ତୁତି ତଥା ପ୍ରସାରଣ ପାଇଁ ଓଡ଼ିଶାଲାଇଭର ଜନକଲ୍ୟାଣ ସାମ୍ବାଦିକତା ଅଭିଯାନରେ ସାମିଲ ହୁଅନ୍ତୁ। ସହଯୋଗ ଦେବାପାଇଁ https://pages.razorpay.com/cyclonefani କ୍ଲିକ୍ କରନ୍ତୁ।

Comment