ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ସ୍ମାର୍ଟଫୋନ୍‌ର ଜମାନା। ସମସ୍ତଙ୍କ ହାତରେ ସ୍ମାଟଫୋନ୍‌। ମୋବାଇଲ ପ୍ରତି ବର୍ଗର ଲୋକଙ୍କର ରହିଥାଏ ଦୁର୍ବଳତା। ଲୋକଙ୍କ ଆଗ୍ରହ ଓ ପସନ୍ଦକୁ ଦେଖି ବଜାରକୁ ଆସୁଛି ବିଭିନ୍ନ ମଡେଲର ସ୍ମାର୍ଟଫୋନ୍‌।

ଅନେକ ସମୟରେ ଦେଖାଦେଇଥାଏ ବାପା ମା’ ଛୋଟ ପିଲାଙ୍କ ହାତରେ ମୋବାଇଲ୍‌ ଧରାଦେଇଥାନ୍ତି। ପିଲା ଯଦି କାନ୍ଦୁଛି ଶାନ୍ତ କରିବା ଲାଗି ଫୋନ୍‌, ପିଲା ଯଦି ଖାଉନି ତେବେ ମୋବାଇଲ ଦେଖାଇ ଖୁଆଇବା, ଏପରି କି ଯଦି ବାପା ମା’ଙ୍କ କୌଣସି କାମ ଅଛି ଆଉ ପିଲା ଅଝଟ କରୁଛି ସେତେବେଳେ ପିଲା ହାତରେ ଫୋନ ଦେଇଥାନ୍ତି ବାପାମା’।

ଏହା ଆଜିକାଲି ପ୍ରାୟ ସବୁରି ଘରେ ଦେଖିବାକୁ ମିଳୁଛି। କିନ୍ତୁ ଆପଣ ଜାଣିଛନ୍ତି କି ଏହା ଦ୍ୱାରା ଆପଣ ଅଜାଣତରେ ଆପଣଙ୍କ ପିଲା ଓ ତା’ର ଭବିଷ୍ୟତ ସହ କେତେ ବଡ଼ କ୍ଷତି କରୁଛନ୍ତି।

ଆସନ୍ତୁ ଜାଣିବା ଯଦି ଛୋଟ ପିଲା ମୋବାଇଲ୍‌ ବ୍ୟବହାର କରେ ତେବେ କ’ଣ ସବୁ ସମସ୍ୟା ହେବାର ଅଧିକ ଆଶଙ୍କା ରହିଥାଏ।

  • ପିଲାର ମାନସିକ ବିକାଶ ସଠିକ୍‌ ଭାବେ ହୋଇପାରି ନଥାଏ।
  • ଅଧିକ ସମୟ ମୋବାଇଲ ବ୍ୟବାହର ହେତୁ ଅଳସୁଆ ପଣ ଦେଖାଦେଇଥାଏ।
  • ଲଗାତାର ମୋବାଇଲ ବ୍ୟବହାର ଫଳରେ ଏହାପ୍ରତି ଆସକ୍ତ ମନୋଭାବ ଦେଖାଦେଇଥାଏ।
  • ଅଳ୍ପ ବୟସରେ ମୋବାଇଲ ଧରିବା ହେତୁ ପିଲାର ବିକାଶ ହେବାରେ ବାଧାସୃଷ୍ଟି ହୋଇଥାଏ।
  • ଅଳ୍ପ ବୟସରେ ଦୃଷ୍ଟି ଶକ୍ତି ହରାଇବାର ଭୟ ଅଧିକ ଥାଏ।
  • ବାହାରେ ଖେଳାବୁଲା ନକରି ମୋବାଇଲ ଧରିବା ହେତୁ ମେଦବହୂଳତା ସମସ୍ୟା ଦେଖାଯିବାର ଭୟ ଅଧିକ ଥାଏ।
  • ଅନ୍ୟପିଲାଙ୍କ ସହ ଖେଳାବୁଲା ନ କଲେ ପିଲା କଥାବାର୍ତ୍ତା ମଧ୍ୟ ସଠିକ୍‌ ଭାବେ କରିପାରିନଥାଏ।
  • ଉଚ୍ଚ ରକ୍ତଚାପ, ଡାଇବେଟିକ୍‌ ଭଳି ରୋଗ ହେବାର ଆଶଙ୍କା ଥାଏ।
  • ନିଦ୍ରାହୀନତା ସମସ୍ୟା ଦେଖାଦେଇପାରେ।

ଏକ ସର୍ଭେରୁ ଜଣା ପଡ଼ିଛି ଜନ୍ମରୁ ୧୮ମାସ ଯାଏଁ ପିଲା ଅତିବେଶିରେ ୧୫ରୁ୨୦ ମିନିଟ୍‌ ମୋବାଇଲ୍‌ ଦେଖିଲେ ସ୍ୱାସ୍ଥ୍ୟ ଉପରେ ସେତେ ଖରାପ ପ୍ରଭାବ ପକାଇନଥାଏ।

ଏସବୁ ପରେ ନିଜ ପିଲାର ବିକାଶ କିପରି ହୋଇପାରିବ ସେ ନେଇ ପ୍ରତିଟି ବାପାମା’ଙ୍କ ଯତ୍ନବାନ ହେବାର ଆବଶ୍ୟକତା ରହୁଛି। ନହେଲେ ଦୁନିଆକୁ ଭଲକରି ଦେଖିବା କି ବୁଝିବା ଆଗରୁ ପିଲାଟି ଅନେକ ରୋଗର ଶିକାର ହୋଇସାରିଥିବ।

Comment