ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୨୯ରେ ଶପଥ ନେବେ ନବୀନ। କିଏ ହେବେ ନୂଆ ମନ୍ତ୍ରୀ ତା’ ଉପରେ ନଜର।

୧୧୨ ଆସନ ପାଇ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ୨୯ ତାରିଖରେ ରାଜଭବନରେ ନବୀନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତେବେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ କେଉଁମାନେ ରହିବେ ତାକୁ ନେଇ ଏବେଠୁ ଚାଲିଛି ଚର୍ଚ୍ଚା।

ଚତୁର୍ଥ ପାଳି ସରକାରରେ ନବୀନ ନୂଆ ଓ ପୁରୁଣାଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ତେବେ ଅଧିକ ଯୁବ ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ପ୍ରସଙ୍ଗରେ ଯୁବ ମନ୍ତ୍ରୀମାନେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ।

ତେବେ ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳ କେମିତି ହେବ ଏବଂ ନୂଆ ନା ପୁରୁଣା ମୁହଁଙ୍କ ଉପରେ ନବୀନ ଭରସା କରିବେ ତାକୁ ନେଇ ରାଜନୀତି କରିଡରରେ ଚର୍ଚ୍ଚା ଚାଲିଛି।

୨୦୧୪ ତୁଳନାରେ ଏଥର ବିଜେଡିର ଆସନ ସଂଖ୍ୟା କମିଛି। ୨୦୧୪ରେ ବିଜେଡି ୧୧୭ ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୧୧୨ ପାଇଛି ଦଳ। ଅର୍ଥାତ୍ ୫ଟି ଆସନ କମିଛି। ଏଣୁ ନୂଆ ମନ୍ତ୍ରିମଣ୍ଡଳ ଗଠନ ବେଳେ ନବୀନ ବିଭିନ୍ନ ବର୍ଗକୁ ଏବଂ ଅଞ୍ଚଳକୁ ବିଚାର କରିପାରନ୍ତି ବୋଲି କୁହାଯାଉଛି।

ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳରେ ନବୀନଙ୍କ ଯୁବ ବ୍ରିଗେଡର ପ୍ରତାପ ଜେନା, ଅରୁଣ ସାହୁ, ଅତନୁସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ ଏବଂ ପ୍ରତାପ ଦେବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି।

ଚତୁର୍ଥ ପାଳି ସରକାର ଗଠନ ବେଳେ ପ୍ରଣବ, ଅରୁଣ, ଅତନୁ ଏବଂ ସଞ୍ଜୟ ଦାସବର୍ମା ମନ୍ତ୍ରୀ ପଦ ପାଇଥିଲେ। ହେଲେ ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ଏମାନେ ମନ୍ତ୍ରୀ ପଦ ଛାଡ଼ିଥିଲେ। ପ୍ରତାପ ଜେନା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ସ୍ୱାସ୍ଥ୍ୟ, କରିବାର କଲ୍ୟାଣ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ମନ୍ତ୍ରୀ ହୋଇଥିଲେ। ତେବେ ଏଥର ଏମାନଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ କରୁଛନ୍ତି କି ନାହିଁ ତା’ ଉପରେ ନଜର ରହିଛି।

ସଞ୍ଜୟ ଦାସବର୍ମା ଚଳିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ଏପଟେ ୨୦୧୪ରେ ନିର୍ବାଚନ ହାରିଥିବା ପ୍ରତାପ ଦେବ ଏଥର ଜିତିଥିବାରୁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏପଟେ ଖଣ୍ଡପଡ଼ା ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ନାଁ ବି ଉଠୁଛି। ସୌମ୍ୟ ଦୀର୍ଘ ବର୍ଷ ପରେ ବିଧାନସଭାକୁ ନିର୍ବାଚିତ ହୋଇଥିବାରୁ ଏବଂ ସେ ଏକ ପ୍ରମୁଖ ଖବରକାଗଜର ସମ୍ପାଦକ ହୋଇଥିବାରୁ ତାଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଆଲୋଚନା ହେଉଛି।

ସେହିପରି କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ନବ କିଶୋର ଦାସ ଝାରସୁଗୁଡ଼ା ଆସନରୁ ବିଜୟୀ ହୋଇଛନ୍ତି। ପଶ୍ଚିମ ଓଡ଼ିଶାର ଜଣେ ଜଣାଶୁଣା ଚେହେରା ଥିବା ନବଙ୍କୁ ବି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି କୁହାଯାଉଛି।

ଏପଟେ ଗତ ଥର ପରାଜିତ ହୋଇଥିବା ସାରଦା ପ୍ରସାଦ ନାୟକ ଏଥର ରାଉରକେଲାରୁ ଜିତିଛନ୍ତି। ୨୦୦୯ରେ ସାରଦା ନବୀନଙ୍କ ତୃତୀୟ ପାଳିରେ ମନ୍ତ୍ରୀ ହୋଇଥିଲେ। ୨୦୧୨ ମେ’ ୨୯ ମିଡ୍ ନାଇଟ୍ ଅପରେସନ ବେଳେ ସାରଦାଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଥିଲା। ହେଲେ ଏହି ପାଳିରେ ତାଙ୍କ ନାଁ ଚର୍ଚ୍ଚା ହେଉଛି। ଯଦି ସାରଦାଙ୍କୁ ମନ୍ତ୍ରୀ ପଦ ମିଳୁନି ତାହାଲେ ସୁବ୍ରତ ତରାଇ କିମ୍ବା ମଙ୍ଗଳା କିଷାନଙ୍କୁ ମନ୍ତ୍ରୀ କରାଯାଇପାରେ ବୋଲି କୁହାଯାଉଛି।

ସେହିପରି ପୂର୍ବରୁ ମନ୍ତ୍ରୀ ଥିବା ସୁଶାନ୍ତ ସିଂହ, ଅଶୋକ ଚନ୍ଦ୍ର ପଣ୍ଡା, ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖଙ୍କ ନାଁକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି।

ନିର୍ବାଚନ ବେଳେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ରାଜ କିଶୋର ଦାସ। ତାଙ୍କୁ ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରୁ ଟିକେଟ ମିଳିଥିଲା। ସେ ନିର୍ବାଚନ ଜିତିଛନ୍ତି। ସେ ବିଜେପି ସହ ଦୀର୍ଘ ବର୍ଷର ସମ୍ପର୍କ ତୁଟାଇ ବିଜେଡି ଆସିଥିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି କୁହାଯାଉଛି।

ଏପଟେ ବରିଷ୍ଠ ନେତା ନୃସିଂହ ସାହୁ, ବଦ୍ରୀନାରାୟଣ ପାତ୍ର ଏବଂ ଅନନ୍ତ ଦାସଙ୍କ ନାଁ ବି ଉଠୁଛି। ମହିଳା ବର୍ଗରେ ଉଷା ଦେବୀ, ପ୍ରମିଳା ମଲ୍ଲିକ, ସ୍ନୋହାଙ୍ଗିନୀ ଛୁରିଆ ଏବଂ ନୂଆକରି କବିସୂର୍ଯ୍ୟନଗର ଆସନରୁ ନିର୍ବାଚିତ ହୋଇଥିବା ଲତିକା ପ୍ରଧାନଙ୍କ ନାଁ ବି ଚର୍ଚ୍ଚା ହେଉଛି।

ନବୀନ ଚତୁର୍ଥ ପାଳିରେ ୨୧ ଜଣଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇଥିଲେ। ଏଥର କେତେ ଜଣଙ୍କୁ ସ୍ଥାନ ଦେଉଛନ୍ତି ଏବଂ କାହାକୁ ନେଉଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment