ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

୪୦ ବର୍ଷ ପରେ କଟକରେ ଆସନ ହାତେଇଲା କଂଗ୍ରେସ।

ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ। ସବୁଠି ଉଡ଼ିଲା ବିଜେଡିର ବିଜୟ ବାନା। ନବୀନଙ୍କ ହାୱାରେ ବିଜେଡି ଖାତାକୁ ଆସିଲା ୧୧୨ ଆସନ। ହେଲେ ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଏଥର କାମ କଲାନି ନବୀନଙ୍କ କ୍ରେଜ୍। ୨୦୦୯ରୁ ନବୀନଙ୍କ ଦୁର୍ଗ ଥିବା ବାରବାଟୀ ଏଥର ଭୁଶୁଡ଼ି ଯାଇଛି। ବାରବାଟୀ ଦୁର୍ଗକୁ ଏଥର କଂଗ୍ରେସ ଅକ୍ତିଆର କରିଛି।

ବାରବାଟୀ-କଟକରେ ଏଥର ନେକ୍ ଟୁ ନେକ୍ ଫଇଟ୍ ହୋଇଥିଲା। ବିଜେଡିର ଦେବାଶିଷ ସାମନ୍ତରାୟ, କଂଗ୍ରେସର ଇଂ ମହମ୍ମଦ ମୋକିମ ଏବଂ ବିଜେପିର ସମୀର ଦେ ଏଥର ନିର୍ବାଚନ ମଇଦାନରେ ଥିବାରୁ ପରିସ୍ଥିତି ଜଟିଳ ହୋଇଥିଲା। ହେଲେ ଫାଇଟ୍ ଦେବାଶିଷ ଏବଂ ମୋକିମ୍‌ଙ୍କ ଭିତରେ ହୋଇଥିଲା। ଶେଷରେ ମୋକିମ୍ ବାଜି ମାରି ନେଇଥିଲେ। ଚାରିଆଡ଼େ କଂଗ୍ରେସ ଧରାଶୟୀ ହୋଇଥିବା ବେଳେ ବାରବାଟୀରେ କିନ୍ତୁ ମୋକିମ କଂଗ୍ରେସର ମାନ ରଖିଛନ୍ତି। ଗତ ୧୦ ବର୍ଷ ହେଲା ଯେଉଁ ବାରବାଟୀ ଦୁର୍ଗ ନବୀନଙ୍କ ହାତରେ ଥିଲା ତାହା ଏଥର ଖସି ଯାଇଛି।

ଦେବାଶିଷ ସାମନ୍ତରାୟ ମୋଟ ୪୬ ହଜାର ୪୧୭ ଭୋଟ ପାଇଥିବା ବେଳେ କଂଗ୍ରେସର ମୋକିମ୍ ପାଇଥିଲେ ୫୦ ହଜାର ୨୪୪ ଭୋଟ। ମୋକିମ୍ ଦେବାଶିଷଙ୍କୁ ୩ ହଜାର ୮୨୭ ଭୋଟରେ ପରାଜିତ କରି ବାରବାଟୀ-କଟକ ଆସନ ଛଡ଼ାଇ ଆଣିଛନ୍ତି।

ବାରବାଟୀରେ କାହିଁକି ହାରିଲା ବିଜେଡି?

କଟକ ଲୋକସଭା ଆସନ ଅଧୀନରେ ଥିବା ୭ଟି ଯାକ ନିର୍ବାଚନମଣ୍ଡଳୀରୁ ୬ଟିରେ ବିଜେଡି ବିଜୟ ହାସଲ କରିଛି। କେବଳ ବାରବାଟୀ-କଟକରେ ହିଁ ବିଜେଡିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି। ୨୦୦୦ରୁ ୨୦୧୯ ଯାଏଁ ଏହି ଆସନ ଶାସକ ଦଳ ହାତରେ ରହିଥିଲା। ଏଠି କଂଗ୍ରେସ ଟକ୍କର ଦେଉଥିଲେ ମଧ୍ୟ ପରାଜିତ ହେଉଥିଲା।

