ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ସମସ୍ତଙ୍କ ଜୀବନଶୈଳୀକୁ ଏକପ୍ରକାର ବଦଳାଇ ଦେଇଛି। ଏବେ କିଏ ଘରୁ ଅଫିସ୍ କାମ କରୁଛି ତ ଆଉ କିଏ ଚାକିରି ହରେଇ ଅନ୍ୟ କାମରେ ମନ ବଳାଇଛି। ଆଉ କେହି କେହି ସମୟ ବିତାଇବା ପାଇଁ ଗୀତ, ନାଚ, ଲେଖା ଲେଖିରେ ମନ ଦେଇଛନ୍ତି। କିନ୍ତୁ ଜଣେ ଯୁବତୀ ଏହି କରୋନା ସମୟରେ ଅନଲାଇନ୍‌ କୋର୍ସ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ଏହି ଯୁବତୀ ହେଲେ ଆରତୀ ରେଗୁନାଥ। ତାଙ୍କର ଘର କେରଳ, ଏଲମକରା ଅନ୍ତର୍ଗତ କୋହି ଅଞ୍ଚଳରେ। ଆରତୀ ଏମ୍‌ଇଏସ୍‌ କଲେଜର ଏମଏସସି ବାୟୋକେମେଷ୍ଟ୍ରିର ଦ୍ୱିତୀୟ ବର୍ଷ ଛାତ୍ରୀ। ସେ ଆମେରିକାର ପ୍ରମୁଖ ଅନଲାଇନ୍ ଲର୍ଣ୍ଣିଂ କମ୍ପାନି ‘କୋର୍ସେରା’ ତାଲିକାଭୁକ୍ତ ଥିବା ୩୫୦ଟି ଅନଲାଇନ କୋର୍ସ ଶେଷ କରିଛନ୍ତି। ମାତ୍ର ୩ ମାସ ମଧ୍ୟରେ ୩୫୦  କୋର୍ସ ସାରିଥିବାରୁ ୟୁନିଭର୍ସାଲ ରେକର୍ଡ ଫୋରମରେ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି।

“କଲେଜରେ ମୋର ଅଧ୍ୟାପକ ହିଁ ମୋତେ ଅନଲାଇନ୍ ପାଠ୍ୟକ୍ରମ ଜଗତରେ ପରିଚିତ କରାଇଥିଲେ। ଅନଲାଇନରେ ବିଭିନ୍ନ ପାଠ୍ୟକ୍ରମ ରହିଛି। ମୋର କଲେଜ ପ୍ରିନ୍ସପାଲ୍ ଅଜିମସ୍ ପି ​​ମହମ୍ମଦ, କୋର୍ସେରା ସଂଯୋଜକ ହନିଫା କେଜି ଏବଂ ଅଧ୍ୟାପକ ନୀଳିମା ଟିକେଙ୍କ ସହଯୋଗ ପାଇଁ ମୁଁ ଏହି ପାଠ୍ୟକ୍ରମ ଶେଷ କରିପାରିଛି’’, ଏକ ସାକ୍ଷାତକାରରେ କହିଛନ୍ତି ଆରତୀ।

ଆରତୀଙ୍କ ଦ୍ୱାରା ସମାପ୍ତ ହୋଇଥିବା କୋର୍ସଗୁଡ଼ିକ ଜନ୍ ହକିନ୍ସ ୟୁନିଭର୍ସିଟି, ଟେକ୍ନିକାଲ୍ ୟୁନିଭର୍ସିଟି ଅଫ୍ ଡେନମାର୍କ (ଡିଟିୟୁ), ଭର୍ଜିନିଆ ୟୁନିଭର୍ସିଟି , ନ୍ୟୁୟର୍କ ଷ୍ଟେଟ୍ ୟୁନିଭର୍ସିଟି କଲୋରଡୋ ବୋଲ୍ଡର୍ ୟୁନିଭର୍ସିଟି ସମେତ ଅନେକ ବିଶ୍ୱ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here