ଓଡ଼ିଶାଲାଇଭ୍ ବ୍ୟୁରୋ
ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଆଜୀବନ କାରାଦଣ୍ଡ ଶୁଣାଣି ହୋଇଛି। ବ୍ରହ୍ମପୁର ଏଡିଜେ-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି।
ଆଇପିସି ଧାରା ୧୨୧ ଅଧିନରେ ଦେଶଦ୍ରୋହ ଏବଂ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ ସଞ୍ଜୟ ସାହୁ ସବ୍ୟାସାଚୀ ପଣ୍ଡାଙ୍କୁ ଆଜୀବନ ଜେଲ୍ ଦଣ୍ଡ ପାଇଁ ରାୟ ଶୁଣାଇଛନ୍ତି। ଏଥିସହିତ ସବ୍ୟସାଚୀଙ୍କ ଉପରେ ୧୦ ହଜାର ଟଙ୍କାର ଜରିମାନା ଲଗାଇଛନ୍ତି ଏଡିଜେ କୋର୍ଟ -୧।
୨୦୧୪ ମସିହା ଜୁଲାଇ ୧୭ ତାରିଖ ବିଳମ୍ବିତ ରାତିରେ ବ୍ରହ୍ମପୁରର ମଙ୍ଗଳବାରପେଟା ସାହିରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ପୋଲିସ୍ ଗିରଫ କରିଥିଲା। ଗିରଫ ବେଳେ ସବ୍ୟସାଚୀଙ୍କଠାରୁ ୨ଲକ୍ଷ ୧୧ ହଜାର ଟଙ୍କା, ୮୦୦ ଗ୍ରାମ ସୁନା, ୮୦ଟି ସିମ୍ କାର୍ଡ ସହ ମାରଣାସ୍ତ୍ର ଜବତ ହୋଇଥିଲା।
ଗିରଫ ପରେ ଜାମିନ ଆବେଦନ ପାଇଁ ଓଡ଼ିଶା ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସବ୍ୟସାଚୀ। ହାଇକୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିବା ପରେ ହାଇକୋର୍ଟଙ୍କ ଶୁଣାଣିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମ୍କୋର୍ଟ ମଧ୍ୟ ତାଙ୍କ ଜାମିନ୍କୁ ଖାରଜ କରିଥିଲେ।
ସବ୍ୟସାଚୀଙ୍କ ନାଁରେ ୧୩୫ଟି ମାମଲା ରହିଛି। ସେଥିମଧ୍ୟରୁ ୫୨ଟିରେ ସେ ନିର୍ଦ୍ଦୋଶ ସାବ୍ୟସ୍ତ ହୋଇଛନ୍ତି। ୫୩ ତମ ମାମଲାରେ ସବ୍ୟସାଚୀଙ୍କୁ ବ୍ରହ୍ମପୁର ଏଡିଜେ କୋର୍ଟ-୧ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଅନ୍ୟପଟେ ଦୋଷୀ ସାବ୍ୟସ୍ତ ପରେ ସବ୍ୟସାଚୀଙ୍କ ଓକିଲ କହିଛନ୍ତି ଯେ, “ଏହାକୁ ନେଇ ଆମେ ଉପର କୋର୍ଟରେ ଅପିଲ୍ କରିବୁ। ଆମକୁ ନିଶ୍ଚିତ ରୂପରେ ନ୍ୟାୟ ମିଳିବ।”