ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : ଘରକୁ ମୋବାଇଲ ନେଟଓ୍ୱାର୍କ ଆସୁନି ବୋଲି ପାହାଡ଼ ଉପରେ କୁଡ଼ିଆରେ ଚାଲିଛି ଅନଲାଇନ୍‌ ପାଠପଢ଼ା। କରୋନା କାଳରେ ରୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରୁ ଅନଲାଇନ୍‌ ପାଠପଢ଼ାର ଏଭଳି ବିକଳ ଚିତ୍ର ସାମ୍ନାକୁ ଆସିଛି।

କରୋନା ପାଇଁ ସରକାର ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାଠପଢାକୁ ଗୁରୁତ୍ୱ ଦେଇଛନ୍ତି। ହେଲେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଅନେକ ଗ୍ରାମରେ ନେଟଓ୍ୱର୍କ ଆସୁନାହିଁ। ତେଣୁ ଅଣ୍ଡିରାକଞ୍ଚ ଗ୍ରାମର ଶୁଭମ କୁମାର ମୁଦୁଲିଙ୍କ ୬ ବର୍ଷର ପୁଅ ସୋମନାଥ ମଦୁଲି ବାପାଙ୍କ ସାହାଯ୍ୟରେ ପାହାଡ଼ରେ ଏକ କୁଡ଼ିଆ କରିଛନ୍ତି।

ସୋମନାଥ ମୁଦୁଲି ପ୍ରଥମ ଶ୍ରେଣୀରେ ପାଠ ପଢୁଛନ୍ତି। କରୋନା କାଳରେ ବିଦ୍ୟାଳୟ ବନ୍ଦ ହୋଇଯିବା ଫଳରେ ଏହା ହିଁ ତାଙ୍କ ପାଇଁ ବିକଳ୍ପ ସାଜିଛି।

ସରକାର ପାଠପଢା ପାଇଁ ଯେତେବେଳେ ଅନଲାଇନକୁ ଗୁରୁତ୍ୱ ଦେଲେ ସେତେବେଳେ ସେ ନେଟଓ୍ୱର୍କ ଖୋଜି ଖୋଜି ଗ୍ରାମଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ପାହାଡ଼ ଉପରେ ଚଢି ନେଟଓ୍ୱର୍କ ପାଇ ଅନଲାଇନ ପାଠପଢୁଥିଲେ। କିନ୍ତୁ ଗତ କିଛି ଦିନ ଧରି କାଶୀପୁର ବ୍ଲକରେ ବର୍ଷା ଲାଗି ରହିଥିବା ଯୋଗୁଁ ସେ ପାହାଡ ଉପରକୁ ଯାଇ ପାଠ ପଢ଼ି ପାରୁନଥିଲେ। ଫଳରେ ଛାତ୍ର ଜଣଙ୍କ ତାଙ୍କ ବାପାଙ୍କ ସହାୟତାରେ ନେଟଓ୍ୱର୍କ ଆସୁଥିବା ସ୍ଥାନରେ ଏକ ଛୋଟ କୁଡ଼ିଆ ତିଆରି କରି ସେଠାରେ ଅନଲାଇନ ପାଠ ପଢୁଛନ୍ତି।

ତେବେ ଏହି ପଦକ୍ଷେପ କୁନି ଛାତ୍ରଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହୋଇଛି। ସରକାର ଏ ସମସ୍ୟାର ସମାଧାନ ଲାଗି ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି କରାଯାଉଛି।

Comment