୨୦୦୦ରୁ ୨୦୦୯ ଯାଏଁ ବାରବାଟୀ-କଟକ ଆସନ ବିଜେଡି-ବିଜେପି ମେଣ୍ଟ ପ୍ରାର୍ଥୀ ସମୀର ଦେଙ୍କ ହାତରେ ରହିଥିଲା। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେପି ଏବଂ ବିଜେଡି ଏଠାରେ ପୃଥକ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ।

ସମୀର ଦେ ବିଜେପି ଟିକେଟରୁ ଲଢ଼ିଥିବା ବେଳେ କଂଗ୍ରେସ ଏଠାରେ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ବିଜେଡି ଜଗତସିଂହପୁରରୁ ଦେବାଶିଷ ସାମନ୍ତରାୟଙ୍କୁ ଆଣି ପ୍ରାର୍ଥୀ କରିଥିଲା। ଦେବାଶିଷ ମାଟିର ପୁଅ ହୋଇ ନଥିବାରୁ ତାଙ୍କୁ କଟକବାସୀ ଗ୍ରହଣ କରିବେ ନାହିଁ ବୋଲି ଚର୍ଚ୍ଚା ହେଲା। କିନ୍ତୁ ନବୀନଙ୍କ ଲୋକପ୍ରିୟତା ଓ ବିଜେଡିର ହାୱା ବଳରେ ଦେବାଶିଷ ବାରବାଟୀ ଅକ୍ତିଆର କରିଥିଲେ। ୨୦୧୪ରେ ମଧ୍ୟ ଦେବାଶିଷ ବିଜେଡି ଟିକେଟରେ ଜିତି ଦେବାଶିଷ ବିଧାନସଭା ଆସିଥିଲେ।

୨୦୧୪ ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଦେବାଶିଷଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆସିଥିବା କୁହାଯାଉଛି। କଟକ ମେୟର ଅନୀତା ବେହେରା ରାସନ କାର୍ଡ ହାତେଇବା ପ୍ରସଙ୍ଗରେ ଦେବାଶିଷ ଆଡୁଆରେ ପଡ଼ିଥିବା ବେଳେ ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ବ୍ରଦର୍ସଙ୍କ ସହ ଲିଙ୍କ୍‌ ରଖିବା ଅଭିଯୋଗରେ ଦେବାଶିଷ ବିବାଦୀୟ ହୋଇଯାଇଥିଲେ।

ସବୁଠୁ ବଡ଼ କଥା ହେଉଛି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର ଠିକ୍ କିଛି ଦିନ ପୂର୍ବରୁ ଦେବାଶିଷ ପାକିସ୍ତାନ ମିଡିଆରେ ଚର୍ଚ୍ଚାରେ ରହିଥିଲେ। ପୁଲୱାମା ଆତଙ୍କବାଦୀ ବିସ୍ଫୋରଣରେ ସହିଦ ଯବାନ ମନୋଜ ବେହେରାଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିବାର ଭିଡିଓ ପାକ୍ ମିଡିଆରେ ଚର୍ଚ୍ଚା ହେବା ପରେ ଦେବାଶିଷ ଅଡୁଆରେ ପଡ଼ିଥିଲେ।

ଏସବୁ ସତ୍ତ୍ୱେ ବିଜେଡି ପୁଣି ଦେବାଶିଷଙ୍କ ଉପରେ ଭରସା କରିଥିଲା ଏବଂ ବାରବାଟୀ ପାଇଁ ଟିକେଟ ଦେଇଥିଲା। ହେଲେ ବିରୋଧୀ କଂଗ୍ରେସ ଦେବାଶିଷଙ୍କ ନାଁରେ ଥିବା ଲମ୍ବା ଅଭିଯୋଗକୁ ସୋସିଆଲ ମିଡିଆ ଏବଂ ପ୍ରଚାର ମଇଦାନରେ ଅସ୍ତ୍ର କରି ଫାଇଦା ନେଇଥିବା କୁହାଯାଉଛି।

