ଓଡ଼ିଶାଲାଇଭ୍ ବ୍ୟୁରୋ

ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ବେଳେ ନିଜ ବଡ଼ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ବିବାଦକୁ ଟାଣିଛନ୍ତି ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ। ତେବେ ଓଡ଼ିଶାଲାଇଭ୍ ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥଙ୍କ ସହ ଫୋନ୍ ଇନ୍ ମାଧ୍ୟମରେ ଦୂତୀ ଆଣିଥିବା ଅଭିଯୋଗର ଗୋଟି ଗୋଟି ଜବାବ ଦେଇଛନ୍ତି ସରସ୍ୱତୀ।

କୁଚକ୍ରୀ ଗୋଷ୍ଠୀ କବଳରେ ଦୂତୀ

ସରସ୍ୱତୀ ଚାନ୍ଦ ଆଜି ଦୂତୀଙ୍କ ଅଭିଯୋଗର ରୋକଠୋକ୍ ଜବାବ ଦେଇଛନ୍ତି। ଦୂତୀଙ୍କ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ସରସ୍ୱତୀ କହିଛନ୍ତି, ‘‘ଦୂତୀ କୁଚକ୍ରୀ ଗୋଷ୍ଠୀଙ୍କ କବଳରେ ପଡ଼ି ଯାଇଛନ୍ତି। ଦୂତୀ ଯାହା କହୁଛନ୍ତି ତାହା ତାଙ୍କ ସ୍ୱର ନୁହେଁ। ଦୂତୀଙ୍କୁ ମୋହରା ମନା ଯାଇଛି। ଦୂତୀଙ୍କୁ ନେଇ ରାଜନୀତି କରା ନଯାଉ।’’

ସରସ୍ୱତୀ ଚାନ୍ଦ

ଦୂତୀଙ୍କୁ ନେଇ ରାଜନୀତି ନହେଉ

ଯେଉଁମାନେ ଦୂତୀ ଚାନ୍ଦଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଯେଉଁମାନେ ତାଙ୍କର ଶୁଭାକାଂକ୍ଷୀ ଅଛନ୍ତି ସେମାନେ ଯାହା କହିବାର କଥା ମତେ ଆସି ସିଧାସଳଖ କୁହନ୍ତୁ। ଦୂତୀ ଚାନ୍ଦଙ୍କୁ ନେଇ ରାଜନୀତି ବନ୍ଦ କରିବାକୁ ସରସ୍ୱତୀ କହିଛନ୍ତି।

‘‘ଦୂତୀ ଚାନ୍ଦ ହେଉଛନ୍ତି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଉଦୀୟମାନ ତାରକା। ବୁଦ୍ଧିଆ ସିଂହଙ୍କ ଭଳି ତାଙ୍କ କ୍ୟାରିଅର ନଷ୍ଟ ନହେଉ’’, କହିଛନ୍ତି ସରସ୍ୱତୀ।

ସତ ସବୁବେଳେ ସତ

ଦୂତୀ ଚାନ୍ଦ ନିଜ ପରିବାର କଥା ବୁଝୁ ନାହାନ୍ତି ଅଭିଯୋଗ ସମ୍ପର୍କରେ ସରସ୍ୱତୀ କହିଛନ୍ତି ଯେ ସତ ସବୁବେଳେ ସତ ଏବଂ ମିଛ ସବୁବେଳେ ମିଛ। ଦୂତୀ ନିଜ ପରିବାର ସମ୍ପର୍କରେ ଯେଉଁ ବୟାନ ଦେଇଛନ୍ତି ତାହା ତାଙ୍କ ସ୍ୱର ନୁହେଁ। ଏହା ହେଉଛି କୁଚକ୍ରୀମାନଙ୍କର ଆଉ ଏକ ଚାଲ୍।

‘‘ମୋ’ ବିରୋଧରେ ଆସିଥିବା ଅଭିଯୋଗ ମିଛ’’

