ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ କାଳରେ ସବୁଠୁ ଅଧିକ ଆମ ଶିକ୍ଷା କ୍ଷେତ୍ର ପ୍ରଭାବିତ ହୋଇଛି। ସାଧାରଣ ପିଲାଙ୍କ ପାଠ ପଢ଼ା କ୍ଷତିଗ୍ରସ୍ତ ହୋଇଥିଲା ବେଳେ ଆମ ସମାଜର ଦିବ୍ୟାଙ୍ଗ ପିଲାମାନେ ଆହୁରି ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସାଧାରଣ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍‌ରେ ଅନଲାଇନ ପଢ଼ିବାର ବିକଳ୍ପ ଥିଲାବେଳେ ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଏହା ଏକ ଚାଲେଞ୍ଜ୍। ସେହିପରି ଦିବ୍ୟାଙ୍ଗ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ମଧ୍ୟ ଏହା ଏକ ବଡ଼ ସମସ୍ୟା। କାରଣ ସେମାନେ ସ୍ମାର୍ଟ ଫୋନ୍‌ ଜରିଆରେ ପିଲାମାନଙ୍କୁ ପଢ଼ାଇବା କଷ୍ଟସାଧ୍ୟ। ତେଣୁ ଏଭଳି ସମସ୍ୟାର ସମାଧାନ ଲାଗି ଦୃଷ୍ଟିବାଧିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନେଇ ଓଡ଼ିଶା ଦୃଷ୍ଟିହୀନ ସଂଘ ପରିସରରେ ଏକ ୫ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶା ଦୃଷ୍ଟିହୀନ ସଂଘ ଓ ସର୍ବଭାରତୀୟ ଦୃଷ୍ଟିହୀନ ମହାସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ରାଜ୍ୟବ୍ୟାପୀ ଥିବା ବିଭିନ୍ନ ଦୃଷ୍ଟିହୀନ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ସେମାନଙ୍କୁ ସ୍ମାର୍ଟ ଫୋନ ପରିଚାଳନା ସମ୍ପର୍କରେ ତାଲିମ ଦିଆଯାଇଥିଲା। ଅନ୍ୟ ଉପରେ ନିର୍ଭର ନକରି ସେମାନେ କିଭଳି ସ୍ମାର୍ଟ ଫୋନ୍‌ ବ୍ୟବହାର କରି ପିଲାଙ୍କୁ ଅନଲାଇନ ପାଠ ପଢ଼ାଇପାରିବେ ସେ ବିଷୟରେ ଶିକ୍ଷା ଦେବାକୁ ୨ ଜଣ ପ୍ରଶିକ୍ଷକ ଭୁବନେଶ୍ୱର,ବଡ଼ଗଡ଼ର ମନୋଜ ବାରିକ୍‌, ନୟାଗଡ଼ର ରୋଜାଲିନ ପ୍ରଧାନ ଏହି ତାଲିମ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

‘‘ଦିନକୁ ଦିନ ସ୍ମାର୍ଟ ଫୋନ୍‌ ବହୁଳ ବ୍ୟବହାର ବଢ଼ିଚାଲିଛି। ଛାତ୍ରଛାତ୍ରୀମାନେ ଅନଲାଇନ୍‌ ପାଠ ପଢ଼ୁଛନ୍ତି। ତେଣୁ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ଦୃଷ୍ଟିବାଧିତ ଶିକ୍ଷକ, ଶିକ୍ଷୟିତ୍ରୀମାନେ କେମିତି ସ୍ମାର୍ଟ ଫୋନରେ ପାଠ ପଢ଼ାଇପାରିବେ ସେଇ ତାଲିମ ଦେବାକୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି’’, କହିଛନ୍ତି ସନ୍ନ୍ୟାସ ବେହେରା।

‘‘ଆଜିକାଲି ସ୍ମାର୍ଟ ଫୋନ୍‌ ମାଧ୍ୟମରେ ଘରେ ବସି ଅନେକ କାମ କରି ହେଉଛି। ତେଣୁ ଦୃଷ୍ଟିବାଧିତମାନେ ମଧ୍ୟ ଏହାର ସୁଯୋଗ ନେବା ଦରକାର। ବିଶେଷ କରି ଦୃଷ୍ଟିବାଧିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏହାର ଅଧିକ ଆବଶ୍ୟକତା ଅଛି। କାରଣ ସେମାନେ ସ୍ମାର୍ଟ ଫୋନ ବ୍ୟବହାର କରିବା ଶିଖିଲେ ଅନ୍ୟମାନଙ୍କୁ ବି ଶିକ୍ଷା ଦେଇପାରିବେ। ଏହାଦ୍ୱାରା ପାଠପଢ଼ା ସହିତ ସେମାନଙ୍କ ଜୀବନ ମଧ୍ୟ ସହଜ ହୋଇଯିବ’’, କହିଛନ୍ତି ଓଡ଼ିଶା ଦୃଷ୍ଟିହୀନ ସଂଘର ସାଧାରଣ ସମ୍ପାଦକ ପ୍ରଫେସର ଶରତ କୁମାର ଦାସ।

ସେହିପରି ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ମନୋଜ କୁମାର ବାରିକ କହିଥିଲେ, ‘‘ଦେଖି ନପାରିବା ଆମ ପାଇଁ ପ୍ରତିବନ୍ଧକ। କିନ୍ତୁ ଏହାକୁ ଅତିକ୍ରମ କରିବାଟା ହିଁ ଜୀବନ। ସମୟ ସହ ତାଳ ମିଳାଇ ଚାଲିବା ହେଉଛି ଏକ ଦାୟିତ୍ୱ। ଏବେ ଦୃଷ୍ଟିବାଧିତଙ୍କ ପାଇଁ ମଧ୍ୟ ଅନେକ ସଫ୍ଟଓେୟାର ଓ ଆପ୍‌ ଆସିଲାଣି। ଯାହାମାଧ୍ୟମରେ ଜଣେ ସହଜରେ ମୋବାଇଲ ଚଳାଇପାରିବ। ଏଥିପାଇଁ ଖାଲି ଅଭ୍ୟାସ ଦରକାର। ତେଣୁ ଦୃଷ୍ଟିବାଧିତ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଠିକ ତାଲିମ ମିଳିଲେ ସେମାନେ ବି ଅନ୍ୟ ସାଧାରଣ ଶିକ୍ଷକଙ୍କ ଭଳି ତାଙ୍କୁ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇପାରିବେ।

ଏହି କାର୍ଯ୍ୟକ୍ରମରେ ବିଏମସିର ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ରାଜ୍ୟ ଆହାର କମିଟିର ସଦସ୍ୟ ହାସନ ଖାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

Comment