ତା’ଛଡ଼ା ଦେବାଶିଷ ବାରବାଟୀ-କଟକରେ ଯେମିତି ସଙ୍ଗଠନ ସୁଦୃଢ଼ କରିବା କଥା ତାହା କରି ନଥିବା ତାଙ୍କ କର୍ମୀମାନେ କହୁଛନ୍ତି। କାରଣ ଦେବାଶିଷ ଚାହୁଁଥିଲେ ପାରାଦୀପ ଆସନରୁ ଲଢ଼ିବା ପାଇଁ। ଡାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହେବା ପରେ ଦେବାଶିଷ ପାରାଦୀପ ଉପରେ ଆଖି ପକାଇଥିଲେ। ଏନେଇ ବାରମ୍ବାର ପାରାଦୀପ ଗସ୍ତ କରି ସଭା ସମିତି ଆୟୋଜନ କରୁଥିଲେ। ପାରାଦୀପରେ ଦେବାଶିଷ ହୋର୍ଡିଂ ଓ ବ୍ୟାନର ଟାଙ୍ଗି ଭୋଟରଙ୍କ ନିକଟତର ହେଉଥିଲେ।

ହେଲେ ଶେଷ ମୂହୂର୍ତ୍ତରେ ସବୁ ଅଙ୍କ ବଦଳିଗଲା। ପାରାଦୀପରେ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବିଜେଡି ଟିକେଟ ଦେବା ସହ ଦେବାଶିଷଙ୍କୁ ବାରବାଟୀ-କଟକରେ ଥଇଥାନ କରିଥିଲା। ପାରାଦୀପରୁ ଲଢ଼ିବା ଆଶାରେ ଦେବାଶିଷ କଟକରେ ଥିବା ସଙ୍ଗଠନକୁ ଅବହେଳା କରିଥିବା ଅଭିଯୋଗ ହୁଏ। ଏଣୁ କଟକବାସୀ ଏଥର ବିଜେଡି ଦୁର୍ଗକୁ ଭାଙ୍ଗି କଂଗ୍ରେସ ଉପରେ ଭରସା କରିଥିବା ଚର୍ଚ୍ଚା ହେଉଛି।

୪୦ ବର୍ଷ ପରେ କଟକରେ କଂଗ୍ରେସ

କଟକ ଥିଲା କଂଗ୍ରେସର ଦୁର୍ଗ। ଦେଶ ସ୍ୱାଧୀନ ହେବା ପରେ ଯେତେ ଥର ନିର୍ବାଚନ ହୋଇଛି ଅଧିକାଂଶ ନିର୍ବାଚନରେ କଂଗ୍ରେସ କଟକରେ ବିଜୟ ଧ୍ୱଜା ଉଡ଼ାଇଥିଲା। ହେଲେ ୧୯୮୫ରୁ ୨୦୧୯ ଯାଏଁ କଂଗ୍ରେସ କଟକରେ ଶାସନ ଗାଦିକୁ ଫେରି ନଥିଲା। ୪୦ ବର୍ଷ ପରେ କଂଗ୍ରେସର ଇଂ ମହମ୍ମଦ ମୋକିମ କଂଗ୍ରେସ ଟିକେଟରୁ ଜିତିଛନ୍ତି। ବିଜେଡି ଗଡ଼କୁ ମୋକିମ ଭାଙ୍ଗିଛନ୍ତି।

୧୯୮୫ରୁ ୧୯୯୫ ଯାଏଁ ସୟଦ ମୁସ୍ତାଫିଜ ଅହମ୍ମଦ କଂଗ୍ରେସ ଜନତା ଦଳରୁ ନିର୍ବାଚିତ ହୋଇଥିବା ବେଳେ ୧୯୯୫ରୁ ୨୦୦୪ ଯାଏଁ ବିଜେପିରୁ ସମୀର ଦେ ବିଜୟୀ ହୋଇଥିଲେ। ୨୦୦୯ ଏବଂ ୨୦୧୪ରେ ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ବିଜୟ ମୁକୁଟ ପିନ୍ଧିଥିଲେ।

Comment