ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): କରୋନା ମହାମାରୀ ପାଇଁ ସ୍କୁଲ, କଲେଜ ବନ୍ଦ। ଅନଲାଇନରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଏହି ଅନଲାଇନ ବ୍ୟବସ୍ଥା ସହର ପିଲାଙ୍କ ପାଇଁ ତ ବେଶ ଭଲ କାମ ଦେଉଛି ହେଲେ ଗାଁ ପିଲା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଁରେ ନେଟଓ୍ୱର୍କ ଆସୁନଥିବାରୁ ପିଲାମାନେ ପାହାଡ଼ ଚଢ଼ୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ରାୟଗଡ଼ାରେ ଦେଖିବାକୁ ମିଳିଛି ଏଭଳି ଅନଲାଇନ ପାଠପଢା ବ୍ୟବସ୍ଥାର କରୁଣ ଦୃଶ୍ୟ। ଗାଁରୁ ଚାରି କିଲୋମିଟର ଚାଲି ଚାଲି ଯାଇ ପହାଡ ଉପରକୁ ଆସିଲେ ଧରୁଛି ମୋବାଇଲ ନେଟୱର୍କ। କିନ୍ତୁ ଏହା ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ। ଦୁର୍ବଳ ନେଟଓ୍ୱର୍କ ଯୋଗୁଁ ପଢା ମଝିରେ ହେଉଛି ବ୍ୟାଘାତ। ସେପଟେ ସହରରେ ଥାଇ ଶିକ୍ଷକ ପଢାଉଛନ୍ତି ପାଠ। ହେଲେ ଗ୍ରାମାଞ୍ଚଳରେ ନେଟୱର୍କ ସମସ୍ୟା ଯୋଗୁଁ ଯୋଡି ହୋଇପାରୁ ନାହାନ୍ତି ବିଦ୍ୟାର୍ଥୀ।

ଆଦିବାସୀ ବହୁଳ ରାୟଗଡ଼ା ଜିଲ୍ଲାରେ ଏହି ଅନଲାଇନ ଶିକ୍ଷାଦାନ ପ୍ରକ୍ରିୟା ଉପହାସ ପାଲଟିଛି । ଉପାନ୍ତ ଗାଁ ଗଣ୍ଡାରେ ରହୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯେଭଳି ଅନଲାଇନ ପାଠପଢା  ସ୍ୱପ୍ନ ହୋଇଛି ।

ରାୟଗଡ଼ା ସଦର ବ୍ଲକ ଅଧିନ କନ୍ଧଖିଲମ ଗାଁର ପ୍ରାୟ ୩୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଦିନ ନିକଟରେ ଥିବା ଏକ ପାହାଡ଼କୁ ଛଢ଼ିଥାନ୍ତି। ପାହାଡ଼ ଉପରେ ପାଠପଢ଼ା ସାରି ଫେରିଥାନ୍ତି।

ସେହି ଗାଁର ଛାତ୍ରଛାତ୍ରୀମାନେ ରାୟଗଡ଼ା ସହରର ବିଭିନ୍ନ ଶିକ୍ଷାନୁଷ୍ଠାନ, ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟ, ମହିଳା ମହାମବିଦ୍ୟାଳୟ ଓ ଅନ୍ୟ ସରକାରୀ ଓ ଘରୋଇ ବିଦ୍ୟାଳୟରେ ଆସି ପଢିଥାନ୍ତି। ଏବେ କିନ୍ତୁ ଏହି ଅନଲାଇନ ପାଠପଢ଼ା ତାଙ୍କୁ ସୁଫଳ ଦେଇପାରୁନି।

ମହାମାରୀ କରୋନା କାଳରେ ଲକଡାଉନ ସଟଡାଉନ ଯୋଗୁଁ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ଯେପରି ପ୍ରଭାବିତ ନହୁଏ ତେଣୁ ଶିକ୍ଷାର୍ଥୀଙ୍କୁ ଘରେ ଅନଲାଇନରେ ପାଠ ପଢ଼ିବାକୁ ରାଜ୍ୟ ସରକାର କହିଛନ୍ତି। ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ପିଲାମାନଙ୍କୁ ଅନଲାଇନ ଯୋଗେ ଶିକ୍ଷାଦାନ ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ସହ ଶିକ୍ଷକ ଓ ବିଦ୍ୟାର୍ଥୀ ଅନଲାଇନ ମାଧ୍ୟମରେ ଯୋଡି ହୋଇ ପାଠପଢା ଜାରି ରଖିଛନ୍ତି। କିନ୍ତୁ ରାଜ୍ୟର କିଛି ସ୍ଥାନରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ରେ ଅନଲାଇନ ପାଠପଢ଼ା ବ୍ୟବସ୍ଥା ବେଶୀ ସଫଳ ହୋଇନଥିବା ଅନୁଭବ ହେଉଛି।

Comment