‘‘ଦୂତୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଅମୂଳକ ଏବଂ ମିଛ। କୁଚକ୍ରୀ ଗୋଷ୍ଠୀମାନେ ତାଙ୍କ ମୁହଁରେ ଏସବୁ କୁହାଇଛନ୍ତି। ଦୂତୀ କ’ଣ ତାହା ମୁଁ ଭଲଭାବେ ଜାଣିଛି’’, ଦୂତୀଙ୍କ ଅଭିଯୋଗର ଜବାବ ଦେଇଛନ୍ତି ସରସ୍ୱତୀ।

ଦୂତୀ ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସରସ୍ୱତୀଙ୍କୁ ସିଧା ଟାର୍ଗେଟ କରିଥିଲେ। ଦିଦି ସରସ୍ୱତୀ ହିଁ ତାଙ୍କୁ ୨୫ ଲକ୍ଷ ଟଙ୍କା ମାଗିଥିଲେ ଏବଂ ସେ ନଦେବାରୁ ତାଙ୍କୁ ବ୍ଲାକମେଲ୍ କରୁଥିବା ସେ ଗଣମାଧ୍ୟମ ଆଗରେ କହିଥିଲେ।

ଦୂତୀ କ’ଣ କରିବେ ତାହା ତାଙ୍କ ବ୍ୟକ୍ତିଗତ କଥା

‘‘ଦୂତୀ ଚାନ୍ଦ ଝିଅକୁ ବାହା ହେବେ କି ପୁଅକୁ ବାହା ହେବେ ତାହା ତାଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ସେଥିରେ ମୁଁ ହସ୍ତକ୍ଷେପ କରିବାକୁ ଚାହୁଁନି। ହେଲେ ଦୂତୀଙ୍କୁ ମୋହରା ବନା ଯାଇ କୁଚକ୍ରୀ ଗୋଷ୍ଠୀ ଫାଇଦା ନେବାକୁ ଚାହୁଁଛନ୍ତି’’, ଓଡ଼ିଶାଲାଇଭକୁ କହିଛନ୍ତି ସରସ୍ୱତୀ।

ଦୂତୀ ଚାନ୍ଦ

ସେ ଆହୁରି କହିଛନ୍ତି ଯେ ଦୂତୀଙ୍କୁ ଯେଉଁ ପରିବାର ଛୋଟରୁ ବଡ଼ କରିଛି ସେ ସେହି ପରିବାରକୁ ଏବେ ସମୟ ଦେବା ଦରକାର ଏବଂ ନିଜ କର୍ତ୍ତବ୍ୟ ଠିକ୍ ଭାବେ ତୁଲାଇବା ଦରକାର।

ଦୂତୀ ତାଙ୍କ ନିଜ ବିବେକକୁ ପଚାରନ୍ତୁ ସେ ନିଜ ଦାୟିତ୍ୱ ତୁଲାଇବେ ନା କୁଚକ୍ରୀ ଗୋଷ୍ଠୀ ଫାଶରେ ପଡ଼ି ପରିବାରଠାରୁ ଦୂରେଇ ରହିବେ ବୋଲି ପ୍ରଶ୍ନ କରିଛନ୍ତି ସରସ୍ୱତୀ।

କୁଚକ୍ରୀ ଗୋଷ୍ଠୀ କିଏ?

ଏହି ପ୍ରଶ୍ନର ଉତ୍ତର ସିଧାସଳଖ ଦେଇ ନଥିଲେ ସରସ୍ୱତୀ। ସେ କେବଳ କହିଥିଲେ, ‘‘ଯେଉଁମାନେ କୁଚକ୍ରୀ ଗୋଷ୍ଠୀ ସେମାନେ  ବଡ଼ ବଡ଼ ଲୋକ। ସେମାନଙ୍କ ସହ ଲଢ଼େଇ କରିବାର ମୋର ସାମର୍ଥ୍ୟ ନାହିଁ।’’

ଆଗକୁ ୨୦୨୦ ଅଲମ୍ପିକ ଗେମ୍ ଏବଂ ୱାର୍ଲ୍ଡ କପ୍ ଆସୁଛି। ସେଥିପାଇଁ ଦୂତୀ ନିଜକୁ ପ୍ରସ୍ତୁତ କରୁ ବୋଲି ସରସ୍ୱତୀ କହିଛନ୍ତି।

Comment