ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରଥମ ମାଟ୍ରିକ ବ୍ୟାଚ ପରୀକ୍ଷା ଦେଇ ଫେଲ ହୋଇଥିବା ଛାତ୍ରଛାତ୍ରୀଙ୍କୁ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେବାକୁ ୨୦୦ କିଲୋମିଟର ଯିବାକୁ ହେବ। ଶିକ୍ଷା ବିଭାଗର ଏପରି ବିଚିତ୍ର ନିଷ୍ପତ୍ତି ଯୋଗୁଁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଚଳିତ ମାଟ୍ରିକ ପରୀକ୍ଷାରେ କଳାହାଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୦୧ଜଣ ଛାତ୍ରୀ ଓ ୮୦ ଜଣ ଛାତ୍ର ସାମାଜିକ ବିଜ୍ଞାନ, ସାଧାରଣ ବିଜ୍ଞାନ ଓ ଗଣିତ ବିଷୟରେ ପରୀକ୍ଷା ଦେଇ ଫେଲ ହୋଇଥିଲେ। ଏହି ସମସ୍ତ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ।

ଜୁଲାଇ ୨ରୁ ୧୦ ତାରିଖ ମଧ୍ୟରେ ଏହିସବୁ ବିଷୟଗୁଡ଼ିକର ପରୀକ୍ଷା କରାଯିବ ବୋଲି ଘୋଷଣା ହୋଇଥିଲା। ମାତ୍ର ପରୀକ୍ଷା କେନ୍ଦ୍ର ପାଖରେ ନ ହୋଇ ସୂଦୁର କୋରାପୁଟରେ ହୋଇଛି। ଏହା ଜାଣିବା ପରେ ଅଭିଭାବକଙ୍କ ଚିନ୍ତା ବଢ଼ିଯାଇଛି।

କୋରାପୁଟ ଯିବାପାଇଁ କଳାହାଣ୍ଡି ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଏକାଧିକ ବସ୍ ବଦଳାଇବାକୁ ପଡ଼ିବ। ଏହାସହ ରହିବାର ଅସୁବିଧା ଓ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ପରୀକ୍ଷା ଦେବାକୁ ଯିବାପାଇଁ କେବଳ ଖର୍ଚ୍ଚାନ୍ତ ନୁହେଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏତେ ସବୁ ଅସୁବିଧା ହେଉଥିବାରୁ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଅମଙ୍ଗ ହେଉଥିବା ସୂଚନା ମିଳିଛି।

Comment