ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ମାଓ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ମାଓନେତା ସବ୍ୟସାଚୀ ପଣ୍ଡା ଓ ଡି. କେଶବ ରାଓ ଓରଫ ଆଜାଦ୍‌ଙ୍କୁ ୨ଟି ମାମଲାରେ ନୟାଗଡ଼ ଜିଲ୍ଲା ଦୌରା ଅଦାଲତ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଉଭୟଙ୍କ ବିରୁଦ୍ଧରେ ଉପଯୁକ୍ତ ପ୍ରମାଣ ନଥିବା ଦର୍ଶାଇ ଜିଲ୍ଲା ଦୌରା ଜଜ୍ ରୂପଶ୍ରୀ ଚୌଧୁରୀ ଏହି ରାୟ ପ୍ରକାଶ କରିଛନ୍ତି।

୨୦୦୮ ନୟାଗଡ଼ ମାଓବାଦୀ ଆକ୍ରମଣ ଘଟଣା ସମଗ୍ର ରାଜ୍ୟକୁ ଥରହର କରି ପକାଇଥିଲା। ସେହିବର୍ଷ ଫେବ୍ରୁଆରି ୧୫ ତାରିଖର ରାତି ପ୍ରାୟ ସାଢ଼େ ୯ଟା ସମୟରେ ଶତାଧିକ ମାଓବାଦୀ ନୟାଗଡ଼ ପୋଲିସ ଥାନା, ଅସ୍ତ୍ରାଗାର, ପୋଲିସ ଟ୍ରେନିଂ ସ୍କୁଲ, ମହିପୁର ଫାଣ୍ଡି, ନୂଆଗାଁ ଥାନା ଏବଂ ଦଶପଲ୍ଲା ଥାନା ଆଦି ଉପରେ ଆକ୍ରମଣ କରିଥିଲେ। କିଛି ଘଣ୍ଟା ପାଇଁ ଜିଲ୍ଲାର ପ୍ରାୟ ୪୦ କିଲୋମିଟର ଅଞ୍ଚଳ ମାଓ କବ୍‌ଜାକୁ ଚାଲି ଯାଇଥିଲା।ସେତେବେଳେ ମାଓବାଦୀମାନେ ୧୫ ଜଣ ପୋଲିସ କର୍ମଚାରୀ ଓ ଜଣେ ସାଧାରଣ ନାଗରିକଙ୍କୁ ହତ୍ୟା କରିଥିଲେ। ଏହାପରେ ସେମାନେ ପୋଲିସ ଜିଲ୍ଲା ଅସ୍ତ୍ରାଗାରରୁ ଅସ୍ତ୍ର ଶସ୍ତ୍ର ଲୁଟି ନେଇ ଅସ୍ତ୍ରାଗାର, ଥାନା ଏବଂ ଫାଣ୍ଡିରେ ନିଆଁ ଲଗାଇ ଦେଇଥିଲେ।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରି ମାଓନେତା ସବ୍ୟସାଚୀ ପଣ୍ଡା ଓ ଡି. କେଶବ ରାଓ ଓରଫ ଆଜାଦ୍ ସମେତ ଅନ୍ୟ କେତେକଙ୍କ ନାମରେ ୯ଟି ମାମଲା ରୁଜୁ କରିଥିଲା। ସେଥିମଧ୍ୟରୁ ଦଶପଲ୍ଲା ଥାନା ପୋଡ଼ି ଏବଂ ଥାନା ଅଧିକାରୀଙ୍କ କ୍ୱାଟର ପୋଡ଼ି ଭଳି ଦୁଇଟି ମାମଲାର ଶୁଣାଣି ଗୁରୁବାର ହୋଇଛି। ଉଭୟ ଅଭିଯୁକ୍ତଙ୍କ ନାମରେ ଉପଯୁକ୍ତ ପ୍ରମାଣ ନ ମିଳିବାରୁ ଅଦାଲତ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି।ତେବେ ମାଓନେତା ସବ୍ୟସାଚୀ ନାମରେ ଦାଏର ୯ଟି ମାମଲା ମଧ୍ୟରୁ ଗୋଟିକରେ ସେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିବା ବେଳେ ଅନ୍ୟ ୮ଟି ମାମଲା ବିଚାରଧୀନ ରହିଛି।

ସେହିପରି ଅନ୍ୟତମ ଅଭିଯୁକ୍ତ ଆଜଦ୍ ନାମରେ ଦାଏର ୯ଟି ମାମଲାରୁ ୭ଟିର ବିଚାର ଶେଷ ହୋଇଛି ଏବଂ ଆଉ ୨ଟି ମାମଲା ବିଚାରଧୀନ ରହିଛି। ତ୍ୱରିତ ବିଚାର ଲାଗି ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ ପରେ ଚଳିତ ବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଆଜାଦ୍ ନାମରେ ଥିବା ସମସ୍ତ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ରହିଥିବା ଆଜାଦ୍‌ଙ୍କ ଓକିଲ ଅମୀୟ ପଟ୍ଟନାୟକ କହିଛନ୍ତି।

Comment